କନକ ବ୍ୟୁରୋ : ଥାନାବାବୁଙ୍କୁ ମହଙ୍ଗା ପଡିଲା ଥାନା ଭିତରେ ଥାର୍ଡଡିଗ୍ରୀ । ଗାଳିଗୁଲଜ ଅଭିଯୋଗରେ ଯୁବକଙ୍କୁ ରାତି ଅଧିଆ ଘରୁ ଉଠାଇ ଆଣି ମାଡ ମାରିବା ଅଭିଯୋଗରେ ନିଲମ୍ବିତ ହେଲେ ଜଗତସିଂହପୁର ଥାନାର ଦୁଇ ଅଧିକାରୀ । ସଦର ଥାନା ଏ.ଏସ.ଆଇ ଓ ଓ.ଏ.ପି.ଏଫ୍ଙ୍କୁ ନିଲମ୍ବନ କରିଛନ୍ତି ଜଗତସିଂହପୁର ଏସପି ।

Advertisment

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଓଡିଶୋ ସରପଂଚଙ୍କୁ ଗାଳି କରିବା ଅଭିଯୋଗେରେ ସେହି ଗାଁର ଲିଙ୍ଗରାଜ ଦାସଙ୍କୁ ରାତିଅଧିଆ ଘରୁ ଉଠାଇ ଆଣି ଥାନାରେ ନିସ୍ତୁକ ମାଡ ମାରି ଲହୁ ଲୁହାଣ କରିଥିଲେ । ପୁଲିସର ଏହି ବର୍ବରତାକୁ ନେଇ ଯୁବକଙ୍କ ପରିବାର ଲୋକ ଜଗତସିଂହପୁର ଏସ.ପିଙ୍କୁ ଭେଟି ଅଭିଯୋଗ କରିବା ପରେ ଏସ.ପି ପ୍ରକାଶ ଆର. ୨ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ସଦର ଥାନା ଏ.ଏସ.ଆଇ ରବିନ୍ଦ୍ର ନାଥ ସେନାପତି ଓ ଅନ୍ୟ ଜଣେ ଓ.ଏ.ପି.ଏଫ୍ ଶିବ ଜାନିଙ୍କୁ ନିଲମ୍ବନ କରିବା ସହ ବିଭାଗୀୟ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ.ପି କହିଛନ୍ତି ।

publive-image

ଗତ ୧୪ ତାରିଖରେ ଲିଙ୍ଗରାଜ ଓ ତାଙ୍କ ସାଙ୍ଗ ସନ୍ତୋଷ ପ୍ରଧାନ ସରପଂଚଙ୍କୁ ଘରକୁ ଯାଇଥିଲେ । ସେଠାରେ ଠିକା କାମକୁ ନେଇ ସନ୍ତୋଷ ସରପଂଚ ଅହଲ୍ୟା ସେଠୀଙ୍କୁ ଗାଳିଗୁଲଜ କରିଥିବା ନେଇ ସରପଂଚଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ । ଆଉ ସେହି ଦିନ ରାତିରେ ଥାନାବାବୁ ସନ୍ତୋଷକୁ ନପାଇ ଲିଙ୍ଗରାଜଙ୍କୁ ଥାନାକୁ ଉଠାଇ ଆଣି ହାଜତ ଭିତରେ ପ୍ରବଳ ମାଡ ମାରିଥିଲେ । ପୋଲିସର ନିସ୍ତୁକ ମାଡରେ ଲହୁ ଲୁହାଣ ହୋଇ ପଡିଥିବା ଲିଙ୍ଗରାଜ ଏବେ ଘରେ ପଡିଥିବା ବେଳେ ପରିବାର ଭୋକ ଉପାସରେ କାଳ କାଟୁଛନ୍ତି ।

ସରପଂଚ ଓ ଗ୍ରାମାବାସୀ ଏହି ଘଟଣାର ଆପୋଷ ସମାଧାନ କରି ଦେଇଥିବା ନେଇ କହୁଥିବା ବେଳେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡି ତାଙ୍କ ସାଙ୍ଗରେ ଯାଇଥିବା ଯୁବକଙ୍କୁ କାହିଁକି ରାତିଅଧରେ ଘରୁ ଉଠାଇ ନେଲା? କାହା ଇଙ୍ଗିତରେ ନିସ୍ତୁକ ମାଡ ମାରିଲା? ଆଉ ମାଡ ମାରିବାର ଅଧିକାର ପୁଲିସକୁ ଦେଲା କିଏ ? ଏବେ ଏମିତି ଅନେକ ପ୍ରଶ୍ନ ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି ।