ରାତି ୧୦ଟା ପରେ ରାଜଧାନୀରେ ବାଣ ଫୁଟାଇବା ମନା ! ନିୟମ ନମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

127

କନକ ବ୍ୟୁରୋ : ଦିନକ ପରେ ଆଲୋକର ପର୍ବ । ପର୍ବକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବାକୁ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ ସାରା ସହରରେ ୧୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହେବେ । ଭୁବନେଶ୍ୱରକୁ ୧୨ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଜୋନରେ ଜଣେ ଏସିପି ଦାୟିତ୍ୱରେ ରହିବେ । ସହରର ପ୍ରତି ସମ୍ବେଦନଶୀଳ ଛକରେ ପୁଲିସ ବ୍ଲକିଂ ହେବ । ୧୫୦ ଜଣ ଅଫିସର ଓ ୬ଶହରୁ ଅଧିକ କର୍ମଚାରୀ ଏହି ସୁରକ୍ଷା ଦାୟିତ୍ୱରେ ରହିବେ। ବିଶେଷକରି ମଦ୍ୟପାନ କରି ଗାଡି ଚଳାଉଥିବା ଏବଂ ରାତି ୧୦ଟା ପରେ ବାଣଫୁଟା ଉପରେ ରୋକ ଲଗା ଯାଇଛି । ଏହା ଛଡ଼ା ବେଆଇନ୍‌ ବାଣ ବିକ୍ରି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।

ଡିସିପି ଶ୍ରୀ ଭୋଇଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଗତକାଲିଠାରୁ ବେଆଇନ ବାଣ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ । ଯେଉଁମାନେ ବିନାନୁମତି ବା ଜନଗହଳିପୂର୍ଣ ଅଞ୍ଚଳରେ ବାଣ ବିକ୍ରି କରୁଥିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିକ୍ରି ବାଣ ଜବତ କରାଯିବା ସହିତ ଜରିମାନା ଆଦାୟ କରାଯିବ । ଏବେ ସୁଦ୍ଧା ରାଜଧାନୀରେ ୧୦୦ ଜଣ ଲାଇସେନ୍ସଧାରୀଙ୍କୁ ବାଣ ବିକ୍ରି କରିବାକୁ ଅନୁମତି ମିଳିଛି । କେତେକ ଜାଗାରେ ବିବାଦ ଥିବାରୁ ବାଣ ବିକ୍ରି କରିବାକୁ ଅନୁମତି ମିଳିନାହିଁ ।

ଦୀପାବଳି ପାଇଁ ସଂଧ୍ୟାରୁ କମିସନରେଟ୍‌ ପୁଲିସ କଡ଼ା ସୁରକ୍ଷା ଅବଲମ୍ବନ କରିବ। ରାଜଧାନୀର ମୁଖ୍ୟ ରାସ୍ତାରେ କେହି ବାଣ ଫୁଟାଇ ପାରିବେ ନାହିଁ । ରାତି ୧୦ଟା ପରେ ରାଜଧାନୀର କୌଣସି ସ୍ଥାନରେ ବାଣ ଫୁଟି ପାରିବ ନାହିଁ । ଯଦି କୌଣସି ଅଞ୍ଚଳରେ ବାଣ ଫୁଟୁଥିବ ସ୍ଥାନୀୟ ଲୋକ ଚାହିଁଲେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେବେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ୧୨୫ ଡେସିବିଲରୁ ଅଧିକ ଶବ୍ଦର ବାଣ କେହି ଫୁଟାଇ ପାରିବେ ନାହିଁ। ଏପରିି ବାଣ ବିକ୍ରି ଉପରେ ମଧ୍ୟ କଟକଣା ଜାରି ହୋଇଛି ।

ସମଗ୍ର ରାଜଧାନୀକୁ ୧୨ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ଏହି ଜୋନକୁ ଜଣେ ଏସିପି ସମ୍ଭାଳିବେ। ଏସିପି ଓ ତାଙ୍କ ଟିମ୍‌ ନିଜ ଜୋନ୍‌ରେ ଦୀପାବଳି ରାତିରେ ପାଟ୍ରୋଲିଂ କରିବେ । ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ହେଲେ ଗିରଫ କରାଯିବ ବୋଲି ଡିସିପି ଶ୍ରୀ ଭୋଇ କହିଛନ୍ତି ।