ଭୁବନେଶ୍ୱର ବେଆଇନ୍ ଡ୍ୟାନ୍ସ ବାର ଉପରେ ଚଢଉ : କଟକ ରୋଡରେ ୧୧ ବାର୍ ଉପରେ ରେଡ୍, ୯୬ ଅଣ ଓଡିଆ ଡ୍ୟାନ୍ସର ଉଦ୍ଧାର

297

କନକ ବ୍ୟୁରୋ : ରାଜଧାନୀର ବେଆଇନ୍ ଭାବେ ଚାଲୁଥିବା ଏକାଧିକ ଡ୍ୟାନ୍ସ ବାର ଉପରେ କମିଶନରେଟ୍ ପୋଲିସର ରାତି ଅଧିଆ ଚଢଉ । ଗତକାଲି ବିଳମ୍ୱିତ ରାତିରେ ରାଜଧାନୀର ଏକାଧିକ ଡ୍ୟାନ୍ସ ବାର ଉପରେ ଚଢଉ କରିଛି ପୋଲିସ । ଏକାଧିକ ଡ୍ୟାନ୍ସ ବାର୍ ଉପରେ ଚଢଉ କରି ପ୍ରାୟ ୯୬ ଜଣ ଡ୍ୟାନ୍ସରଙ୍କୁ ଉଦ୍ଧାର କରିଥିଲା ପୋଲିସ । ବିନା ଲାଇସନ୍ସରେ ଚାଲୁଥିବା ଡ୍ୟାନ୍ସ ବାର ଗୁଡିକ ଉପରେ ପୋଲିସ ଚଢାଉ କରିଥିଲା । ପୋଲିସ ଉଦ୍ଧାର କରିଥିବା ଡ୍ୟାନ୍ସର ସବୁ ନୈନିତାଲ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ପଂଜାବ, ୱେଷ୍ଟବେଙ୍ଗଲ, ଦିଲ୍ଲୀ, ହରିୟାଣାର ବୋଲି ଜଣାପଡିଛି ।

ଉଦ୍ଧାର ହୋଇଥିବା ଯୁବତୀମାନେ କେବଳ ଡାନ୍ସ କରୁନଥିଲେ ଗ୍ରାହକଙ୍କୁ ମଦ ପରସିବା ଠାରୁ ଆରମ୍ଭ କରି ଅନ୍ୟ ଆପତ୍ତିଜନକ କାମରେ ଲିପ୍ତ ଥିଲେ ବୋଲି ପୋଲିସ ପାଖରୁ ସୂଚନା ମିଳିଛି । ତେବେ ସମସ୍ତ ବାର୍ ଡ୍ୟାନ୍ସରଙ୍କ ଆଇଡି ପ୍ରୁଫ୍ ରଖି ପୋଲିସ ସେମାନଙ୍କୁ ଛାଡି ଦେଇଛି । ରାଜଧାନୀରେ ବିନା ଲାଇସନ୍ସରେ କିଛି ଡ୍ୟାନ୍ସ ବାର୍ ଚାଲୁଥିବା ଅଭିଯୋଗରେ କମିଶନରେଟ୍ ପୋଲିସ ଏହି ରାତି ଅଧିଆ ଚଢଉ କରିଥିଲା ।

ସୂଚନାଯୋଗ୍ୟ ଓଡ଼ିଶା ଅବକାରୀ ଆଇନ୍ ଧାରା୨୫(୩) ଅନୁଯାୟୀ ବାରରେ ଯୁବତୀ କିମ୍ବା ମହିଳାଙ୍କୁ ନେଇ ଡ୍ୟାନ୍ସ କରାଇବା ବେଆଇନ୍ । ଏହି ଆଇନ୍କୁ କେତେକ ବାର୍ ମାନୁ ନଥିବା ପୁଲିସକୁ ସୂଚନା ମିଳିଥିଲା । ବାରମ୍ବାର ଚଢ଼ାଇ ହେବା ସତ୍ୱେ ବାର ମାଲିକମାନେ ପୋଲିସ ନିୟମକୁ ମାନୁନାହାନ୍ତି । ପୋଲିସ୍ ଆଖିରେ ଧୂଳି ଦେଇ ବାର ମାଲିକ ମାନେ ବିଶେଷ କରି ଓଡ଼ିଶା ବାହାରୁ ଝିଅ ମାନଙ୍କୁ ଆଣି ଡାନ୍ସ ବାର୍ ଚଳାଉଛନ୍ତି ।