ଲକଡାଉନରେ ଅଧିକ କଠୋର ହେଲା ପୋଲିସ୍ : ପରିବା ଓ ରାସନ ପାଇଁ ବାଇକ୍ ମନା, ଗାଡି ବାହାର କଲେ ଜବତ କରୁଛି ପୋଲିସ୍

2,752

କନକ ବ୍ୟୁରୋ : ଲକଡାଉନରେ ଅଧିକ କଠୋର ହେଲା ପୋଲିସ୍ । ପରିବା ଓ ରାସନ କିଣାକିଣି ପାଇଁ ବାଇକ୍ ନେଇ ଯିବାକୁ ବାରଣ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଚାଲି ଯିବାକୁ ପୋଲିସ କହିଛି । ଏବଂ ଲୋକେ ଗାଡି ବାହାର କଲେ ଜବତ କରୁଛି ପୋଲିସ୍ । ଭୁବନେଶ୍ୱରରେ ଆଜି ଏହା ଦେଖିବାକୁ ମିଳିଛି । ରାଜଧାନୀର ବିଭିନ୍ନ ହାଟ ଓ ଛକରେ ଚେକିଂକୁ ଜୋରଦାର କରିଛି ପୋଲିସ ।

ଏକ ନମ୍ବର ହାଟରେ ପୋଲିସ ଆଜି ବାଇକ୍ ଉଠାଇନେଇଛି । ପରିବା କିଣିବା ଲାଗି ବାଇକରେ ଆସିଥିବା ଲୋକଙ୍କଠାରୁ ଗାଡି ନେଇ ଯାଇଛି ପୋଲିସ । ପରିବା କଣିବା ଲାଗି ପୁଲିସ ଲୋକଙ୍କୁ ଚାଲି ଚାଲି ଆସିବାକୁ ପରାମର୍ଶ ଦେଇଥିଲା । କିନ୍ତୁ ଏହାକୁ ନ ମାନି ଯେଉଁମାନେ ବାଇକରେ ଆସିିଥିଲେ ସେମାନଙ୍କ ବାଇକକୁ ଉଠାଇନେଇଛି ପୋଲିସ । ଏଜି ଛକରେ ବି ଚେକିଂକୁ ଜୋରଦାର କରାଯାଇଛି ।

ସେପଟେ ଢ଼େଙ୍କାନାଳ କାମାକ୍ଷାନଗର ସାପ୍ତାହିକ ହାଟରେ ପ୍ରହସନ ପାଲଟିଛି ଲକଡାଉନ ନିୟମ । ସକାଳୁ ସକାଳ ହାଟରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ହାଟ ସାମନାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏନଏମସି ଭଳି ସରକାରୀ କାର୍ଯ୍ୟାଳୟ ଥିବା ସତ୍ୱେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ବର୍ତ୍ତମାନର ସଂକଟ ସମୟରେ ଗାଁ ଗହଳିରେ ଲୋକେ ନିଜେ ସଚେତନ ହୋଇ ନିୟମକୁ ପାଳନ କରୁଥିବା ବେଳେ କାମାକ୍ଷାନଗରରେ କଟକଣାକୁ ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ କରୋନା ପାଇଁ ବାଲିଗୁଡା ଅଞ୍ଚଳରେ ବଣ୍ଟାଯାଉଛି ସଚେତନତାର ବାର୍ତ୍ତା । ଆଶା ଓ ଅଙ୍ଗନୱାଡି କର୍ମୀ ଏହି ସଚେନତା ବାର୍ତା ବାଣ୍ଟୁଛନ୍ତି । ଦେଶ ଓ ରାଜ୍ୟ ବାହାରୁ ଘରକୁ ଫେରିଥିବା ଲୋକଙ୍କୁ ପଞ୍ଜିକରଣ କରାଯାଇ ସେମାନଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଏ ନେଇ ଲଟକା ବି ଲଗାଯାଇଛି ।