କନକ ବ୍ୟୁରୋ : କଟକ ସାଇକୋ କିଲରକୁ ଧରି ହତ୍ୟାକାଣ୍ଡର ସ୍ଥାନ ବୁଲୁଛି କମିଶନରେଟ ପୋଲିସ । ଗିରଫ ନାରାୟଣ ସାହୁକୁ ବାରମ୍ୱାର ଜେରା କରିବା ପରେ ଆଜି ରାଣୀହାଟ, ଓଏମପି ଛକରେ ଘଟଣା ସ୍ଥଳକୁ ନେଇ ଯାଂଚ କରିଛି ପୋଲିସ । ଫରେନସିକ୍ ଟିମ୍ ଅଭିଯୁକ୍ତ ନାରାୟଣ ସାହୁକୁ ନେଇ ହତ୍ୟାକାଣ୍ଡ ସ୍ଥଳରେ ଅନୁଧ୍ୟାନ କରିବା ସହ ସେ ରହୁଥିବା ସ୍ଥାନକୁ ବି ବୁଲି ଦେଖିଛି । ତଦନ୍ତ ବେଳେ ପୋଲିସକୁ ମିଳିଛି କିଛି ସୁରାକ୍ ।
ହତ୍ୟାରେ ବ୍ୟବହାର କିଛି ସମାଗ୍ରୀକୁ ପୋଲିସ ଜବତ କରିିଛି । ଏହା ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିଲା କି ନାହିଁ ଫରେନସିକ୍ ଲ୍ୟାବକୁ ପଠାଯିବ ବୋଲି ପୋଲିସ କହିଛି । କଟକରେ ୪୮ ଘଂଟା ଭିତରେ ୩ ଟି ହତ୍ୟାକାଣ୍ଡ ଘଟାଇଥିବା ସାଇକୋ କିଲର ଠାରୁ ଆହୁରି ସତ ବାହାର କରିବାକୁ ପୋଲିସ ତଦନ୍ତ ଜାରି ରଖିଛି ।
କଟକର ସାଇକୋ କିଲର୍ ଗିରଫ ହେବା ପରେ ସହରବାସୀ ଆଶ୍ୱସ୍ତ ହୋଇଛନ୍ତି ସତ । କିନ୍ତୁ ଗିରଫ ହୋଇଥିବା ନାରାୟଣ ସାହୁ ଯେ, ସେଇ ସାଇକୋ କିଲର୍ ତାକୁ ନେଇ ବଢ଼ୁଛି ସନ୍ଦେହ । କାରଣ, ଅଭିଯୁକ୍ତଙ୍କ ପରିବାର ଲୋକ ଦାବି କରିଛନ୍ତି, ହତ୍ୟାକାଣ୍ଡ ଘଟିବା ଦିନ ନାରାୟଣ ସାହୁ ଘରେ ଥିଲେ । ଏମିତି କି ମାଛିକୁ ମ’ କହୁନଥିବା ଲୋକ କେମିତି ମଣିଷ ମାରିଲେ ବୋଲି ତାଙ୍କ ପତ୍ନୀ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ହତ୍ୟାକାଣ୍ଡ ପଛର କାରଣ ଖୋଜିବାକୁ ଗିରଫ ନାରାୟଣ ସାହୁ ଜାରି ରଖିଛି ପଚରାଉଚୁରା ।