କନକ ବ୍ୟୁରୋ : ପୋଲିସକୁ ବିଚ ରାସ୍ତାରେ ମାଡ । ବାଲେଶ୍ୱର ବାଲିଆପାଳ ଅଂଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ଉତ୍ୟକ୍ତ ଲୋକେ ପୋଲିସକୁ ଗୋଡାଇ ଗୋଡାଇ ପିଟିଛନ୍ତି । ଏଥିରେ ବାଲିଆପାଳ ଥାନା ଆଇଆଇସି ଆହତ ହୋଇଛନ୍ତି । ପୋଲିସ ବାବୁ ଜଣକ ଲୋକଙ୍କ ଠାରୁ ରକ୍ଷା ପାଇବା ପାଇଁ ପ୍ରାଣ ବିକଳରେ ଦୌଡ଼ିଥିଲେ ମଧ୍ୟ ଲୋକେ ତାଙ୍କୁ ଛାଡ଼ିନଥିଲେ । ବର୍ଦ୍ଧିରେ ଥିଲେ ମଧ୍ୟ ପୋଲିସ ବାବୁଙ୍କ କଲର ଝିଙ୍କି ସମସ୍ତଙ୍କ ସାମ୍ନାରେ ମାଡ଼ ମାରିଛନ୍ତି ।
ଖବର ଅନୁସାରେ, ବସ୍ତା ମୁଖ୍ୟ ରାସ୍ତାର ଇଡକୋ ହସପିଟାଲ ଛକ ନିକଟରେ ଥିବା ଏକ ଢାବାରୁ ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଏହି ନାବାଳକକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ଏହାର ପ୍ରତିବାଦରେ ଉତ୍ୟକ୍ତ ଲୋକେ ବସ୍ତା ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହ ଢାବାରେ ଭଙ୍ଗାରୁଜା କରିଥିଲେ । ଆଉ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଂଚିବା ପରେ ଉତ୍ୟକ୍ତ ଲୋକେ ପୋଲିସକୁ ଗୋଡାଇ ଗୋଡାଇ ପିଟିଥିଲେ । ଲୋକଙ୍କୁ ବୁଝାସୁଝା କରିବା ସମୟରେ ପୋଲିସ ଉପରେ ହିଁ ବର୍ଷିଥିଲେ ଲୋକେ । ଏଥିରେ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ଆହତ ହୋଇଛନ୍ତି ।