ଇନ୍ଦୋରର ସୈଫି ମସଜିଦରେ ମୋଦି : ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଭାରତର ଶକ୍ତିକୁ ପରିଚିତି କରାଇଛନ୍ତି ବୋହରା ସଂପ୍ରଦାୟ

37

କନକ ବ୍ୟୁରୋ : ମସଜିଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶ ଇନ୍ଦୋରରର ସୈଫି ମସଜିଦରେ ଦାଉଦି ଭୋରା ସମ୍ପ୍ରଦାୟର ୫୩ତମ ଧର୍ମଗୁରୁ ସୟଦନା ମୁଫାଦଲ ସୈଫଉଦ୍ଦିନଙ୍କ ସହ ଏକ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୋଦି । ଏହି ଅବସରରେ ଉପସ୍ଥିତ ଜନସମୁଦାୟକୁ ସମ୍ବୋଧିତ କରି ବୋହରା ସମୁଦାୟକୁ ଭରପୁର ପ୍ରଶଂସା କରିଛନ୍ତି ମୋଦି । ସେ କହିଛନ୍ତି, ଭାରତୀୟ ଶକ୍ତିକୁ ପରିଚିତ କରାଇଛନ୍ତି ବୋହରା ସମୁଦାୟ । ଯାହାର ଦେଶଭକ୍ତି ଶିଖିବାର ଅଛି ସେ ବୋହରା ସମୁଦାୟଙ୍କଠାରୁ ଶିଖିବା ଦରକାର ।

ଏହାସହ ମୋଦି କହିଛନ୍ତି ବୋହରା ସମାଜ ଶାନ୍ତି ପାଇଁ ଯେଉଁ ଅବଦାନ ଦେଇଛି ତାହା ଆମ ଦେଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ମୋଦି କହିଛନ୍ତି, ବୋହରା ସମାଜ ସହ ମୋ ସମ୍ପର୍କ ବହୁତ ପୁରୁଣା । ମୁଁ ଏହି ପରିବାରର ସଦସ୍ୟ । ଜନ୍ମଦିନ ପୂର୍ବରୁ ଏହି ପବିତ୍ର ମଂଚରୁ ମୋତେ ଆଶିର୍ବାଦ ମିଳିଥିବାରୁ ମୁଁ ଭାଗ୍ୟବାନ ମଣୁଛି । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ବୋହାରା ସମାଜ ସବୁବେଳେ ମୋ ସହ ଥିଲା ବୋଲି ମୋଦି କହିଛନ୍ତି । ଅନେକ ଥର ଧର୍ମଗରୁଙ୍କୁ ଭେଟିବା ପାଇଁ ମୁଁ ସୁରଟ ଏୟାରପୋର୍ଟ ଯାଇଛି । କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଆଜି ବୋହରା ସମାଜ ପାଇଁ ଅନେକ କାମ କରୁଛି । ମୋଦି କହିଛନ୍ତି ବୋହରା ସମୁଦାୟଙ୍କ ଗହଣକୁ ଆସିବା ତାଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି । ଏହା ହେଉଛି କୌଣସି ପ୍ରଧାନମନ୍ତ୍ରୀ ବୋହରା ସମାଜ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗ ଦେବା ଇତିହାସରେ ପ୍ରଥମ । ବୋହରା ଧର୍ମଗୁରୁ ମୋଦିଙ୍କୁ ଜନ୍ମଦିନର ଆଗୁଆ ଶୁଭେଛା ଜଣାଇଛନ୍ତି ।