୨ ଦିନରେ ୩ ଟି ରାଜ୍ୟ ଗସ୍ତ ! ନିର୍ବାଚନୀ ମୁଡ଼ରେ ପ୍ରଧାନମନ୍ତ୍ରୀ ମୋଦି,କ’ଣ ରହିଛି ଆଭିମୁଖ୍ୟ ?

35

କନକ ବ୍ୟୁରୋ : ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏବେ ସମ୍ପୂର୍ଣ୍ଣ ଭାବେ ନିର୍ବାଚନୀ ମୁଡ଼ରେ ଅଛନ୍ତି । ଆଜି ଓଡ଼ିଶା ଗସ୍ତରେ ଅଛନ୍ତି ମୋଦି । ନରେନ୍ଦ୍ର ମୋଦି ଏହି ଦିନିକିଆ ଗସ୍ତ କାଳରେ ରାଜ୍ୟରେ ୫ଟି ପ୍ରକଳ୍ପର ଉଦ୍ଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିବେ । ରାଜ୍ୟର ଦ୍ୱିତୀୟ ବିମାନବନ୍ଦର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ବିମାନ ବନ୍ଦରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ବହୁ ପ୍ରତୀକ୍ଷିତ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର‌୍ୟ୍ୟ ମଧ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିବେ।

ମୋଦିଙ୍କ ଗସ୍ତକୁ ନେଇ ବିଜେପି ଉତ୍ସାହିତ ଥିବା ବେଳେ ଓଡ଼ିଶାରେ କ’ଣ କହିବେ ମୋଦି ? ବିଜେଡି ଓ ନବୀନଙ୍କ ପ୍ରତି କ’ଣ ରହିବ ମୋଦିଙ୍କ ଆଭିମୁଖ୍ୟ ? ଏହାକୁ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା । ଅନାସ୍ଥା ପ୍ରସ୍ତାବ ସମୟରେ ବିଜେଡିର ଆଭିମୁଖ୍ୟ ଓ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରସଙ୍ଗରେ ଏନଡିଏ ପ୍ରାର୍ଥୀଙ୍କୁ ନବୀନଙ୍କ ସମର୍ଥନ ପରେ ଓଡିଶାକୁ ମୋଦିଙ୍କର ଏହା ପ୍ରଥମ ଗସ୍ତ । ତେଣୁ ଏହି ଗସ୍ତ ବିଜେଡି ଓ କଂଗ୍ରେସ ପ୍ରତି କଣ ରହିବ ମୋଦିଙ୍କ ଆଭିମୁଖ୍ୟ, ଏହା ଉପରେ ସମସ୍ତଙ୍କ ନଜର। ବିରୋଧୀ ଦଳର ଆରୋପ ପ୍ରତ୍ୟାରୋପ ଭିତରେ କିନ୍ତୁ ବିଜେପିର ଦୃଢ଼ ଆଶା ମୋଦିଙ୍କ ଏହି ଗସ୍ତ ଓଡ଼ିଶା ଲୋକଙ୍କୁ ପ୍ରଭାବିତ କରିବ ।

ଆଜି ଓଡ଼ିଶା ଗସ୍ତରେ ଆସିବା ସହ ଛତିଶଗଡ଼ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ମୋଦିଙ୍କ ପାଇଁ ନିର୍ବାଚନ ପୂର୍ବରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଓଡିଶାରେ ଏବେ ବିଜେଡ଼ି ସରକାର ଶାସନରେ ଅଛନ୍ତି । ଆଗାମୀ ନିର୍ବାଚନରେ ବିଜେଡ଼ି ସରକାରକୁ ହଟାଇ ଗାଦି ଅକ୍ତିଆର କରିବା ପାଇଁ ଚେଷ୍ଟା କରୁଛି ବିଜେପି । ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଅନେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଜନସଭାରେ ସାଧାରଣ ଜନତାଙ୍କୁ ଉଦବୋଧନ ମଧ୍ୟ ଦେବେ । ପ୍ରଥମେ ଓଡ଼ିଶାର ତାଳଚରେ ଓ ପରେ ଝାରସୁଗୁଡ଼ାରେ ଉଦବୋଧନ ଦେବେ ମୋଦି । ତେବେ ଗସ୍ତ ସମୟରେ ମୋଦି କ’ଣ କହିବେ ତା’ଉପର ସମସ୍ତଙ୍କର ନଜର ରହିଛି ।

ଏସବୁ ପରେ ଆଜି ଛତିଶଗଡ଼ ଗସ୍ତରେ ମଧ୍ୟ ଯିବେ ମୋଦି । ଓଡ଼ିଶାରୁ ବାହାରି ସିଦା ଛତିଶଗଡ଼ ଅଭିମୁଖେ ଯାତ୍ରା କରିବେ ମୋଦି । ସେଠାରେ ମୋଦି ଏକ କୃଷକ ମହାସଭାରେ ଉଦବୋଧନ ଦେବେ । ଆଉ ଏହି ଅବସରରେ ଅନେକ ବିକାଶ ମୂଳକ ଯୋଜନାକୁ ଶିଳାନ୍ୟାସ ମଧ୍ୟ କରିବେ । ତେବେ ଏସବୁ ଭିତରେ କାଯ୍ୟକର୍ତ୍ତାଙ୍କ ସହ ମିଶି ଆଲୋଚନା କରିବା ପାଇଁ ଯୋଜନା କରିଛନ୍ତି ମୋଦି । ଛତିଶଗଡ଼ର ଜାଞ୍ଜଗୀର ଚମ୍ପା, ରାୟଗଡ଼, ସରଗୁଆ, ରାୟପୁର, ବିଲାସପୁର ଓ ମହାସମୁଦରେ ବିଭିନ୍ନ କାର୍ଯ୍ୟକ୍ରମରେ ରହିଛି । କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମୋଦି ସନ୍ଧ୍ୟା ୪,୪୫ରେ ରାୟପୁର ଯାଇ ଭାରତୀୟ ବାୟୁସେନା ବିମାନ ଦିଲ୍ଲୀ ପାଇଁ ବାହାରି ଯିବେ ।

ତେବେ ଆସନ୍ତାକାଲି ଛାଡ଼ଖଣ୍ଡ ଯିବେ ମୋଦି । ଆସନ୍ତାକାଲି ସକାଳେ ୧୧.୦୩ରେ ରାଂଚିର ପ୍ରଭାତତାରା ରେ ପହଞ୍ଚିବେ, ଯେଉଁଠି ସେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ । ଆୟୁଷ୍ମାନ ଭାରତ ସରକାରଙ୍କ ସବୁଠାରୁ ମହତ୍ୱାକାଂକ୍ଷୀ ଯୋଜନା ଏହି ଅଭିଯାନ ଆରମ୍ଭ କରିବା ପାଇଁ ମୋଦି ଝାଡ଼ଖଣ୍ଡକୁ ଚୟନ କରିଛନ୍ତି । ଝାଡ଼ଖଣ୍ଡରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ବ୍ୟତୀତ କୋଡ଼ରମା ଓ ଚାଇମାସାରେ ତିଆରି ହେବାକୁ ଥିବା ମେଡ଼ିକାଲ କଲେଜର ଉଦଘାଟନ ମଧ୍ୟ କରିବେ ମୋଦି ।