ପାକିସ୍ତାନକୁ ମୋଦିଙ୍କ ଚେତାବନୀ ! କହିଲେ, ‘ସହିବାର ସମୟ ଗଲା, ଏବେ ଘରେ ପଶି ମାରିବୁ’

783

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଓ ଆତଙ୍କବାଦୀ ମୁଖ୍ୟଙ୍କ ଉଦ୍ଦେଶ୍ୟରେ କଡ଼ା ଚେତାବନୀ ଦେଇଛନ୍ତି । ଗୁଜରାଟର ଅହମ୍ମଦାବାଦରେ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏବେର ଭାରତ ଆତଙ୍କବାଦ ସାମ୍ନାରେ କେବେ ମୁଣ୍ଡ ନୁଆଁଇବ ନାହିଁ । ଗୋଟି ଗୋଟି କରି ପ୍ରତିଶୋଧ ନିଆଯିବ । ଦରକାର ପଡ଼ିଲେ ଶତ୍ରୁର ଘରେ ପଶି ହିସାବ ବରାବର କରାଯିବ । ଭାରତ ୪୦ ବର୍ଷରୁ ଆତଙ୍କବାଦର ପୀଡ଼ା ସହ୍ୟ କରି ଆସୁଛି । ଭୋଟ ବ୍ୟାଙ୍କ ରାଜନୀତିରେ ବୁଡ଼ି ରହିଥିବା ନେତାମାନେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଡ଼ରୁଥିଲେ । ହେଲେ ଏବେ ଦେଶରେ ପରିବର୍ତ୍ତନ ଆସିଛି । ଭାରତ ଆଉ ସହିବ ନାହିଁ ।

ମୋଦି କହିଛନ୍ତି ଗାଦି ପାଇଁ ମୋର ଲୋଭ ନାହିଁ । ମୋର ଚିନ୍ତା ଦେଶର ସୁରକ୍ଷା ଓ ଲୋକଙ୍କ ସୁରକ୍ଷା । ଅପେକ୍ଷାର ପର୍ବ ଶେଷ ହୋଇଛି । ଆତଙ୍କବାଦୀଙ୍କୁ ଆଉ ତ୍ରାହି ମିଳିବ ନାହିଁ । ସାତ ତାଳ ପାଣି ତଳେ ଲୁଚିଲେ ବି ପାତାଳରେ ଯାଇ ଆତଙ୍କବାଦୀଙ୍କୁ ଖୋଜିବୁ । ଏହାସହ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଉଥିବା ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଏୟାର ଷ୍ଟ୍ରାଇକରେ ବିରୋଧୀଙ୍କ ପେଟ ବ୍ୟଥା ହେଉଛି ।

ସବୁଠାରୁ ବଡ଼ ଦୁର୍ଭାଗ୍ୟ କଥା କିଛି ନେତା ଯେଉଁ ବୟାନବାଜି କରୁଛନ୍ତି, ତାହା ପାକିସ୍ତାନର ଖବରକାଗଜରେ ହେଡ୍ ଲାଇନ୍ ହୋଇଯାଉଛି । ଦେଶର ସୁରକ୍ଷା ଅପେକ୍ଷା ସେମାନଙ୍କୁ ରାଜନୀତି କଥା ଅଧିକ ଚିନ୍ତା । ଆପଣଙ୍କର ଯାହା ପ୍ରଶ୍ନ କରିବାର ଅଛି ମୋତେ କରନ୍ତୁ, ମାତ୍ର ସେନାକୁ କଣ ପାଇଁ ଗାଳି ଦେଉଛନ୍ତି ? ଦେଶର ବୀର ଯବାନଙ୍କୁ ବଦନାମ କରିବାର ଅଧିକାର କାହା ପାଖରେ ନାହିଁ ।