୬୦୦୦ ଅତିଥି, ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ରାଷ୍ଟ୍ରପତି ଭବନ : ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଭବ୍ୟ ପ୍ରସ୍ତୁତି

147

କନକ ବ୍ୟୁରୋ : ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ନେବେ । ମୋଦିଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ରାଷ୍ଟ୍ରପତି ଭବନରେ ଭବ୍ୟ ପ୍ରସ୍ତୁତି ଶେଷ ହୋଇଛି । ମୋଦିଙ୍କ ଶପଥର ଗ୍ରହଣ ଉତ୍ସବରେ ପ୍ରାୟ ୬୦୦୦ ଅତିଥି ସାମିଲ ହେବେ । ସନ୍ଧ୍ୟା ୭ ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ । ଏହି ଅବସରରେ ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ନେବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହି ଶପଥ ଉତ୍ସବକୁ ଐତିହାସିକ ବିଜୟ ଉତ୍ସବ ଭାବେ ପାଳନ କରିବା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ସକାଳେ ମୋଦି ୭ ଟା୧୫ରେ ରାଜଘାଟ ଗସ୍ତ କରି ପ୍ରଥମେ ଜାତିରପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଏହା ପରେ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସମାଧୀସ୍ଥଳ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ଏବଂ ନାସନାଲ୍ ୱାର ମେମୋରିଆଲ୍ ଗସ୍ତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୋଦି ଶ୍ରଦ୍ଧାଂଜଳି ପ୍ରଦାନ ସମୟରେ ବିଜେପିର ନବନିର୍ବାଚିତ ପ୍ରାୟ ସାଂସଦ ଉପସ୍ଥିତ ଥିଲେ ।

ମୋଦିଙ୍କ ଶପଥଗ୍ରହଣ ପୂର୍ବରୁ ସଜେଇ ହୋଇଛି ରାଇସିନା ହିଲ୍ । ପୁରା ରଂଙ୍ଗୀନ୍ ଆଲୋକମାଲାରେ ନବ ବଧୂପରି ଲାଗୁଛି ରାଇସିନା ହିଲ୍ । ପ୍ରଧାନମନ୍ତ୍ରୀ ଭାବେ ମୋଦି ଦି୍ୱତୀୟ ଥର ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ଆୟୋଜନ କରାଯାଇଛି । ଏହି ପରି ସମୟରେ ସଜେଇ ହୋଇ ଅପେକ୍ଷା କରି ରହିଛି ରାଇସିନା ହିଲ୍ । ଅନ୍ୟପଟେ ନୂଆ ସଦସ୍ୟଙ୍କୁ ମଧ୍ୟ ଅପେକ୍ଷା କରି ରହିଛି ସଂସଦ ଭବନ । ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆଗରୁ ସଜେଇ ହୋଇଯାଇଛି ସଂସଦ ଭବନ । ଚାରିଆଡେ ରଙ୍ଗିନ୍ ଆଲୋକମାଳା । ରାତିରେ ଝିଲମିଲ୍ ଆଲୁଅରେ ରାଇସିନା ହିଲ୍ ଓ ସଂସଦ ଭବନର ଦୃଶ୍ୟ ଉପଭୋଗ କରିବାକୁ ହଜାର ହଜାର ଲୋକଙ୍କ ଭିଡ ଜମୁଛି । ଅନେକ ଲୋକ ସଜେଇ ହୋଇଥିବା ରାଇସିନା ହିଲର ଭବ୍ୟ ଦୃଶ୍ୟ ସହିତ ଫଟୋ ଉଠାଇବାକୁ ଭିଡ ଲଗାଇଥିବା ଦେଖିବାକୁ ମିଳିଛି ।

ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ଦେଶ ବିଦେଶର ପ୍ରାୟ ୬ ହଜାର ବିଶିଷ୍ଟ ଅତିଥି ଯୋଗ ଦେବେ । ପାକିସ୍ତାନ ବ୍ୟତୀତ ଅନ୍ୟ ପଡୋଶୀ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କୁ ଭାରତ ସରକାର ନିମନ୍ତ୍ରଣ କରିଛନ୍ତି । ସାର୍କ ଦେଶରେ ରହିଥିବା ରାଷ୍ଟ୍ର ସମୁହର ରାଷ୍ଟ୍ରନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ବାଂଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା, ମିଆଁମାର,ଥାଇଲ୍ୟାଣ୍ଡ, କିରଗିଜସ୍ଥାନ, ମାଳଦ୍ୱୀପ ଭଳି ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଉତ୍ସବରେ ସାମିଲ ହେଉଛନ୍ତି । ସେହିପରି ବିମଷ୍ଟେକ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି ମୋଦି । ବିଦେଶ ରାଷ୍ଟ୍ରମୁଖ୍ୟଙ୍କ ସମେତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ବି ନିମନ୍ତ୍ରଣ କରାଯାଇଛି । ବିଜେପି ଶାସିତ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆନ୍ଧ୍ରପ୍ରଦେଶର ଭାବି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପ୍ରମୁଖ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ ଏହି ଉତ୍ସବରେ ଯୋଗ ଦେବେ ।