ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ୋକ୍ତି : ଲୋକସଭା ନିର୍ବାଚନରେ କଂଗ୍ରେସ ଖାତାକୁ ଯିବ ୫୦ରୁ କମ୍ ସିଟ୍

310

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଖାତାକୁ ଯିବ ମାତ୍ର ୫୦ଟି ସିଟ୍ । ଏକଥା ଆମେ ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ମୁମ୍ବାଇରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଗତକାଲି ଏକ ରାଲିରେ ଉଦବୋଧନ ଦେବା ସମୟରେ ଏପରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ହେଲେ ନିଜ ମନ୍ତବ୍ୟକୁ ଏକ ସର୍ଭେ ରିପୋର୍ଟର ରୂପ ଦେଇଛନ୍ତି ମୋଦି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଭୋଟ ବରବାଦ ନକରି, ଯେଉଁ ପାର୍ଟି ଶାସନ ଭାର ସମ୍ଭାଳିବ ତାଙ୍କୁ ଭୋଟ ଦିଅ ବୋଲି କହିଛନ୍ତି ମୋଦି । ନିଜର ବହୁମୂଲ୍ୟ ଭୋଟ ଦେଇ ଶାସନକୁ ଆସୁଥିବା ପାର୍ଟିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମୋଦି ।

ପ୍ରଥମ ଥର ଭୋଟ ଦେଉଥିବା ଭୋଟର ଓ ଯୁବପୀଢ଼ି ମୋଦିଙ୍କୁ କାହିଁକି ପସନ୍ଦ କରୁଛନ୍ତି ? ଏପରି ବିରୋଧୀଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି ବୋଲି କହିଛନ୍ତି ମୋଦି । ନୂଆପୀଢ଼ି ଭୋଟରଙ୍କର ମୋଦି ସରକାର ଉପରେ ଭରସା ରହିଛି । ସେମାନଙ୍କ ଆଶାକୁ ଅଭିବ୍ୟକ୍ତ କରିବାରେ ମୋଦି ସରକାର ଚ୍ଷେଟାରତ ବୋଲି ସେମାନଙ୍କୁ ଭଲଭାବେ ଜଣା । ଯୁବପୀଢ଼ି ୨୦୪୭ର ଭାରତକୁ ଦେଖୁଛନ୍ତି । ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଯୁବପୀଢ଼ିଙ୍କ ମନରେ ଅନେକ ଆଶା ଓ ଆକାଂକ୍ଷା । ହେଲେ କିଛି ଲୋକ ଆଜି ବି ୨୦ ତମ ଶତାଦ୍ଦୀରେ ଅଛନ୍ତି । ତାଙ୍କର ଚିନ୍ତାଧାରା ସେତିକିରେ ସୀମିତ ହୋଇ ରହିଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କଂଗ୍ରେସର ଅନ୍ୟ ନାମ ଭ୍ରମ । ମୋଦି ଅଭିଯୋଗ କରିଛନ୍ତି, କଂଗ୍ରେରର ଘୋଷଣାପତ୍ରର ମଧ୍ୟମ ବର୍ଗର ନାମ ହିଁ ନାହିଁ । ଏହି ଦଳର କିଛି ନେତା ମଧ୍ୟମ ବର୍ଗକୁ ସ୍ୱାର୍ଥୀ ଓ ଲୋଭୀ ବୋଲି ଦର୍ଶାଉଛନ୍ତି । କଂଗ୍ରେସ ଶାସନରେ ଥିବାବେଳେ ପୋଲିସକର୍ମୀଙ୍କୁ ଅଣଦେଖା କରୁଥିଲା । ପୋଲିସକୁ ପଞ୍ଚିଂ ବ୍ୟାଗ ପରି ବ୍ୟବହାର କରୁଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।