କରୋନା ଯୋଦ୍ଧାଙ୍କୁ ମୋଦିଙ୍କ ସମ୍ବୋଧନ । କହିଲେ, ସାରା ବିଶ୍ୱ ଆଜି କଠିନ ସ୍ଥିତି ଦେଇ ଗତି କରୁଛି । ମାନବତାର ସେବା କରୁଥିବା ସମସ୍ତଙ୍କୁ ପ୍ରଣାମ । ସଙ୍କଟର ଏହି ନିରାଶା ସମୟରେ ସହାୟତା ଜରୁରୀ ।

321

କନକ ବ୍ୟୁରୋ : କରୋନା ପ୍ରକୋପ ମଧ୍ୟରେ ନିଜ ଜୀବନକୁ ପାଣି ଛଡ଼ାଇ ଫ୍ରଣ୍ଟଫୁଟରେ ଲଢ଼ୁଥିିବା ଯୋଦ୍ଧାଙ୍କୁ ସାରା ବିଶ୍ୱ ପ୍ରଣାମ କରୁଛି । ଆଉ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି , ଆଉ ଏଥିରେ ଦୁନିଆର ଅନେକ ନେତା ସାମିଲ ଥିଲେ । ଏହି କାର୍ଯ୍ୟକ୍ରମରେ କରୋନା ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ କରିଛନ୍ତି ।

ମୋଦି କହିଛନ୍ତି, ସାମୂହିକ ଉଦ୍ୟମରେ ଦେଶର ବିପଦ ହଟିବ । ସଂକ୍ରମିତଙ୍କୁ ଆରୋଗ୍ୟ କରିବା ଏବଂ ପରିଚ୍ଛନ୍ନତା ବଜାୟ ରଖିବାକୁ ନିଜ ସୁଖକୁ ଜଳାଞ୍ଜଳି ଦେଇ ୨୪ ଘଣ୍ଟା ଖଟୁଛନ୍ତି କରୋନା ଯୋଦ୍ଧା । ଦେଶର ପରିସ୍ଥିତି ବର୍ତମାନ ଅଲଗା ।  ସମସ୍ତଙ୍କ ଗହଣକୁ ଯିବା ଆନନ୍ଦର ବିଷୟ, କିନ୍ତୁ ସେଥିପାଇଁ ବର୍ତ୍ତମାନର ପରିସ୍ଥିତି ଅନୁକୂଳ ନୁହେଁ । ସେହି କାରଣରୁ ସଙ୍କଟକୁ ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସିଂରେ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ପଡୁଛି ।

ଆଜିର ପରିବର୍ତିତ ପରିସ୍ଥିତିରେ କିଛି ସଂକଳ୍ପ ନେବାର ସମୟ ଆସିଛି । ଭଗବାନ ବୁଦ୍ଧ ଭାରତର ସଂସ୍କୃତି ଓ ପରମ୍ପରାକୁ ସୁଦୃଢ କରିଛନ୍ତି । ବୁଦ୍ଧଙ୍କ ଜୀବନୀ ଏବେ ବି ପ୍ରେରଣାଦାୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଆମର ଲକ୍ଷ୍ୟ ସମୟ ସହ ବଦଳୁଛି । ଆମକୁ ଏହି ସମୟରେ ସେବାଭାବ ପ୍ରଦର୍ଶନ କରିବାକୁ ପଡିବ । ଆଉ ସେବାଭାବରେ କରାଯାଉଥିବା କାମ ସର୍ବଦା ସଫଳ ଦେଇଥାଏ ।