୬ କୋଟି କୃଷକଙ୍କୁ ମିଳିବ ନୂଆବର୍ଷ ଭେଟି : ନରେନ୍ଦ୍ର ମୋଦି ଆଜି ଜାରି କରିବେ ପିଏମ୍ କିଷାନ୍ ଯୋଜନାର ତୃତୀୟ କିସ୍ତି

1,253

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୃଷକଙ୍କୁ ଦେବେ ନବବର୍ଷ ଭେଟି । ଆଜି ପିଏମ୍ କିଷାନ୍ ଯୋଜନାର ତୃତୀୟ କିସ୍ତି ଜାରି ହେବ । ତେବେ ଏଥିରେ ପାଖାପାଖି ୬କୋଟି ଚାଷୀ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଚାଷୀମାନଙ୍କୁ ଡିସେମ୍ବର ମାସର କିସ୍ତି ରୂପରେ ୧୨,୦୦୦ କୋଟି ଟଙ୍କା ପ୍ରଦାନ କରିବେ ।  ଆଜି କର୍ଣ୍ଣାଟକ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି, ଚାଷୀମାନଙ୍କୁ ସମ୍ମାନିତ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଠାରୁ ୨ ଦିନିଆ କର୍ଣ୍ଣାଟକ ଗସ୍ତ କରୁଛନ୍ତି ।  ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଅନେକଗୁଡ଼ିକ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ଆଜି ତୁମକୁରସ୍ଥିତ ଶ୍ରୀ ସିଦ୍ଧଗଙ୍ଗା ମଠକୁ ଯିବେ । ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ –କିଷାନ ସମ୍ମାନ ନିଧି ଯୋଜନାରେ ଜଣେ ଚାଷୀକୁ ବର୍ଷକୁ ୬,୦୦୦ଟଙ୍କା ମିଳିଥାଏ । ତିନୋଟି କିସ୍ତି ହିସାବରେ ଏହି ଅର୍ଥରାଶି ପ୍ରଦାନ କରାଯାଉଛି । ପ୍ରତ୍ୟେକ କିସ୍ତିରେ ଚାଷୀଙ୍କୁ ୨୦୦୦ଟଙ୍କା ଲେଖାଏଁ ମିଳେ । କେନ୍ଦ୍ର ସରକାର ଏହି ଯୋଜନାକୁ ଗତବର୍ଷ ଡିସେମ୍ବର ମାସରୁ ଦେଶରେ ଲାଗୁ କରିଥିଲେ । ୨୯ଡିସେମ୍ବର ପର୍ଯ୍ୟନ୍ତ ପାଖାପାଖି ୯.୨କୋଟି ଚାଷୀଙ୍କ ଡାଟା ସଂଗ୍ରହ କରାଯାଇଛି । ସେହିଭଳି ଉତ୍ତରପ୍ରଦେଶରେ ମୋଟ ୨.୪କୋଟି ଚାଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨କୋଟି ଚାଷୀଙ୍କର ଡାଟା ସଂଗ୍ରହ କରାଯାଇଛି । ଗତବର୍ଷ ତକ୍ରାଳୀନ ଅର୍ଥ ମନ୍ତ୍ରୀ ପୀୟୁଷ ଗୋଏଲ ମଧ୍ୟବର୍ତ୍ତୀକାଳୀନ ବଜେଟରେ ଏହି ଡାଇରେକ୍ଟ-ବେନିଫିଟ ଟ୍ରାନ୍ସଫର ସ୍କିମର ଘୋଷଣା କରିଥିଲେ ।

ସୂଚନା ଅନୁସାରେ, ପଶ୍ଟିମବଙ୍ଗର ୭୦ ଲକ୍ଷ ଚାଷୀ ଏହି ଯୋଜନାରୁ ବଞ୍ଚିତ ହେବେ । କାରଣ ପଶ୍ଟିମବଙ୍ଗର ଚାଷୀମାନେ ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ସାମିଲ ହୋଇନାହାନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଯୋଜନାକୁ ବିରୋଧ କରି ନିଜ ରାଜ୍ୟରେ ଲାଗୁ କରିନାହାନ୍ତି ।