କନକ ବ୍ୟୁରୋ : ଦୀର୍ଘ ବର୍ଷ ପରେ ପୁରଣ ହେଲା ସିକିମବାସୀଙ୍କ ସ୍ୱପ୍ନ । ୪ହଜାର ୫ଶହ ଫୁଟ ଉଚ୍ଚରେ ସକିିମର ପ୍ରଥମ ବିମାନ ବନ୍ଦରକୁ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଦେଶରେ ବିମାନ ବନ୍ଦରର ସଂଖ୍ୟା ଶହେରେ ପହଂଚିଛି । ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଉପସ୍ଥିତ ଥିଲେ । ବିମାନବନ୍ଦର ଉଦଘାଟନ ପରେ ମୋଦି ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ।
/kanak/media/post_attachments/wp-content/uploads/2018/09/modi-300x162.jpg)
ମୋଦି ନିଜ ଅଭିଭାଷଣରେ ସିକିମର ସୌନ୍ଦର୍ଯ୍ୟତା ଓ ପ୍ରାକୃତିକ ପରିବେଶକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଆଜିର ଦିନ ସିକିମ ପାଇଁ ତଥା ଦେଶ ପାଇଁ ଏକ ଐତିହାସିକ ଦିନ । ସିକିମ ବିମାନବନ୍ଦରକୁ ମିଶାଇଲେ ପୁରା ଭାରତରେ ବିମାନବନ୍ଦର ସଂଖ୍ୟା ୧୦୦ରେ ପହଁଚିଛି । ତେବେ ଉଦଘାଟନୀ ସଭାରେ ମୋଦି କହିଛନ୍ତି ଆମେ ପ୍ରତି ବର୍ଷ ୯ଟି ଏୟାରପୋର୍ଟ ହିସାବରେ ୪ ବର୍ଷରେ ୩୫ ଟି ଏୟାରପୋର୍ଟ ତିଆରି କରିସାରିଛୁ । ପୂର୍ବରୁ ୬୫ ବର୍ଷରେ ମାତ୍ର ୬୫ ଟି ହିଁ ଏୟାରପୋର୍ଟ ତିଆରି ହୋଇଥିଲା ।
ସିକିମ ଏୟାରପୋର୍ଟ ଦ୍ୱାରା ବ୍ୟବସାୟ ପାଇଁ ଏକ ନୂଆ ବାଟ ଫିଟିଛି । ବ୍ୟବସାୟ ସହ ସିକିମ ପର୍ଯ୍ୟଟନର ମଧ୍ୟ ପ୍ରଚାର ପ୍ରସାର ହେବ । ସିକିମ ଏକ ପର୍ଯ୍ୟଟନସ୍ଥଳୀ । ଏଠାକୁ ଅଧିକରୁ ଅଧିକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ତେଣୁ ବିମାନବନ୍ଦର ଯୋଗୁଁ ଆହୁରି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ୨୦୦୯ ମସିହାରେ ବିମାନବନ୍ଦର ପାଇଁ ଶିଳାନ୍ୟାସ କରାଯାଇଥିଲା । ତେବେ ଦୀର୍ଘ ୯ବର୍ଷ ପରେ ଆଜି ଏହାର ଉଦଘାଟନୀ ହୋଇଛି । ଗାଙ୍ଗଟକଠାରୁ ୩୩ କିଲୋମିଟର ଦୂରରେ ରହିଛି ଏହି ବିମାନବନ୍ଦର ।
ସେପଟେ ସିକିମ ଗସ୍ତରେ ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ନିଜ ଟୁଇଟରରେ ସିକିମ ର କିଛି ଫଟୋ ସେୟାର କରିଥିଲେ । ମୋଦି ହେଲିକପ୍ଟରରେ ଥିବାବେଳେ ଆକାଶ ମାର୍ଗରୁ ଏହି ଫଟୋ ଉଠାଇଥିଲେ ଏବଂ ନିଜ ଟୁଇଟର ପେଜରେ ଏହାକୁ ପୋଷ୍ଟ କରିଥିଲେ । ୪ଟି ଫଟୋ ପୋଷ୍ଟ କରି ମୋଦି ଲେଖିଛନ୍ତି ,ଏହା ହେଉଛି ଶାନ୍ତ ଓ ନିର୍ମଳ ଏବଂ ଚମକ୍ରାର ।