ମୋଦି ସରକାରଙ୍କ ୨.୦ର ପ୍ରଥମ ବର୍ଷ ପୂରିଲା । ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଲେଖିଲେ ଚିଠି । ଆତ୍ମନିର୍ଭରଶୀଳ ହେବାକୁ ଦେଲେ ଆହ୍ୱାନ । କହିଲେ, ବିପର୍ଯ୍ୟୟ ନୁହେଁ, ଆମେ ସ୍ଥିର କରିବୁ ଦେଶର ଭବିଷ୍ୟତ ।

865

କନକ ବ୍ୟୁରୋ : କରୋନା ସଂକଟ ଓ ତାଲାବନ୍ଦ ଭିତରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ଆଜି ପୂରିଛି ବର୍ଷେ । ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଚିଠିରେ ଗତ ଗୋଟିଏ ବର୍ଷରେ ସରକାରଙ୍କ ଉପଲବ୍ଧିକୁ ବର୍ଣ୍ଣନା କରିଛନ୍ତି ମୋଦି । ସେ ଲେଖିଛନ୍ତି ଯଦି ସାମାନ୍ୟ ସ୍ଥିତି ହୋଇଥାନ୍ତା, ତେବେ ସେ ଲୋକଙ୍କ ନିକଟକୁ ଆସିଥାନ୍ତେ । କିନ୍ତୁ ବିଶ୍ୱ ମହାମାରୀ କରୋନା କାରଣରୁ ଜଟିଳ ପରିସ୍ଥିତି ଉପଜିଥୁବାରୁ ଚିଠି ମାଧ୍ୟମରେ ଦେଶବାସୀଙ୍କ ଆଶୀର୍ବାଦ ଲୋଡିଛନ୍ତି । କେନ୍ଦ୍ରରେ ପ୍ରଥମ ପାଳିର ୫ ବର୍ଷ ଓ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଭିତରେ ଦେଶ ତଥା ଦେଶବାସୀଙ୍କ ଉନ୍ନତି ପାଇଁ ସରକାର ନେଇଥିବା ପଦକ୍ଷେପକୁ ଗୋଟିଗୋଟି କରି ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଥମ ପାଳିରେ ଦେଇଥିବା ପ୍ରତିଶ୍ରୁତି, ଦ୍ୱିତୀୟ ପାଳି ଆରମ୍ଭରୁ ପୂରଣ କରିଛନ୍ତି ସରକାର । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଛି । ତିନି ତଲାକ ବ୍ୟବସ୍ଥାକୁ ବେଆଇନ ସିଦ୍ଧ କରିବାରେ ସରକାର ପଦକ୍ଷେପ ନେଇଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ପରିସ୍କାର ହୋଇଛି । ସେହିପରି ନାଗରିକତା ସଂଶୋଧନ ଆଇନରେ ପରିବର୍ତନ ମଧ୍ୟ ମୋଦି ସରକାରଙ୍କ ବଡ ଉପଲବ୍ଧି । ଏବେ ବିଶ୍ୱ ମହାମାରୀ କରୋନା ଦେଶବାସୀଙ୍କ ଆଗରେ ବଡ ଆହ୍ୱାନ ହୋଇଛି । ଦେଶର ଅର୍ଥ ବ୍ୟବସ୍ଥା ଦୋହଲି ଯାଇଥିବାବେଳେ ଆତ୍ମନିର୍ଭର ଭାରତ ପାଇଁ ଆହ୍ୱାନ ଦେଇଛନ୍ତି ମୋଦି । ଭାରତୀୟଙ୍କ ପରିଶ୍ରମ ଓ ପ୍ରତିଭା ବଳରେ ଆମଦାନୀ ଉପରେ ନିର୍ଭରଶୀଳ ନହୋଇ ଆତ୍ମନିର୍ଭରଶୀଳତା ଦିଗରେ ଆଗକୁ ବଢିବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି ମୋଦି ।

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ବାଣ ଫୁଟିବ ନାହିଁ, ଫୁଲବର୍ଷା ହେବନାହିଁ । ତୋରଣ ସଜାଯିବ ନାହିଁ କିମ୍ବା ସଭା ସମିତିରେ ଏକାଠି ହେବେନି କର୍ମୀ । କରୋନା ମହାମାରୀର ସଂକଟ ଭିତରେ ବର୍ଷପୂର୍ତି ଉତ୍ସବକୁ ଜିଡିଟାଲ କରିବାକୁ ପ୍ରସ୍ତୁତି ହୋଇଛି । ୭ଶହ ୫୦ ଭର୍ଚୁଆଲ ରାଲି ଓ ହଜାରେ ଭର୍ଚୁଆଲ ସଭା କରିବ ବିଜେପି । ପ୍ରାୟ ୧୦ କୋଟି ଘରେ ପହଂଚିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତଲେଖା ଚିଠି । ପୂର୍ବ ଘୋଷଣା ମୁତାବକ ଦେଶକୁ ଆତ୍ମ-ନିର୍ଭରଶୀଳ କରିବା ପାଇଁ ମୋଦିଙ୍କ ବାର୍ତା ସହିତ, କରୋନା ବିରୋଧୀ ଲଢେଇ ପାଇଁ ରହିଛି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ।

ଗତବର୍ଷ ମେ’ ୩୦ରେ ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି । ମେ ୨୩ରେ ରେକର୍ଡ ୩୦୩ ଲୋକସଭା ଆସନ ଜିତି କ୍ଷମତା ବଜାୟ ରଖିଥିଲା ଭାରତୀୟ ଜନତା ପାର୍ଟି । ସରକାରଙ୍କ ବର୍ଷପୂର୍ତିରେ ଆଜି ଅପରାହ୍ନରେ ଫେସବୁକ ଲାଇଭ କରି କର୍ମୀଙ୍କୁ ସମ୍ବୋଧିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଲୋକଙ୍କୁ ମାସ୍କ ଓ ସାନିଟାଇଜର ବାଂଟିବେ ବିଜେପି କର୍ମୀ । ଦ୍ୱିତୀୟ ପାଳି ଆରମ୍ଭରୁ ମୋଦି ସରକାରଙ୍କ ଉପଲବ୍ଧି ସବୁ ଘରେ ଘରେ ପହଂଚିବ ।