ଚୀନ୍ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ବୁହାନରେ ଅନୌପଚାରିକ କଥାବାର୍ତ୍ତା

28

କନକ ବ୍ୟୁରୋ : ଚୀନ୍ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନର ହୁବେଇ ପ୍ରଦେଶ ବୁହାନ ସହରର ସଂଗ୍ରହାଳୟରେ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଭେଟ ହୋଇଛି । ମୋଦି-ଜିନପିଙ୍ଗଙ୍କ ଏହି ସାକ୍ଷାତକୁ ଆହୁରି ସ୍ମରଣୀରୟ କରିବା ପାଇଁ ମ୍ୟୁଜିୟମ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛି ଚୀନ । ଦୁଇ ନେତାଙ୍କ ସମ୍ମୁଖରେ ଚୀନର ପାରମ୍ପରିକ ନୃତ୍ୟକୁ ପରିବେଷଣ କରିଥିଲେ ଚୀନର ନୃତ୍ୟଶିଳ୍ପୀ । ମୋଦିଙ୍କୁ ଚୀନରେ ଲାଲ କାର୍ପେଟରେ ସ୍ୱାଗତ କରାଯାଇଛି । ମୋଦିଙ୍କ ଏହି ୨ଦିନିଆ ଗସ୍ତ କାଳରେ ବିଭିନ୍ନ ପର୍ଯ୍ୟାୟରେ ୬ଥର ଦୁଇ ନେତା ପରସ୍ପରକୁ ଭେଟିବେ ।

ଏହି ଭେଟ ସମୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ମୋଦି- ଜିନପିଙ୍ଗ୍ । ବିଶ୍ୱର ଦୁଇ ପ୍ରମୁଖ ଶକ୍ତି ହୋଇଥିବାରୁ ମୋଦିଙ୍କ ଏହି ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି । ମୋଦି କ୍ଷମତାକୁ ଆସିବା ପରେ ଏହା ଚୀନଙ୍କୁ ତାଙ୍କର ପଂଚମ ଗସ୍ତ । ତେବେ ଡୋକଲାମ ବିବାଦ ପରେ ଏହା ମୋଦିଙ୍କର ପ୍ରଥମ ଗସ୍ତ । ସେହିପରି ଜିନପିଙ୍ଗ୍ ୨୦୧୪ରେ ଭାରତ ଗସ୍ତରେ ଆସିଥିଲେ । ଗତବର୍ଷ ଡୋକଲାମ ଗତିରୋଧ ଯୋଗୁଁ ପ୍ରାୟ ୭୩ଦିନ ଧରି ଉଭୟ ଦେଶର ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ସମ୍ପର୍କରେ ବେଶ ତିକ୍ତତା ଦେଖାଯାଇ ଥିଲା । ତେବେ ଏହି ବୈଠକ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିବ ବୋଲି ଆଶା କରାଯାଉଛି ।