ଅପ୍ରେଲ ୨୭ରେ କରୋନା ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ : ଭିଡିଓ କନଫରେନ୍ସିଂରେ ସବୁରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ସାମିଲ,ଆସନ୍ତା ସୋମବାର ସବୁ ରାଜ୍ୟମୁୁଖ୍ୟଙ୍କ ସହ ଆଲୋଚନା ପରେ ତାଲାବନ୍ଦ ହଟିବ ନା ଅବଧି ବଢାଯିବ ନିଆଯିବ ନିଷ୍ପତ୍ତି

1,302

କନକ ବ୍ୟୁରୋ : ତାଲାବନ୍ଦ ମେ ୩ ପରେ ବଢିବ ନା ହଟିବ । ଏନେଇ ଆସନ୍ତା ସୋମବାରକୁ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପ୍ରେଲ ୨୭ ତାରିଖରେ ଭିଡିଓ କନଫରେନ୍ସିଂରେ ପୁଣି ଥରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ ବୋଲି ସୂଚନା ମିଳିଛି ।

ପୂର୍ବରୁ ଅପ୍ରେଲ ୧୧ରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ କରୋନା ସ୍ଥିତିକୁ ନେଇ ବିଚାରବିମର୍ଶ କରିଥିଲେ । ଏହାପରେ ତାଲାବନ୍ଦ ଅବଧି ବଢାଇକୁ ନେଇ ସହମତି ମିଳିଥିଲା । ସମସ୍ତଙ୍କ ସହମତି ପରେ ୧୪ ଅପ୍ରେଲରେ ସରୁଥିବା ତାଲାବନ୍ଦ ଅବଧିକୁ ମେ ୩ ଯାଏଁ ବଢାଇ ଦେଇଥିଲେ ପ୍ରଧାନମନ୍ତ୍ରୀ । ତେଣୁ ଏଥର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ତାଲାବନ୍ଦ ଅବଧି ବଢିବା ନେଇ ଆକଳନ କରାଯାଉଛି । କାରଣ ମେ ୨୩-୨୪ରେ ଇସଲାମ ଉତ୍ସବ ରମଜାନ ଶେଷ ହେବ । ତେଣୁ ଆଶଙ୍କା କରାଯାଉଛି ସଂପୃକ୍ତ ସମୁଦାୟର ଲୋକେ ଉତ୍ସବର ଉତ୍ସାହରେ ବଜାରକୁ ବାହାରିବେ, ପରସ୍ପର ସହ ମିଳାମିଶା କରିବେ, ଆଉ ଇଫତାର ପାର୍ଟି ଭଳି ଗହଳଚହଳ ଆୟୋଜନରେ କରୋନା ସଂକ୍ରମଣର ଭୟ ରହିବା ସ୍ୱାଭାବିକ ।

ସେପଟେ ମୌଲାନା ଆଜାଦ ରାଷ୍ଟ୍ରୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରମଜାନ ଶେଷ ଯାଏଁ ତାଲାବନ୍ଦ ଅବଧି ବଢାଇବାକୁ ଅନୁରୋଧ କରିଛନ୍ତି । ଦେଶରେ କରୋନା ସଂକଟର ମୁକାବିଲା ପାଇଁ ମିଳିତ ରଣନୀତି ପ୍ରସ୍ତୁତ କରିବା ପାଇଁ ପୂର୍ବରୁ ଦୁଇଥର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିସାରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମେ ମାର୍ଚ୍ଚ ୨୦ରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ମାର୍ଚ୍ଚ ୨୪ରୁ ୧୪ ଅପ୍ରେଲ ଯାଏଁ ତାଲାବନ୍ଦ ଘୋଷଣା କରାଯାଇଥିଲା । ଏହାପରେ ୧୧ ଅପ୍ରେଲରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଚାରବିମର୍ଶ ପରେ ଅପ୍ରେଲ ୧୪ରେ ଶେଷ ହେବାକୁ ଥିବା ତାଲାବନ୍ଦକୁ ମେ ୩ ଯାଏଁ ବଢାଯାଇଥିଲା ।

ଏବେ ୨୭ ତାରିଖରେ ବୈଠକରେ କଣ ନିଷ୍ପତି ନିଆଯିବ ତାଉପରେ ସାରା ଦେଶର ନଜର ରହିଛି । ଅନ୍ୟପଟେ ଦେଶର କିଛି ବିଶେଷଜ୍ଞ, ଗବେଷକଙ୍କ ମତ ଲକଡାଉନ ହଟାଇ ୬୦ରୁ କମ ବୟସର ଲୋକଙ୍କୁ ସ୍ୱାଭାବିକ ଜୀବନଯାତ୍ରା ଆରମ୍ଭ ପାଇଁ ଅନୁମତି ଦିଆଯାଉ ।