ଆଜିଠାରୁ ଡାକଘରେ ପାଇପାରିବେ ବ୍ୟାଙ୍କ୍ ସେବା : ଜାଣନ୍ତୁ କିପରି ଲାଭବାନ ହେବେ ଆପଣ ?
ଆଜିଠାରୁ ଆମର ପରିଚିତ ଡାକଘର ଏକ ବ୍ୟାଙ୍କରେ ପରିଣତ ହୋଇଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ତାଲକୋତରା ଷ୍ଟାଡିୟମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିବେ । ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ୧ ସେପ୍ଟେମ୍ବର ଅର୍ଥାତ ଆଜି ଠାରୁ ଘରେ ଘରେ ବ୍ୟାଙ୍କ ସେବା ଯୋଗାଇବ । ଦୂରସଂଚାର ମନ୍ତ୍ରୀ କହିଛନ୍ତି ଏବେ ପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷ ଖାତା ଖୋଲାସରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉଦ୍ଦେଶ୍ୟକୁ ଦ୍ରୁତ ଗତିରେ ଆଗେଇ ନେବା ଦିଗରେ ଆଇପିପିବିକୁ ଜନସାଧାରଣଙ୍କ ପାଇଁ ଏକ ସହଜ, ସୁଲଭ ଓ ବିଶ୍ୱସନୀୟ ବ୍ୟାଙ୍କ ଭାବେ ପରିକଳ୍ପନା କରାଯାଇଛି । ଏହା ଡାକ ବିଭାଗର ବିଶାଳ ନେଟୱାର୍କର ସହାୟତା ନେବ, ଯାହାକି ୩ ଲକ୍ଷ ପୋଷ୍ଟମ୍ୟାନ ଏବଂ ଗ୍ରାମୀଣ ଡାକ ସେବକଙ୍କୁ ନେଇ ଗଠିତ ଏବଂ ଦେଶର ପ୍ରତିଟି ଅଂଚଳକୁ ଅନ୍ତର୍ଭୁକ୍ତ କରିବ । ଏହିପରି ଆଇପିପିବି ଭାରତରେ ବ୍ୟାଙ୍କିଂ କ୍ଷେତ୍ରର ପହଂଚକୁ ବ୍ୟାପକ ଭାବେ ବୃଦ୍ଧି କରିବ । ଦ୍ରୁତ ଗତିରେ ବିକଶିତ ହେଉଥିବା ଭାରତର ଲାଭକୁ ଆମ ଦେଶର ଦୁର୍ଗମ ଅଂଚଳରେ ପହଂଚାଇବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ କ୍ଷେତ୍ରରେ ଆଇପିପିବିର ଶୁଭାରମ୍ଭ ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।
ଆଜି ଦେଶବ୍ୟାପୀ ଆଇପିପିବିର ୬୫୦ଟି ଶାଖା ଏବଂ ୩୨୫୦ଟି ଏକ୍ସେସ ପଏଣ୍ଟ ଖୋଲାଯିବ । ଏକାସଙ୍ଗେ ଉକ୍ତ ଶାଖା ଏବଂ ଏକ୍ସେସ ପଏଣ୍ଟଗୁଡ଼ିକରେ ଶୁଭାରମ୍ଭ କରାଯିବ । ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଦେଶର ସମଗ୍ର ୧.୫୫ ଲକ୍ଷ ପୋଷ୍ଟ ଅଫିସକୁ ଆଇପିପିବି ସିଷ୍ଟମ ଦ୍ୱାରା ସଂଯୁକ୍ତ କରାଯିବ । ଆଇପିପିବି ଅନେକ ଉତ୍ପାଦ ସୁବିଧା ପ୍ରଦାନ କରିବ ଯେଉଁଥିରେ କି ସାମିଲ ରହିଛି ସଂଚୟ ତଥା ବର୍ତ୍ତମାନର ଏକାଉଣ୍ଟ, ଅର୍ଥ ସ୍ଥାନାନ୍ତର, ସିଧାସଳଖ ଲାଭାଂଶ ସ୍ଥାନାନ୍ତର, ବିଲ ଓ ଆବଶ୍ୟକ ଦେୟ, ଏଣ୍ଟରପ୍ରାଇଜ ଓ ମର୍ଚ୍ଚାଂଟ ଦେୟ । ଏହି ଉତ୍ପାଦଗୁଡ଼ିକ ଏବଂ ଏଥିସହିତ ସମ୍ପର୍କିତ ସେବାଗୁଡ଼ିକୁ ବିବିଧ ଚ୍ୟାନେଲ (କାଉଣ୍ଟର ସେବା, ମାଇକ୍ରୋ-ଏଟିଏମ, ମୋବାଇଲ ବେଙ୍କିଂ ଆପ, ଏସଏମଏସ ଓ ଆଇଭିଆର) ମାଧ୍ୟମରେ ବ୍ୟାଙ୍କର ସ୍ୱଦେଶୀ ବୈଷୟିକ ଭିତ୍ତିଭୂମି ମାଧ୍ୟମରେ ପ୍ରଦାନ କରାଯିବ ।