ମୋଦିଙ୍କ ସାକ୍ଷାତକାରକୁ ନେଇ ସୋସିଆଲ ମିଡିଆରେ ସମାଲୋଚନା : କହିଲେ, ୧୯୮୮ରେ ଉଠାଇଥିଲେ ଡିଜିଟାଲ କ୍ୟାମେରାରେ ଫଟୋ, କରିଥିଲେ ଇ-ମେଲ୍

304

କନକ ବ୍ୟୁରୋ : ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିବାଦରେ ଫସିଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କାରଣ ସାକ୍ଷାତକାରରେ ମୋଦି କହିଛନ୍ତି ଯେ, ୧୯୮୭-୮୮ରେ ସେ ପ୍ରଥମେ ଡିଜିଟାଲ କ୍ୟାମେରାରେ କଲର ଫଟୋ ଉଠାଇଥିଲେ ଏବଂ ତାହାକୁ ଇ-ମେଲ ଜରିଆରେ ଦିଲ୍ଲୀ ପଠାଇଥିଲେ । ସାକ୍ଷାତକାରରେ ମୋଦି ଦାବି କରିଛନ୍ତି ଯେ, ସେତେବେଳେ ଗୁଜରାଟ୍ ବିରାମଗାମ ତହସିଲରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ଏକ ସଭା କାର୍ଯ୍ୟକ୍ରମ ଥିଲା । ଏବଂ ସେହି କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ନିଜ ଡିଜିଟାଲ କ୍ୟାମେରାରେ ଆଡଭାନୀଙ୍କ କଲର ଫଟୋ ଉଠାଇବା ସହ ଏହାକୁ ଦିଲ୍ଲୀ ଇ-ମେଲ କରିଥିଲେ । ଫଟୋଟି ଖବରକାଗଜରେ ବାହାରିବା ପରେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏଲକେ ଆଡଭାନୀ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଦାବିକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ ହେବାରେ ଲାଗିଛି । ବିଶେଷ କରି ୧୯୮୭-୮୮ ମସିହାରେ ମୋଦି ଡିଜିଟାଲ କ୍ୟାମେରାରେ କଲର ଫଟୋ ଉଠାଇବାକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି । ବ୍ରହ୍ମୋପିସାଚ ହଂଟର ନାଁରେ ଏହି ଟ୍ୱିଟର ହ୍ୟାଣ୍ଡେଲ ଏକ ଫଟୋ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦାବିକୁ ଖଣ୍ଡନ କରିଛି । ଏଥିରେ ଲେଖାଅଛି ଯେ, ନ୍ୟାଥେନିଲ ବୋରେନଷ୍ଟେନ୍ ୧୯୯୨ରେ ପ୍ରଥମଥର ଏକ ଫଟୋକୁ ଇ-ମେଲ ଆଟାଚମେଂଟ ଆକାରରେ ପଠାଇଥିଲେ । ଏବଂ ମଲ୍ଟି ପର୍ପସ ମେଲ ଏକ୍ସଟେନସନ୍ ବା ଏମଆଇଏମଇ ଷ୍ଟାଣ୍ଡାର୍ଡର ଆବିଷ୍କାର କରିଥିଲେ । ଭାରତରେ ପ୍ରଥମ ଡିଜିଟାଲ କ୍ୟାମେରା ବିକ୍ରି ୧୯୯୦ରେ ଆରମ୍ଭ ହେଲା । ଲଗିଟେକ୍ ଫୋଟୋମ୍ୟାନ୍ ଦ୍ୱାରା କ୍ୟାମ୍ ମଡେଲ ୱାନର ଏକ ଗ୍ରେ ଭର୍ସନ ପ୍ରଥମେ ବଜାରକୁ ଆସିଲା । ସେହିପରେ ଭାରତରେ ୧୪ ଅଗଷ୍ଟ ୧୯୯୫ରେ ଇଂଟରନେଟ୍ ସେବା ଆରମ୍ଭ ହେଲା ବୋଲି ମଧ୍ୟ ସେ ଦାବି କରିଛନ୍ତି ।

ଘରୋଇ ନ୍ୟୁଜ ଚ୍ୟାନେଲରେ ମୋଦି କରିଥିବା ଦାବିକୁ ନେଇ ରାଜନେତାଙ୍କଠୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସାମାଜିକ କର୍ମା ସମାଲୋଚନା କରିବା ଆରମ୍ଭ କରିଛନ୍ତି । କଂଗ୍ରେସ ଆଇଟି ସେଲ ମୁଖ୍ୟ ଦିବ୍ୟା ସ୍ପନ୍ଦନା ଟ୍ୱିଟ୍ କରି ସମାଲୋଚନା କରିଛନ୍ତି ଯେ, ୧୯୮୮ରେ ମୋଦିଙ୍କ ଇ-ମେଲ ଆଇଡି କ’ଣ ଥିବ? ସେହିପରି ଅର୍ଥନୀତିଜ୍ଞ ରୁପା ସୁବ୍ରମଣ୍ୟା ଲେଖିଛନ୍ତି ୧୯୮୮ ବେଳକୁ ବିକଶିତ ପଶ୍ଚିମ ରାଷ୍ଟ୍ରଗୁଡିକରେ ମଧ୍ୟ ଅଳ୍ପ କେତେକ ବୈଜ୍ଞାନିକ ଓ ବୁଦ୍ଧିଜୀବୀଙ୍କୁ ଇ-ମେଲର ବ୍ୟବହାର ଜଣାଥିଲା । ୧୯୯୫ରେ ଆମେରିକାରେ ଔପଚାରିକ ଭାବେ ଇ-ମେଲ ବ୍ୟବହାର ଆରମ୍ଭ ହୋଇଥିବାବେଳେ ଏହାର ଢେର ପୂର୍ବରୁ ୧୯୮୮ରେ ମୋଦିଙ୍କୁ ଇମେଲର ବ୍ୟବହାର ଜଣାଥିଲା ।