୨ ଦିନିଆ ଋଷ ଗସ୍ତରେ ପ୍ରଧାନମନ୍ତ୍ରୀ : ପୁଟିନଙ୍କୁ ସାକ୍ଷାତ କଲେ ମୋଦି, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା

347

କନକ ବ୍ୟୁରୋ : ୨ ଦିନିଆ ଋଷ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭ୍ଲାଡିଭୋଷ୍ଟକରେ ଋଷ ରାଷ୍ଟ୍ରମୁଖ୍ୟ ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି ମୋଦି । ଏହି ଅବସରରେ ମୋଦିଙ୍କୁ ସ୍ୱାଗତ କରିବା ସହ ଜାହାଜରେ ପରିଭ୍ରମଣ କରାଇଛନ୍ତି ପୁଟିନ୍ । ଦୁଇ ରାଷ୍ଟ୍ରନେତା ଜାହାଜରେ ବୁଲିବାର ଦୃଶ୍ୟ ମଧ୍ୟ ରହିଛି ଦେଖିବା ପରି । କାରଣ ଏହା ହିଁ ବୟାନ୍ କରୁଛି ଭାରତ ଓ ଋଷ ଦୁଇ ରାଷ୍ଟ୍ରମଧ୍ୟରେ ସଂପର୍କର ଗଭୀରତାକୁ । ମୋଦୀଙ୍କ ଋଷ ଗସ୍ତରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ଏହି ଆଲୋଚନାରେ ମୋଦି ଋଷ ସହିତ ଆଂଚଳିକ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବେ ।

ମୋଦିଙ୍କ ଏହି ଗସ୍ତ ଭାରତ ଓ ଋଷ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ଓ ବାଣିଜ୍ୟ କାରବାରକୁ ଅଧିକ ମଜବୁତ୍ କରିବ ବୋଲି ଆଶା କରାଯାଉଛି । ଆସନ୍ତାକାଲି ବିଶ୍ୱର ଅନ୍ୟ ନେତାଙ୍କ ସହିତ ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମ୍ ବୈଠକରେ ସାମିଲ ହେବେ । ଋଷରେ ଆୟୋଜିତ ହେଉଥିବା ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମ୍ ବୈଠକର ଏହା ହେଉଛି ପଂଚମ ସଂସ୍କରଣ । ଋଷର ଆମନ୍ତ୍ରଣରେ ମୋଦି ଏହି ବୈଠକରେ ମୁଖ୍ୟ ଅତିଥୀ ଭାବେ ଯୋଗଦେବେ । ଏହି ଗସ୍ତ କାଳରେ ମୋଦି ପୁଟିନଙ୍କ ସହିତ ୨୦ ତମ ଭାରତ-ଋଷିଆ ବାର୍ଷିକ ସମ୍ମିଳନୀରେ ମଧ୍ୟ ଯୋଗ ଦେବେ । ମୋଟ୍ ଉପରେ ମୋଦିଙ୍କ ଏହି ଗସ୍ତ ରେ ଋଷ ସହିତ ପ୍ରାୟ ୨୫ଟି ଚୁକ୍ତି ସ୍ୱାକ୍ଷର ହେବ ବୋଲି ସୂଚନା ମିଳିଛି ।