କନକ ବ୍ୟୁରୋ : ବିଦେଶରେ ବି ଓଡ଼ିଶାକୁ ପ୍ରଶଂସା । ଜାପାନରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନି କ୍ଷୟକ୍ଷତି ମୁକାବିଲା ଦିଗରେ ଓଡ଼ିଶା ସରକାରଙ୍କ କାମ ପ୍ରଶଂସନୀୟ । ଫୋନି ପୂର୍ବରୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ତଥା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଥଇଥାନ୍ କରିଥିବା କଥା ବିଦେଶରେ ଉଠାଇଲେ ମୋଦି । ବାତ୍ୟା ପୂର୍ବରୁ ସତର୍କ ହୋଇ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା କିଛି ଛୋଟ କଥା ନୁହେଁ । କାରଣ ବାତ୍ୟା ଖବର ପାଇବା ପରେ କୌଣସି ବି ଲୋକ ସହଜରେ ତାଙ୍କ ବାସଗୃହ ଛାଡ଼ି ଯିବାକୁ ମନ ବଳାଏ ନାହିଁ । ହେଲେ ଏଭଳି ସ୍ଥଳେ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀମାନେ ଐତିହାସିକ ସ୍ଥାନାନ୍ତରଣ ପ୍ରକ୍ରିୟା କରିଥିବାରୁ ଏତେ ଲୋକଙ୍କ ଜୀବନ ସୁରକ୍ଷିତ ରହିଛି ।
ଫନି କ୍ଷୟକ୍ଷତିକୁ ରୋକିବା ଦିଗରେ ଓଡ଼ିଶା ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜି-୨୦ ସମ୍ମିଳନୀ ପାଇଁ ଜାପାନ ଗସ୍ତରେ ଥିବା ମୋଦି ଜାପାନରେ ବସବାସ କରୁଥିବା ଭାରତୀୟଙ୍କ ସହିତ ଆଲୋଚନା କରିଥିଲେ । ଆଉ ସେଠାରେ ଓଡ଼ିଶା ସରକାରଙ୍କ ସଫଳ ବିପର୍ଯ୍ୟୟ ମୁକାବିଲା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଉପଯୁକ୍ତ ପଦକ୍ଷେପ ଯୋଗୁଁ ବାତ୍ୟା କ୍ଷୟକ୍ଷତିକୁ ରୋକା ଯାଇ ପାରିଲା । ଉପକୂଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବା ଦିଗରେ ଓଡ଼ିଶା ସରକାରଙ୍କ କାର୍ଯ୍ୟ ପ୍ରଶଂସନୀୟ । ବାତ୍ୟାରେ କ୍ଷତିଗ୍ରସ୍ତ ଓଡ଼ିଶାକୁ ଆକାଶ ମାର୍ଗରେ ପ୍ରଧାନମନ୍ତ୍ରୀ ସର୍ବେକ୍ଷଣ କରିଥିବା ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ନବୀନ ସରକାରଙ୍କୁ ଫୋନି ମୁକାବିଲା ନେଇ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କ ତୁରନ୍ତ ପଦକ୍ଷେପ ତଥା ତତ୍ପରତା ପାଇଁ ଅନେକ ଜୀବନ ବଂଚିଯାଇଥିଲା ବୋଲି କହିଥିଲେ । ଅନ୍ୟପଟେ ଫୋନି ପାଇଁ ୫ହଜାର କୋଟି ଆର୍ଥିକ ସହାୟତା ସହ ପ୍ରଭାବିତଙ୍କ ପାଇଁ ୫ଲକ୍ଷ ପକ୍କାଘର ଯୋଗାଇ ଦେବାକୁ ନବୀନ ମୋଦିଙ୍କ ନିକଟରେ ଦାବି କରିଥିଲେ । ରାଜ୍ୟ ସରକାରଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମୋଦି ।