ଆଜିଠାରୁ ଯୁକ୍ତଦୁଇ ପରୀକ୍ଷା ! ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେବେ ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀ

151

କନକ ବ୍ୟୁରୋ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷା ଆଜିଠାରୁ ଆରମ୍ଭ ହେବ । ପ୍ରଥମ ଦିନ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ଥିବା ବେଳେ ଶୁକ୍ରବାରଠାରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ । ମାଟ୍ରିକ୍‌ ପରୀକ୍ଷାରେ ପ୍ରତିଦିନ ପ୍ରଶ୍ନପତ୍ର ଭାଇରାଲ ହୋଇଥିବାରୁ ଯୁକ୍ତ୨ ପରୀକ୍ଷା ସମୟରେ ଯେମିତି ସେଭଳି ଘଟଣା ନ ହୁଏ ସେଥିପାଇଁ ପରୀକ୍ଷା ହଲକୁ ମୋବାଇଲ୍‌ ଏବଂ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି । ପ୍ରଶ୍ନପତ୍ର ଭାଇରାଲ୍‌ କିମ୍ବା ପରୀକ୍ଷା ଚାଲିଥିବା ସମୟରେ ଯଦି ଲିକ୍‌ ହୁଏ ତେବେ ସଙ୍ଗେ ସଙ୍ଗେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜେଲ୍‌ ସହ ଜରିମାନା ମଧ୍ୟ ହୋଇପାରେ ।

ଚଳିତବର୍ଷ ୧୫୫୬ଟି ଜୁନିଅର କଲେଜର ୩ଲକ୍ଷ ୬୯ହଜାର ୫୩୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର ହୋଇଛି । କଳା ବିଭାଗରେ ସର୍ବାଧିକ ୨ଲକ୍ଷ ୩୫ ହଜାର ୧୮୩ଜଣ, ବିଜ୍ଞାନରେ ୯୯ହଜାର ୧୮ଜଣ, ବାଣିଜ୍ୟରେ ୨୭ ହଜାର ୨୭୮ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୮ ହଜାର ୫୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାର ସୁପରିଚାଳନା ପାଇଁ ୨୦୨ଟି ହବ୍‌ ହୋଇଛି । ସମସ୍ତ ହବ୍‌ରେ ୨୪ ଘଣ୍ଟା ସୁରକ୍ଷା ବ୍ୟବସ୍ଥା ସହ ପୁଲିସ ମୁତୟନ କରାଯାଇଛି ।

ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ହବ୍‌ରୁ ପ୍ରଶ୍ନପତ୍ର ବାହାରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ । ବୁଧବାର ସନ୍ଧ୍ୟା ସୁଦ୍ଧା ୯୫୧ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି। ଆଉ ପ୍ରାୟ ୧୫୦ କେନ୍ଦ୍ରରେ ଭିତ୍ତିଭୂମି ଅଭାବରୁ ସିସିଟିଭି ଲାଗିପାରିନି । ଯେଉଁଠି ସିସିଟିଭି ଲାଗିନି ତାହାକୁ ସମ୍ବେଦନଶୀଳ କେନ୍ଦ୍ର ବୋଲି ଘୋଷଣା କରାଯାଇଛି । ‌ସେହି କେନ୍ଦ୍ରଗୁଡ଼ିକୁ ଅଧିକ ସଂଖ୍ୟକ ସ୍କ୍ବାଡ୍‌ ପଠାଇବାକୁ ନିଷ୍ପତ୍ତି ହୋଇଛି । ପରୀକ୍ଷା ସମ୍ପର୍କିତ ସୂଚନା ତଥା ଅଭିଯୋଗ ଲାଗି ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍‌(ନମ୍ବର ୦୬୭୪-୨୩୦୩୮୦୩ ଏବଂ ୦୬୭୪-୨୩୦୦୦୯୯) ଖୋଲାଯାଇଛି । ଯଦି କୌଣସି ପରୀକ୍ଷାର୍ଥୀ କିମ୍ବା ଅଭିଭାବକଙ୍କର ‌କିଛି ସମସ୍ୟା ଥିବ ‌ସେମାନେ ଉକ୍ତ ନମ୍ବରରେ ଯୋଗାଯୋଗ କରିପାରିବେ । କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଛି। କେନ୍ଦ୍ରୀୟ, ଜୋନାଲ୍‌ ଓ ଜିଲ୍ଲାସ୍ତରୀୟ ସ୍କ୍ବାଡ୍‌ ଗଠନ ହୋଇଛି । ଏହି ସ୍କ୍ବାଡ୍‌ ସମସ୍ତ ପରୀକ୍ଷା କେନ୍ଦ୍ର ଉପରେ ଅଚାନକ ଚଢ଼ଉ କରିବେ ।