+୩ ସେମିଷ୍ଟର ପରୀକ୍ଷା ତାରିଖ ଘୁଞ୍ଚିଲା : ମେ ୪ରୁ ‌ପ୍ରାକ୍ଟିକାଲ୍‌ ଓ ୧୭ରୁ ଥିଓରି ପରୀକ୍ଷା

631

କନକ ବ୍ୟୁରୋ : ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ +୩ କଲେଜ ଗୁଡ଼ିକର ଚତୁର୍ଥ ସେମିଷ୍ଟର ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ମେ ୪ ତାରିଖରୁ ପ୍ରାକ୍ଟିକାଲ୍‌ ଓ ୧୭ରୁ ଥିଓରି ପରୀକ୍ଷା କରାଯିବ ବୋଲି କଲେଜ ଉନ୍ନୟନ ପରିଷଦ ନିର୍ଦେଶକ ସନ୍ତୋଷ ତ୍ରିପାଠୀ ଘୋଷଣା କରିଛନ୍ତି । ସୂଚନା ମୁତାବକ, ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ୩ କଲେଜଗୁଡ଼ିକର ପାଠପଢ଼ା ଏପର୍ଯ୍ୟନ୍ତ ଶେଷ ହୋଇ ନଥିବା ବେଳେ ୪ର୍ଥ ସେମିଷ୍ଟାର ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା ମାସ ୪ତାରିଖରେ +୩ ୪ର୍ଥ ସେମିଷ୍ଟର ଥିଓରି ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ୧୭ ତାରିଖରୁ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ ହୋଇଥା’ନ୍ତା ।

ନିୟମ ଅନୁଯାୟୀ ପ୍ରତି ୫ ମାସ ବ୍ୟବଧାନରେ ସେମିଷ୍ଟର ପରୀକ୍ଷା କରାଯିବା କଥା । କିନ୍ତୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଜାନୁଆରି ମାସରେ ତୃତୀୟ ସେମିଷ୍ଟର ପରୀକ୍ଷା କରିଥିଲେ । ଯାହା ଜାନୁଆରି ୩୧ରେ ‌ଶେଷ ହୋଇଥିଲା । ଏହି ପରୀକ୍ଷା ସରିବାର ୩ ମାସ ମଧ୍ୟରେ ପୁଣି ଏକ ସେମିଷ୍ଟର ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ ପରେ ଛାତ୍ରଛାତ୍ରୀ ବିରୋଧ କରି ଗତ ସୋମବାର ଦିନ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ତେବେ ପରୀକ୍ଷା ତାରିଖ ବାତିଲ କରି ନୂଆ ତାରିଖ ଘୋଷଣା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଉ ପରୀକ୍ଷା ପାଇଁ ଆଉ ମାତ୍ର ସପ୍ତାହେ ଥିବା ବେଳେ ତାରିଖ ଘୋଷଣା ନକରିବା ଛାତ୍ରଛାତ୍ରୀଙ୍କ ମଧ୍ୟ ଅସନ୍ତୋଷ ସୃଷ୍ଟି କରିଥିଲା ।

ଗତକାଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ରନେତାଙ୍କ ନେତୃତ୍ବରେ ବିଭିନ୍ନ କଲେଜରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ନିଷ୍ପତ୍ତିରେ ପରିବର୍ତ୍ତନ କରିବା ଦାବି କରି ଧାରଣାରେ ବସିରହିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, ଜାନୁଆରି ୩୧ରେ ତୃତୀୟ ସେମିଷ୍ଟର ପରୀକ୍ଷା ଶେଷ ହୋଇଥିଲା । ଏହାପରେ ଯୁକ୍ତ୨ ପରୀକ୍ଷା, ଖାତା ଦେଖା ଛୁଟି, ଯୁକ୍ତ୩ ୬ଷ୍ଠ ସେମିଷ୍ଟର ପରୀକ୍ଷା ଯୋଗୁଁ କଲେଜଗୁଡ଼ିକ ଛୁଟି ହୋଇଥିଲା । ଯେଉଁଥି ପାଇଁ ଅଧ୍ୟାପକମାନେ କ୍ଲାସ ନେଇପାରି ନାହାନ୍ତି । କେତେକ କଲେଜରେ ୩୫ ପ୍ରତିଶତ ପାଠ୍ୟକ୍ରମ ବି ଶେଷ ହୋଇନି ।

ଅନେକ କଲେଜରେ ଇଣ୍ଟରନାଲ ପରୀକ୍ଷା ଆରମ୍ଭ ହୋଇ ନାହିଁ । ଏଭଳି ସ୍ଥିତିରେ ୪ର୍ଥ ସେମିଷ୍ଟର ପରୀକ୍ଷା ଲାଗି ତାରିଖ ଘୋଷଣା ହୋଇଛି । ଏହାଦ୍ବାରା ଛାତ୍ରଛାତ୍ରୀମାନେ ପ୍ରଭାବିତ ହେବେ । ତେଣୁ ୪ର୍ଥ ସେମିଷ୍ଟର ପରୀକ୍ଷାକୁ ଘୁଞ୍ଚାଇ ଛୁଟି ପରେ କରାଯାଉ ବୋଲି ଦାବି କରିଥିଲେ । ପାଠ୍ୟକ୍ରମ ଶେଷ କରିବାକୁ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଉ । ଆସନ୍ତା ବର୍ଷଠାରୁ ପ୍ରବେଶ, ପରୀକ୍ଷା, ପରିଣାମ ବ୍ୟବସ୍ଥାକୁ ନିୟମିତ କରିବାକୁ ସେମାନେ ଦାବି କରିଥିଲେ । ବହୁ ସମୟ ଧାରଣା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ‌ଭେଟି ତାରିଖ ଘୋଷଣା କରିଥିଲେ । ଏହାପରେ ଛାତ୍ରଛାତ୍ରୀ ଧାରଣାରୁ ଉଠିଥିଲେ ।

 ।