ଠିକ ସମୟରେ ଯୁକ୍ତ୨ ଖାତା ଦେଖା ସାରିବାକୁ ତତ୍ପରତା : ଦୁଇଟି ସିଟିଂରେ ଆରମ୍ଭ ହେଲା ଇ-ମୂଲ୍ୟାୟନ

78

କନକ ବ୍ୟୁରୋ : ସାଧାରଣ ନିର୍ବାଚନର ପ୍ରଭାବ ସିଧାସଳଖ ଯୁକ୍ତ୨ ଖାତା ମୂଲ୍ୟାୟନ ଉପରେ ପଡ଼ିଛି । ଖାତା ମୂଲ୍ୟାୟନ ଲାଗି ଅଧ୍ୟାପକଙ୍କ ଅଭାବ ଏବେ ସମସ୍ୟା ଭାବେ ଉଭା ହୋଇଛି । ୧୦ ଦିନ ହେଲା ଖାତା ଦେଖା ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ବି ମୂଲ୍ୟାୟନ କେନ୍ଦ୍ରରେ ଶତ ପ୍ରତିଶତ ଉପସ୍ଥାନ ହୋଇପାରିନି । ଅଧ୍ୟାପକମାନେ ନିର୍ବାଚନରେ ଭାଗ ନେଉଥିବାରୁ ନିର୍ଦ୍ଧାରିତ ସମୟରେ ମୂଲ୍ୟାୟନ କେନ୍ଦ୍ରକୁ ଆସି ପାରୁ ନଥିବା ଜଣାପଡ଼ିଛି ।

ମାନୁଆଲ ମୂଲ୍ୟାୟନ ସ୍ବାଭାବିକ ଭାବେ ଚାଲିଥିବା ବେଳେ ଇ-ମୂଲ୍ୟାୟନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଏବେ ସୁଦ୍ଧା ଯେତିକି ଖାତା ଦେଖାଯିବା କଥା, ‌ହୋଇପାରିନି । ତାହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା‌ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି । ଦୁଇଟି ସିଟିଂରେ ଇ-ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟର ୪ଟି ମୂଲ୍ୟାୟନ କେନ୍ଦ୍ରରେ ୧୨ ଘଣ୍ଟା ଧରି ଖାତା ଦେଖା ଚାଲିଛି । ଅଧ୍ୟାପକମାନେ ମଧ୍ୟ ସେହି ଅନୁଯାୟୀ ମୂଲ୍ୟାୟନରେ ଭାଗ ନେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏବେ ସୁଦ୍ଧା ୪ ଲକ୍ଷରୁ ଅଧିକ ମାନୁଆଲ ଖାତା ମୂଲ୍ୟାୟନ ଶେଷ ହୋଇଛି । ଯେଉଁ ଭଳି ଭାବେ ମୂଲ୍ୟାୟନ ଚାଲିଛି ୨୩ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଶେଷ ହୋଇଯିବ । ଏହାପରେ ଦ୍ବିତୀୟ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହେବ। ମେ’ ପ୍ରଥମ ସପ୍ତାହ ସୁଦ୍ଧା ମାନୁଆଲ ଖାତା ଦେଖା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଇ-ମୂଲ୍ୟାୟନ ସମସ୍ୟା ସୃଷ୍ଟି କରିଛି । ମୂଲ୍ୟାୟନ ଆରମ୍ଭ ହେବାର ପ୍ରଥମ ୪ ଦିନ ଠିକ୍‌ ଭାବେ ଚାଲିପାରି ନଥିଲା । ଏବେ କିନ୍ତୁ ଧୀରେ ଧୀରେ ସ୍ବାଭାବିକ ଅବସ୍ଥାକୁ ଫେରିଛି ।

ସବୁଠି ଖାତା ଦେଖା ସୁରୁଖୁରରେ ହେଉଛି । ତେବେ ଏପ୍ରିଲ‌ ଶେଷ ସୁଦ୍ଧା ଇ-ମୂଲ୍ୟାୟନ ସରିବ ନାହିଁ। ତେଣୁ ଦୁଇଟି ସିଟିଂରେ ଖାତା ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ହୋଇଛି । ଅଧ୍ୟାପକମାନେ ୫ରୁ ୬ ଘଣ୍ଟା ଲେଖାଏ ଖାତା ଦେଖୁଛନ୍ତି । ଜଣେ ଅଧ୍ୟାପକ ଦିନକୁ ଶହେ ମାର୍କର ପ୍ରାୟ ୧୫ଟି ଖାତା ଦେଖୁଛନ୍ତି । ୫୦ ଓ ୭୫ ମାର୍କ ବିଶିଷ୍ଟ ଅତି ବେଶିରେ ୨୦ଟି ଉତ୍ତର ଖାତା ଦେଖୁଛନ୍ତି । ଯେଉଁ ୪ଟି ସ୍ଥାନରେ ଦୁଇଟି ସିଟିଂ ହେଉଛି ସେଗୁଡ଼ିକ ହେଲା ବ୍ରହ୍ମପୁର, ବାରିପଦା, କେନ୍ଦ୍ରାପଡ଼ା ଓ କଟକ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କେନ୍ଦ୍ରରେ ଦୁଇଟି ସିଟିଂ କରାଯିବ ।

ପରିଷଦର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ମୂଲ୍ୟାୟନ ଠିକ୍‌ ଭାବେ ଚାଲିଛି । କୌଣସି ଅସୁବିଧା ନାହିଁ। କେବଳ ଯେଉଁ ଅଞ୍ଚଳରେ ନିର୍ବାଚନ ହେଉଛି ସେଠାରେ ସମସ୍ୟା ସୃଷ୍ଟି ହେଉଛି। ନିର୍ବାଚନ ପୂର୍ବରୁ ଅଧ୍ୟାପକମାନେ ତାଲିମ ନେବାକୁ ଯାଉଛନ୍ତି । ନିର୍ବାଚନ ସମୟରେ ୪ ଦିନ ବନ୍ଦ ‌ରହୁଛି । ତାହାର ପ୍ରଭାବ କିଛି ମାତ୍ରାରେ ପଡ଼ୁଛି । ତେବେ ଗତବର୍ଷ ପରି ଏଥର ମଧ୍ୟ ମେ’ ମାସ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ବିଜ୍ଞାନ ବିଭାଗ ଖାତା ଏବଂ ଜୁନ୍‌ ପ୍ରଥମ ସପ୍ତାହରେ କଳା ବିଭାଗ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛୁ ।