ଅସହଯୋଗ କରୁଥିବା ଅଧ୍ୟାପକଙ୍କ ବିରୋଧରେ କଠୋର ହେଲେ ସରକାର ! ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ପାଇଁ ଆସୁନଥିବା ଅଧ୍ୟାପକଙ୍କୁ ତୁରନ୍ତ ନିଲମ୍ବନ ନିର୍ଦ୍ଦେଶ

29

କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ଅସହଯୋଗ କରୁଥିବା ଅଧ୍ୟାପକଙ୍କ ବିରୋଧରେ କଠୋର ହେଲେ ସରକାର । ସେମାନଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ତେବେ ଏନେଇ ଥିବା ଏକ ଚିଠି, ଯେଉଁଥିରେ ଲେଖାଯାଇଛି, ଯେଉଁ ଅଧ୍ୟାପକମାନେ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟ କରିନାହାନ୍ତି ବା ଆସୁନାହାନ୍ତି ସେମାନଙ୍କୁ ତୁରନ୍ତ ସସପେଣ୍ଡ କରିବାକୁ ଲେଖାଯାଇଛି । ଏନେଇ ଗତ ଏପ୍ରିଲ ୭ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତି ନିଆଯାଇଛି ।

ବୈଠକରେ କୁହାଯାଇଛି ଯେ, ଓଡିଶା ପରୀକ୍ଷା ପରିଚାଳନା ଆଇନ ୧୯୮୮ ଅନୁସାରେ କୌଣସି ଅଧ୍ୟାପକ ଯୁକ୍ତିଯୁକ୍ତ କାରଣ ନଥାଇ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ମନା କରିପାରିବେ ନାହିଁ । ଏପରିକି ଏଥିପାଇଁ ୩ ମାସ ପର୍ଯ୍ୟନ୍ତ ଜେଲ କିମ୍ବା ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ମଧ୍ୟ କରାଯାଇ ପାରିବ । ପୂର୍ବରୁ ଅସହଯୋଗ କରୁଥିବା ଅଧ୍ୟାପକଙ୍କ ବିରୋଧରେ ଥାନାରେ ମାମଲା ପାଇଁ ମଧ୍ୟ କୁହାଯାଇଥିଲା । ଆଉ ଏହାରି ଭିତରେ ଅଧ୍ୟାପକମାନଙ୍କ ଆନ୍ଦୋଳନ ଯୋଗୁଁ ବାଧାପ୍ରାପ୍ତ ହୋଇଛି ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ । ପ୍ରଥମ ପର୍ଯ୍ୟାୟ ଖାତା ଦେଖାର ୮ ଦିନ ବିତି ଯାଇଥିଲେ ସୁଦ୍ଧା ୪୦ ପ୍ରତିଶତ ଖାତା ଦେଖା ହୋଇନଥିବା ଜଣାପଡିଛି । ଆଉ ଏହାରି ଭିତରେ ପ୍ରଶ୍ନ ଉଠୁଛି ମେ’ ୨୦ ତାରିଖ ଧାର୍ଯ୍ୟ ସମୟରେ ସିଏଚଏସଇ ପରୀକ୍ଷା ଫଳ ପ୍ରକାଶ କରି ପାରିବ ତ?