ରାଜଧାନୀର ପରିବେଶ ପ୍ରତି ବିପଦ ସାଜିଛି ପ୍ଲାଷ୍ଟିକ ବର୍ଜ୍ୟ ! ଗୁରୁତର ସହ ନେଉନି ବିଏମସି

102

କନକ ବ୍ୟୁରୋ : ରାଜଧାନୀରେ ଦିନକୁ ବାହାରୁଛି ପାଖାପାଖି ୬୦୦ ଟନ୍‌ କଠିନ ବର୍ଜ୍ୟବସ୍ତୁ । ସେଥିରେ ପ୍ଲାଷ୍ଟିକ୍‌ ବର୍ଜ୍ୟର ପରିମାଣ ୩୫ ଟନ୍‌ରୁ ଅଧିକ । ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିବେଶ ପାଇଁ କ୍ଷତିକାରକ । ନିୟମ କହୁଛି, ଏଗୁଡ଼ିକୁ ଅଲଗା କରି ରିସାଇକ୍ଲିଂ କରିବା ଓ ଏହାର ବ୍ୟବହାରକୁ ପ୍ରୋତ୍ସାହିତ ନ କରିବା । କିନ୍ତୁ ବିଏମ୍‌ସି ଏହାକୁ ଏ ଯାଏଁ ଗୁରୁତର ସହ ନେଇ ନାହିଁ । ଫଳରେ ସମସ୍ତଙ୍କ ଅଦୃଶ୍ୟରେ ଭୁବନେଶ୍ୱରର ପରିବେଶ ପ୍ରତି ଏକ ବଡ଼ ବିପଦ ମାଡ଼ି ଆସୁଛି । ଏପ୍ରିଲ୍‌ ୨୨ରେ ପାଳନ କରାଯାଉଛି ‘ପୃଥିବୀ ଦିବସ’ । ଏହାର ଥିମ୍‌ ରହିଛି ‘ପ୍ଲାଷ୍ଟିକ୍‌ ପ୍ରଦୂଷଣର ଶେଷ’ । ସାରା ବିଶ୍ୱ ପାଇଁ ପ୍ଲାଷ୍ଟିକ୍‌ ବର୍ଜ୍ୟ ଚିନ୍ତାର କାରଣ ହୋଇଥିବାରୁ ଏପରି ଏକ ସମୟୋପଯୋଗୀ ଥିମ୍‌କୁ ନିଆଯାଇଛି । ଉଦ୍ଦେଶ୍ୟ ରହିଛି ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା । ଏହି ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବେ ଭୁବନେଶ୍ୱରର ଚିନ୍ତାର କାରଣ ପାଲଟିଯାଇଛି ।

ବହୁ ପୂର୍ବରୁ ପରିବେଶବିତ୍‌ମାନେ ବିଏମ୍‌ସି କର୍ତୃପକ୍ଷଙ୍କୁ ସତର୍କ କରାଉଥିଲେ ବି ଏ ଦିଗରେ କେହି ଆବଶ୍ୟକ ପ୍ରକ୍ରିୟା ତ୍ୱରାନ୍ଵିତ କରି ନାହାନ୍ତି । ଆଇନ୍‌ ଅନୁଯାୟୀ ବିଏମ୍‌ସି ପ୍ଲାଷ୍ଟିକ ବର୍ଜ୍ୟ ବ୍ୟବହାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତା ରହିଛି । କର୍ତ୍ତୃପକ୍ଷ ସବୁବେଳେ ଏ ନେଇ ଘୋଷଣା କରୁଥିଲେ ବି ତାହାକୁ କାର୍ଯ୍ୟକାରୀ କରୁ ନାହାନ୍ତି । ନା ସଚେତନତା ସୃଷ୍ଟି କରାଯାଉଛି ନା ଚଢ଼ଉ ବ୍ୟାପକ କରାଯାଇ ଲୋକଙ୍କ ମନରେ ଭୟ ସୃଷ୍ଟି କରାଯାଉଛି । ବିଏମ୍‌ସିର ଏପରି ନିଷ୍କ୍ରିୟତା ଯୋଗୁଁ ସହରରେ ପ୍ଲାଷ୍ଟିକ୍‌, ପଲିଥିନ୍‌ ବ୍ୟବହାର ବଢ଼ିବାରେ ଲାଗିଛି । ଫଳରେ ପରିବେଶ ପ୍ରଦୂଷଣ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି ।

ଭୁବନେଶ୍ୱରରେ ୫୦ ମାଇକ୍ରନ୍‌ରୁ କମ୍‌ ପ୍ଲାଷ୍ଟିକ ବ୍ୟାଗ୍‌ ବା ପଲିଥିନ ବ୍ୟବହାର ନିଷେଧ କରାଯାଇଛି । ଏଥି ପାଇଁ ସପିଙ୍ଗ୍‌ ମଲ୍‌ ଓ ଛୋଟବଡ଼ ବ୍ୟବସାୟିକ ପ୍ରତିଷ୍ଠାନକୁ ପଞ୍ଜୀକରଣ କରିବାକୁ କୁହାଯାଇଛି। ଗ୍ରାହକମାନଙ୍କ ସଚେତନତା ପାଇଁ ଦୋକାନରେ ନୋଟିସ୍‌ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନା ନିୟମ ୨୦୧୬ ଅନୁସାରେ ପ୍ଳାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟାଗ୍‌ ବ୍ୟବହାରକାରୀଙ୍କ ପାଇଁ ଅନେକ କଟକଣା ଜାରି କରାଯାଇଛି । ଏହି ନିୟମର ବିଶେଷତ୍ୱ ହେଲା ଯିଏ ପ୍ଲାଷ୍ଟିକ୍‌ ବ୍ୟବହାର କରିବ, ସେ ତାହାର ପରିଚାଳନା ପାଇଁ ମହାନଗର ନିଗମକୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେବ ।  ଗ୍ରାହକଙ୍କୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଦେଉଥିବା ଦୋକାନୀଙ୍କ ଠାରୁ ବିଏମ୍‌ସି ମାସକୁ ୪୦୦୦ ଟଙ୍କା ଆଦାୟ କରିିବ ।

ଏଥିରେ ପ୍ଲାଷ୍ଟିକ ବର୍ଜ୍ୟ ବିଶୋଧନ କରାଯିବ । ପଲିଥିନ୍‌ ବ୍ୟବହାର କରୁଥିବା ବ୍ୟବସାୟୀମାନେ ନିଜ ଅର୍ଥରେ ପ୍ଲାଷ୍ଟିକ୍‌, ପଲିଥିନ୍‌ ବର୍ଜ୍ୟ ପାଇଁ ଅଲଗା ଡଷ୍ଟବିନ୍‌ ରଖିବେ । କିନ୍ତୁ ଅଧିକାଂଶ ସ୍ଥାନରେ ଏହି ନିୟମ କେହି ମାନୁ ନ ଥିବା ଦେଖିବାକୁ ମିଳୁଛି । ବିଏମ୍‌ସିର ଡେପୁଟି କମିସନର୍‌ ଶ୍ରୀମନ୍ତ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଆମେ ପଲିଥିନ୍‌ ବ୍ୟବହାରକୁ ବ୍ୟାନ୍‌ କରୁନାହୁଁ। କିନ୍ତୁ ୫୦ ମାଇକ୍ରନରୁ କମ୍‌ ପଲିଥିନ ବ୍ୟାଗ ବ୍ୟବହାର ଉପରେ କଟକଣା ଜାରି କରିଛୁ । ଯଦି ଏହାଠାରୁ ଅଧିକ ପଲିଥିନ୍‌ ବ୍ୟବହାର କରାଯିବ ତା’ହାଲେ ଜରିମାନା ଦେବାକୁ ପଡ଼ିବ ।  ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ତାହା ପରେ ସ୍କ୍ଵାଡ୍‌ ଗଠନ କରାଯାଇ ନିୟମିତ ଯାଞ୍ଚ୍‌ କରାଯିବ ।