ଗାନ୍ଧୀ ଜୟନ୍ତୀରୁ ଯୁକ୍ତ୨ କଲେଜ ଗୁଡ଼ିକରେ ବନ୍ଦ ହେବ ଏକକ ପ୍ଲାଷ୍ଟିକ୍ ବ୍ୟବହାର : ସବୁ କ୍ୟାମ୍ପସରେ ରହିବ ଡଷ୍ଟବିନ୍,ଏଣେତେଣେ ଅଳିଆ ଆବର୍ଜନା ପକାଇବା ଉପରେ କଟକଣା ଜାରି

867
କନକ ବ୍ୟୁରୋ : ଗାନ୍ଧୀ ଜୟନ୍ତୀରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ଗୁଡ଼ିକରେ ବନ୍ଦ ହେବ ଏକକ ପ୍ଲାଷ୍ଟିକ୍‌ ବ୍ୟବହାର । କ୍ୟାମ୍ପସକୁ ନୋ ପ୍ଲାଷ୍ଟିକ୍‌ ଜୋନ୍‌ ଭାବେ ଘୋଷଣା କରାଯିବ । କଲେଜର ବିଭିନ୍ନ ସ୍ଥାନରେ ଏ ନେଇ ସଚେତନତାମୂଳକ ହୋଡିଂ ଲାଗାଯିବ । ଛାତ୍ରଛାତ୍ରୀ ଓ କ୍ୟାମ୍ପସକୁ ଆସୁଥିବା ଅତିଥିମାନଙ୍କୁ ଏ ନେଇ ଅବଗତ କରାଯିବ । ଏହାଛଡ଼ା ଅଳିଆ ଆବର୍ଜନା କ୍ୟାମ୍ପସର ଏଣେତେଣେ ପକାଇବା ଉପରେ କଟକଣା ଜାରି ହୋ‌ଇଛି । ପ୍ରତି କଲେଜ ନିଜ କ୍ୟାମ୍ପସରେ ଡଷ୍ଟବିନ୍‌ ରଖି‌ବେ । କଲେଜ ପରିସରରେ ଥିବା ସମସ୍ତ ଭଙ୍ଗା ସାମଗ୍ରୀ, ଅବ୍ୟବହୃତ ସାମଗ୍ରୀଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି ।
କଲେଜଗୁଡ଼ିକ‌ରେ ‘ଲେଟର ଟୁ ବାପୁ’ ଶୀର୍ଷକରେ ଏକ ରଚନା ଲେଖା ପ୍ରତିଯୋଗିତା ଅନୁଷ୍ଠିତ ‌ହେବ । ଛାତ୍ରଛାତ୍ରୀ ଏଥିରେ ଭାଗନେ‌ଇପାରିବେ । ଶ୍ରେଷ୍ଠ ରଚନାକୁ ଅକ୍ଟୋବର ୨ରେ ପୁରସ୍କୃତ କରାଯିବ । ଏହି ଦିନ ସ୍ବଚ୍ଛତା ଶପଥ ଦିବସ ପାଳନ କରାଯିବ । ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ଥାନୀୟ ଲୋକଙ୍କୁ ସାମିଲ କରାଯିବ । ବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ୟୁନିଟ୍‌ ପ୍ରମୁଖ ଭୂମିକା ଗ୍ରହଣ କରିବ । କଲେଜସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫଟୋଗ୍ରାଫ୍‌/ଚିତ୍ରକଳା ପ୍ରତିଯୋଗିତା, କାଟୁର୍ନ ଓ ସ୍ଲୋଗାନ କାର୍ଯ୍ୟକ୍ରମ ହେବ । ପ୍ରତି ବିଭାଗରେ ଶ୍ରେଷ୍ଠ ୩ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ । କାର୍ଯ୍ୟକ୍ରମ ଶେଷ ହେବା ପରେ ଯୁକ୍ତ୨ କଲେଜଗୁଡ଼ିକ ଶିକ୍ଷା ନିର୍ଦେଶାଳୟ ନିକଟରେ ଦାଖଲ କରିବେ ।
ଶ୍ରେଷ୍ଠ ବିବେଚିତ କଲେଜକୁ ‘ଗ୍ରିନ୍‌ ଆଣ୍ଡ କ୍ଲିନ୍‌’ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା‌ ମିଳିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାର୍ଷିକ ଉତ୍ସବରେ ‌ସମ୍ପୃକ୍ତ କଲେଜକୁ ପୁରସ୍କାର ପ୍ରଦାନ କରାଯିବ । ଯେଉଁ କଲେଜର ଅଧ୍ୟକ୍ଷ/ଅଧ୍ୟକ୍ଷା ତଥା ଷ୍ଟାଫ୍‌ରୁମ୍‌ରେ ଗାନ୍ଧୀଜୀଙ୍କ ଫଟୋଚିତ୍ର ନାହିଁ ଏହି ଅବସରରେ ସେଠାରେ ଫଟୋଚିତ୍ର ଲଗାଇବେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗାନ୍ଧୀଜୀଙ୍କ ନୀତି ଆଦର୍ଶ ତଥା ଜୀବନୀକୁ ଆଧାର କରି ପାଠ୍ୟଚକ୍ର ଆୟୋଜନ କରାଯିବ । ଜାତୀୟ ସାମାଜିକ ସେବା ସଂସ୍ଥା/ସ୍କାଉଟ୍‌/ଗାଇଡ୍‌ମାନଙ୍କୁ କାର୍ୟ୍ୟକ୍ରମରେ ସାମିଲ କରି ପୂର୍ବରୁ କରାଯାଇଥିବା ପ୍ରବନ୍ଧ, ଚିତ୍ରକଳା, ସ୍ଲୋଗାନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିବାକୁ ଯୁକ୍ତ୨ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି ।