ପ୍ଲାଷ୍ଟିକମୁକ୍ତ ଓଡ଼ିଶା ପାଇଁ ବିଡ଼ିଏର ପ୍ରଥମ ପଦକ୍ଷେପ : ଆଜିଠାରୁ ଅଫିସରେ ପ୍ଲାଷ୍ଟିକ୍ ମନା

ପ୍ଲାଷ୍ଟିକମୁକ୍ତ ଓଡ଼ିଶା ପାଇଁ ବିଡ଼ିଏର ପ୍ରଥମ ପଦକ୍ଷେପ : ଆଜିଠାରୁ ଅଫିସରେ ପ୍ଲାଷ୍ଟିକ୍ ମନା

photo courtesy-http://assets.inhabitat.com

କନକ ବ୍ୟୁରୋ : ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ହେଲେ ଏହାର ମାସକ ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଙ୍କ କାର୍ଯ୍ୟାଳୟ ସମେତ ରାଜଧାନୀର ସମସ୍ତ ପାର୍କ ଏବଂ ମାର୍କେଟ କମ୍ପ୍ଲେକ୍ସକୁ ପ୍ଲାଷ୍ଟିକ୍‌ ମୁକ୍ତ କରାଯିବ । ବିଡିଏ କାର୍ଯ୍ୟାଳୟକୁ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବାରଣ କରାଯାଇଛି । ଆଜିଠାରୁ  ଏଠାକାର କୌଣସି ଅଧିକାରୀ କି କର୍ମଚାରୀ ପ୍ଲାଷ୍ଟିକ୍‌ ଟିଫିନ୍‌ କିମ୍ବା ପଲିଥିନ୍‌ରେ ଖାଦ୍ୟ ଆଣିବେନି । ପ୍ଲାଷ୍ଟିକ୍‌ ବୋତଲରେ ପାଣି ଆଣିବେନି । ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବଦଳରେ କପଡ଼ା ବ୍ୟାଗ୍‌, କାଗଜ ବ୍ୟାଗ୍‌ ଓ କାଚ ପାଣି ବୋତଲ ବ୍ୟବହାର କରିବାକୁ କୁହାଯାଇଛି । ବିଡିଏ କର୍ମଚାରୀ ୟୁନାଇଟେଡ୍‌ ଫୋରମ୍‌ ପକ୍ଷରୁ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି ।

publive-image

ଏଥିସହ ଭୁବନେଶ୍ୱର ସହରରେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାର ନ କରିବା ପାଇଁ ଫୋରମ୍‌ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଅନ୍ୟପକ୍ଷରେ ବିଡିଏ ଅଧୀନରେ ଥିବା ସମସ୍ତ ପାର୍କ ଓ ମାର୍କେଟ କମ୍ପ୍ଲେକ୍ସକୁ ମଧ୍ୟ ପ୍ଲାଷ୍ଟିକ୍‌ ନିଷେଧ କରାଯିବ । ପାର୍କରେ ପ୍ଲାଷ୍ଟିକ୍‌ ବ୍ୟବହାର ନକରିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ମର୍ଣ୍ଣିଂ ଓ୍ଵାକର୍‌ ଆସୋସିଏସନ୍‌ ଏବଂ ବିଭିନ୍ନ ସଂଘ ସହାୟତାରେ ଲୋକଙ୍କୁ ସଚେତନ କରାଯିବ । ଏହାପରେ ଯଦି କେହି ପାର୍କ ଭିତରେ ପ୍ଲାଷ୍ଟିକ୍‌ ବ୍ୟବହାର କରୁଥିବା ନଜରକୁ ଆସିବ ତେବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ ।

publive-image

ଏହି ଜରିମାନା ସଂପୃକ୍ତ ପାର୍କର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବ୍ୟବହାର ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଲୋକଙ୍କୁ ପ୍ଲାଷ୍ଟିକ୍‌ ନିଷେଧ ଅଭ୍ୟାସରେ ପକାଇବା ଏବଂ ପାର୍କଗୁଡ଼ିକୁ ପ୍ଲାଷ୍ଟିକ୍‌ ମୁକ୍ତ ଅଞ୍ଚଳ କରିବା ପାଇଁ ଏଠାକୁ ଆସୁଥିବା ବ୍ୟକ୍ତିଙ୍କଠାରୁ ଖାଲି ପ୍ଲାଷ୍ଟିକ୍‌ ବୋତଲ ସଂଗ୍ରହ କରାଯାଇ ତାହାକୁ ପ୍ରକ୍ରିୟାକରଣ କରାଯିବ। ବିଡିଏର ସମସ୍ତ ମାର୍କେଟ କମ୍ପ୍ଲେକ୍ସରେ ପ୍ଲାଷ୍ଟିକ୍‌ ନିଷେଧ ନିୟମ ଲାଗୁ ହେବ । ଏହାକୁ କୌଣସି ବ୍ୟବସାୟୀ ଖିଲାପ କଲେ ତାଙ୍କର ଲାଇସେନ୍ସ ରଦ୍ଦ କରାଯିବ । କେହି ଫ୍ଲେକ୍ସ ବ୍ୟାନର୍‌ ଲଗାଇପାରିବେନି। କେବଳ କନା ବ୍ୟାନର୍‌ ଲାଗିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe