କନକ ବ୍ୟୁରୋ : ଅତି ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ପୁରୀ, ଭୁବନେଶ୍ବର, କଟକ ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ସବୁଜ ବଳୟ ଲୋପପ୍ରାୟ । ଲୋକଙ୍କ ବସବାସ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ସେହି ସବୁଜିମାର ପୁନରୁଦ୍ଧାର ଅପରିହାର୍ଯ୍ୟ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୨୦୧୯-୨୦ରେ ୧ କୋଟି ୩୦ ଲକ୍ଷ ୫୦ ହଜାର ଗଛ ଚାରା ରୋପଣ କରା‌ଯିବ । ଏଥିପାଇଁ ୧୮୮ କୋଟି ଟଙ୍କା ବ୍ୟୟ‌ ଅଟକଳରେ ଏକ ପାଞ୍ଚବର୍ଷିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି ।

Advertisment

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ଦିଗରେ ଉଭୟ ସ୍ବଳ୍ପ ଓ ଦୀର୍ଘ ମିଆଦୀ ଯୋଜନାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଦୀର୍ଘକାଳୀନ ପ୍ରସ୍ତୁତି ସ୍ବରୂପ ପାଞ୍ଚ ବର୍ଷିଆ କାର୍ଯ୍ୟ ଯୋଜନାର ରୂପରେଖ ଚୂଡ଼ାନ୍ତ ହୋଇଛି। ନିଷ୍ପତ୍ତି ଅନୁଯାୟୀ ସମୁଦ୍ର ଉପକୂଳରେ ସବୁଜ ପ୍ରାଚୀର ସୃଷ୍ଟି କରାଯିବ । ବଞ୍ଚିବା ସମ୍ଭାବନା ଥିବା ଉପୁଡ଼ା ଗଛଗୁଡ଼ିକୁ ପୁନଃରୋପଣ କରାଯିବ । ବୃକ୍ଷ ରୋପଣ ଓ ନୂଆ ସବୁଜିମା ସୃଷ୍ଟି କାର୍ଯ୍ୟରେ ଜନସାଧାରଣ, ଗ୍ରାମବାସୀ, ସ୍ବେଚ୍ଛାସେବୀମାନଙ୍କୁ ସାମିଲ କରାଯିବ । ଏହି ଯୋଜନାକୁ ମିସନ ମୋଡ୍‌ରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ସଚିବ କହିଥିଲେ ।

କାର୍ଯ୍ୟ ଯୋଜନା ଅନୁଯାୟୀ ଚଳିତ ବର୍ଷ କେବଳ ରୋପଣ କରାଯିବ ୧୩୦.୫୦ ଲକ୍ଷ ଚାରା। ସେଥିମଧ୍ୟରୁ ୮୦.୫୦ ଲକ୍ଷ ଚାରା ବିଭାଗ ମାଧ୍ୟମରେ ଏବଂ ୫୦ ଲକ୍ଷ ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପାଞ୍ଚଳ, ଘରୋଇ ଜମିବାଡ଼ିରେ ରୋପଣ ପାଇଁ ବଣ୍ଟନ କରାଯିବ । ବାଲୁଖଣ୍ଡ ସଂରକ୍ଷିତ ଜଙ୍ଗଲ, ଭୁବ‌େନଶ୍ବର, ପୁରୀ, କଟକ ଆଦି ସହରାଞ୍ଚଳର ପାର୍କ, ରାସ୍ତାକଡ଼ରେ ପ୍ରାୟ ୧ ଲକ୍ଷ ଗଛ ଲଗାଯିବ । ଏଥିପାଇଁ ଅତ୍ୟାଧୁନିକ ବୈଷୟିକ କୌଶଳ ପ୍ରୟୋଗ କରାଯିବ।

କେବଳ ସବୁଜିମା ନୁହେଁ, ପ୍ରାୟ ୨୪୭୮୦ ହେକ୍ଟର ଉଦ୍ୟାନଚାଷ ନଷ୍ଟ ହୋଇଛି । ପୁନଃଚାଷ ପାଇଁ ୧୮ ଲକ୍ଷ ଫଳ ଚାରା ଆବଶ୍ୟକ। ରାଜ୍ୟର ଉଦ୍ୟାନକୃଷି ଓ ନର୍ସରୀମାନଙ୍କରେ ୮୫ ହଜାର ନଡ଼ିଆ ଚାରା ଓ ପର୍ଯ୍ୟାପ୍ତ ଆମ୍ବଗଛ ଚାରା ମହଜୁଦ୍‌ ଅଛି ବୋଲି କୃଷି ବିଭାଗ ସୂଚନା ଦେଇଛି । ସୂଚନାଯୋଗ୍ୟ, ଫନି ଯୋଗୁଁ ପ୍ରାୟ ୨୨ ଲକ୍ଷ ଗଛ ଓ ଭିତ୍ତିୂଭୂମି ନଷ୍ଟ ହେବା ଫଳରେ ପ୍ରାୟ ୫୩୭ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ଜଙ୍ଗଲ ବିଭାଗ ଆକଳନ କରିଛି ।