ଅନେକ ବଦଳରେ ଗୋଟିଏ ଫାଇନ୍ : ୪୭୫୦୦ ଓ ୨୭୫୦୦ ଜୋରିମାନା ପରେ ଚାରିଆଡ଼େ ବିଦ୍ରୋହର ସ୍ୱର, ନିୟମ କୋହଳ ପାଇଁ ଯୋଜନା କରୁଛନ୍ତି ସରକାର 

1,635

କନକ ବ୍ୟୁରୋ : ଗାଡ଼ିଚାଳକଙ୍କ ପାଇଁ ସାମୟିକ ଆଶ୍ୱସ୍ତି । ନୂଆ ସଂଶୋଧିତ ମୋଟର ଯାନ ଆଇନକୁ କୋହଳ କରିବାକୁ ଯୋଜନା କରୁଛି ରାଜ୍ୟ ପରିବହନ ବିଭାଗ । ଅନେକ ବଦଳରେ ଗୋଟିଏ ଫାଇନର ବ୍ୟବସ୍ଥା କରାଯିବ ।  ବିଭିନ୍ନ ପ୍ରକାର ଫାଇନ୍ ଆଦାୟ ବଦଳରେ ଗୋଟିଏ ଫାଇନ୍ ଆଦାୟ କଲେ ଲୋକଙ୍କ ପାଇଁ ସୁବିଧା ହେବ । ୧ ସେପ୍ଟେମ୍ବରରୁ ନୂଆ ନିୟମ ଲାଗୁ ହେବାପରେ ପୁରା ଦେଶ ତଥା ସାରା ରାଜ୍ୟରେ ହଜାର ହଜାର ଟଙ୍କା ଜୋରିମାନା ଆକାରରେ ଗଣିଲେଣି ଲୋକେ । ମାତ୍ର ୫ ଦିନର ନିୟମରେ ଅଥୟ ହୋଇଗଲେଣି ଲୋକେ । ଘରୁ ବାହାରିବା ମାତ୍ରେ ଟଙ୍କା ଗଣିବା ପାଇଁ ପଡ଼ୁଛି । ଗାଡ଼ି ବାହାର କଲେ ପକେଟ୍ ଖାଲି ହୋଇଯାଉଛି । ଏପରି ଆଉକିଛି ଦିନ ଚାଲିଲେ ଲୋକଙ୍କ ବ୍ୟାଙ୍କବାଲାନ୍ସ ଶେଷ ହୋଇଯିବ । ଜଣେ ସାଦାରଣ ଲୋକର କଷ୍ଟ ଉପାର୍ଜିତ ଧନ ଜୋରିମାନାରେ ହିଁ ଚାଲିଯିବ । 

ନୂଆ ନିୟମ ଅନୁଯାୟୀ ଗୋଟିଏ ନୁହେଁ ବିଭିନ୍ନ ପ୍ରକାର ଜୋରିମାନା ଲଗାଇ ଚାଲାଣ କଟାଯାଉଛି । ସାଧାରଣ ନିୟମ ଖିଲାପ କଲେ, ମଦ ପିଇ ଗାଡ଼ି ଚଳାଇଲେ , ରେଜିଷ୍ଟ୍ରେସନ୍ ନଥାଇ ଗାଡ଼ି ଚଳାଇଲେ,  ଦ୍ରୁତ ଗତିରେ ତଥା ବିପଜ୍ଜନକ ଭାବେ ଗାଡ଼ିଚାଳନା , ନାବାଳକ ଗାଡ଼ି ଚଳାଇଲେ, ପ୍ରଦୂଷଣ ନିୟମ ଖିଲାପ କଲେ ଭିନ୍ନ ଭିନ୍ନ ଜୋରିମାନା ଆଦାୟ ହେଉଛି । ତେବେ ଲୋକଙ୍କ ଅସୁବିଧା ଦୃଷ୍ଟିରୁ ଏହି ନିୟମକୁ କୋହଳ କରି କେବଳ ଗୋଟିଏ ନିୟମ ଆଣିବା ପାଇଁ ଯୋଜନା ଚାଲିଛି । ଅନେକ ବଦଳରେ ଗୋଟିଏ ପ୍ରକାର ଜୋରିମାନା ଆଦାୟ କଲେ ଲୋକଙ୍କ ପାଇଁ ସୁବିଧା ହେବ । 

ବିଭିନ୍ନ ପ୍ରକାର ଜୋରିମାନା ଆଦାୟ ପରେ ଚାରିଆଡ଼େ ବିଦ୍ରୋହର ସ୍ୱର ଉଠୁଛି । ଜୋରିମାନା ଆଦାୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଆମ ରାଜ୍ୟରେ ହିଁ ନିୟମ ଉଲ୍ଲଂଘନ କରି ଅଧିକ ଜୋରିମାନା ଦେଇଛନ୍ତି ଲୋକେ । ମାତ୍ର ୪ ଦିନ ଭିତରେ ଜୋରିମାନା ବାବଦରେ ଗାଡି ଚାଳକଙ୍କ ଠାରୁ ୮୮ ଲକ୍ଷ ୯୦ ହଜାର ୧୦୭ ଟଙ୍କା ଆଦାୟ କରିଛି ଓଡିଶା । ରାଜ୍ୟରେ ଅଟୋଚାଳକ ମାନେ ଅଧିକ ଫାଇନ୍ ଭରିଲେଣି । ରାଜଧାନୀରେ ବୁଧବାର ଜଣେ ଅଟୋ ଚାଳକଙ୍କୁ ୪୭ହଜାର ୫୦୦ ଟଙ୍କା ଫାଇନ କରାଯାଇଥିଲା । ତାପରେ ଗତକାଲି ଆଉ ଜଣେ ଅଟୋଚାଳକଙ୍କଠାରୁ ୨୭ ହଜାର ୫୦୦ ଟଙ୍କା ଆଦାୟ କରାଯାଇଛି । ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।  ତେବେ ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ଦେବାପାଇଁ ଅନେକ ବଦଳରେ ଗୋଟିଏ ଫାଇନର ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ଏହି ନିୟମ ଲାଗୁହେଲେ ଲୋକେ ଅଯାଚିତ ଫାଇନ୍ ଆଦାୟରୁ ରକ୍ଷା ପାଇବେ ।