ଫୋନି ପ୍ରହାରରେ ବିଜୁଳି ବ୍ୟବସ୍ଥା ଧ୍ୱସ୍ତ ! ମୋବାଇଲ ଚାର୍ଜ କରିବା ପାଇଁ ଲାଗୁଛି ଲମ୍ବା ଲାଇନ୍, ଘଂଟାଏ ମୋବାଇଲ ଚାର୍ଜ କଲେ ଦେବାକୁ ପଡ଼ୁଛି ୧୦ ଟଙ୍କା

333

କନକ ବ୍ୟୁରୋ : ସାମୁଦ୍ରିକ ଝଡ଼ ଫୋନି ପ୍ରହାରରେ ଓଡ଼ିଶାର ୧୪ଟି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି । ଛାରଖାର ହୋଇଯାଇଛି ଅଧା ଓଡ଼ିଶା । ଫୋନି ମୁକାବିଲା ପାଇଁ ରାଜ୍ୟ ସରକାର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି । ହେଲେ ସମସ୍ତ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକୁ ଏକସଙ୍ଗେ ସାହାଯ୍ୟ ଯୋଗାଇବା କଷ୍ଟକର ହୋଇପଡ଼ୁଛି । ଫୋନି ଯୋଗୁଁ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟାର ୭ ଦିନ ପରେ ବି ଜୀବନଯାତ୍ରା ସ୍ୱାଭାବିକ ହୋଇପାରନି । ବିଜୁଳି ସେବା ପୁରୀ ଜିଲ୍ଲାବାସୀଙ୍କ ପାଇଁ ବଡ଼ ସମସ୍ୟା ହୋଇ ଉଭାହୋଇଛି ।

ପୁରୀର ପିପିଲିରେ ମଧ୍ୟ ଆଜିଯାଏଁ ବିଜୁଳି ସରବରାହ ସ୍ୱାଭାବିକ ହୋଇପାରନାହିଁ । ବିଜୁଳି ନଥିବାରୁ ଲୋକେ ନାହିଁନଥିବା ହନ୍ତସନ୍ତ ହେଉଛନ୍ତି । ପାଣି ଠାରୁ ଆରମ୍ଭ କରି ମୋବାଇଲ ଚାର୍ଜ ପାଇଁ ହଇରାଣ ହେଉଛନ୍ତି ଲୋକେ । ବର୍ତ୍ତମାନ ସମୟରେ ମୋବାଇଲ ବିନା ଗୋଟିଏ ଦିନ କାଟିବା ମୁସ୍କିଳ ହୋଇପଡ଼ୁଛି । ସବୁ କାମ ଅତି ସହଜରେ ମୋବାଇଲରେ ଗୋଟିଏ କ୍ଲିକରେ କରିହେଉଛି । ହେଲେ ଫୋନି ଯୋଗୁଁ ବିଜୁଳି ଆସୁପାରୁ ନାହିଁ । ସବୁ କାମରେ ବାଧା ଉପୁଜୁଛି ।

 

ମୋବାଇଲ ଚାର୍ଜ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୋବାଇଲ ଚାର୍ଜ କରିବାକୁ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ୁଛି । ଗୋଟିଏ ମୋବାଇଲ ଚାର୍ଜ କଲେ ଘଂଟାକୁ ୧୦ ଟଙ୍କା ଦେବାକୁ ପଡ଼ୁଛି । ମୋବାଇଲ ଚାର୍ଜ ପାଇଁ ପ୍ରବଳ ଗହଳି ହେଉଛି । ମୋବାଇଲ ଚାର୍ଜ କରିବା ପାଇଁ ଲୋକଙ୍କୁ ଘଂଟା ଘଂଟା ଅପେକ୍ଷା କରିବା ପାଇଁ ପଡ଼ୁଛି । ଜେନେରେଟର ଲାଗିଥିବା ସ୍ଥାନରେ ଲୋକଙ୍କ ଭିଡ଼ ଜମୁଛି । ଗୋଟିଏ ସ୍ଥାନରେ ହଜାର ହଜାର ମୋବାଇଲ ଚାର୍ଜ କରିବା ପାଇଁ ଲୋକେ ରୁଣ୍ଡ ହେଉଛନ୍ତି ।