ଭୁବନେଶ୍ୱର ଏମ୍ସର ହିନ୍ଦୀ ପ୍ରୀତି ବିରୋଧରେ ବିଜେଡିର ପ୍ରତିବାଦ : କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ସ୍ମାରକ ପତ୍ର ଦେଲା ଦଳ . .  ଏମ୍ସ ନିର୍ଦ୍ଦେଶିକା କହିଲେ, ହିନ୍ଦୀ ଜାଣିଥିବା କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା

195

କନକ ବ୍ୟୁରୋ : ଓଡିଶାରେ ଓଡ଼ିଆ ଭାଷାକୁ ହତାଦର ଏବଂ ହିନ୍ଦୀ ଭାଷାକୁ ଲଦି ଦେବାଭଳି ଯେଉଁ ଉଦ୍ୟମ ଭୁବନେଶ୍ୱର ଏମ୍ସ ପକ୍ଷରୁ ହୋଇଛିି, ତାକୁ ବଡ଼ ଧରଣର ବିରୋଧ ସାମ୍ନା କରିବାକୁ ପଡ଼ିଛି । ହିନ୍ଦୀ ଭାଷାରେ ଦସ୍ତଖତ ଏବଂ ହିନ୍ଦୀ ଭାଷାରେ କଥାବାର୍ତ୍ତା କରିବା ପାଇଁ ଏମ୍ସ ଜାରି କରିଥିବା ନିର୍ଦ୍ଦେଶନାମାକୁ ବିରୋଧ କରିଛି ବିଜେଡି । ଏମିତି କି ଓଡ଼ିଆ ଭାଷାକୁ ବାଦ୍ ଦେଲେ ଏମ୍ସକୁ ବନ୍ଦ କରିଦେବାକୁ ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଏପଟେ ଭାଷାବିତ୍ ଏବଂ ସାମ୍ବାଦିକମାନେ ମଧ୍ୟ ଏମ୍ସର ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି । ଏଭଳି ସ୍ଥିତିରେ ବାଧ୍ୟ ହୋଇ ସ୍ପଷ୍ଟୀକରଣ ରଖିଛନ୍ତି ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶିକା । ସେ କହିଛନ୍ତି-ଯେଉଁମାନେ ହିନ୍ଦୀ ଜାଣିଛନ୍ତି, ସେମାନଙ୍କୁ ହିନ୍ଦୀ ଭାଷାର ବ୍ୟବହାର କରିବାକୁ କୁହାଯାଇଛି ।

ଭୁବନେଶ୍ୱର ଏମ୍ସର ଏହି ବିଜ୍ଞପ୍ତିକୁ ନେଇ ତେଜିଛି ବିବାଦ ।  ଏମ୍ସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ ସମସ୍ତ କର୍ମଚାରୀଙ୍କୁ ହିନ୍ଦୀରେ ଦସ୍ତଖତ କରିବାକୁ କୁହାଯାଇଛି । ଏପରିକି ଫାଇଲ୍ ଓ ରେଜିଷ୍ଟରର ନାଁ, ଶିରୋନାମା ଏବଂ ଅଧିôକାଂଶ ଚିଠିପତ୍ର ହିନ୍ଦୀରେ ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନିକ ବୈଠକରେ ମଧ୍ୟ ହିନ୍ଦୀ ଭାଷା ବ୍ୟବହାର କରିବାକୁ କୁହାଯାଇଛି । ଯାହାକୁ ତୀବ୍ର ବିରୋଧ କରିଛି ବିଜେଡି । ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଏମ୍ସ  ନିର୍ଦ୍ଦେଶିକାଙ୍କୁ ସ୍ମାରକପତ୍ର ଦେଇଛନ୍ତି । ସେପଟେ ଏମ୍ସର ନିର୍ଦ୍ଦେଶିକା କହିଛନ୍ତି, ଭାଷା ଆଇନ ଅନୁସାରେ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଗୋଟିଏ ପଟେ ଭୁବନେଶ୍ୱର ଏମ୍ସରେ ହିନ୍ଦୀ ଭାଷାକୁ ଲଦିବା ପାଇଁ ଉଦ୍ୟମ ଓ ଏହାକୁ ବିଜେଡିର ବିରୋଧ । ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ରାଜନୈତିକ ବୟାନବାଜି ଭିତରେ ଭାଷାକୁ ନେଇ ଆରମ୍ଭ ହୋଇଛି ବଡ଼ ବିତର୍କ । ଓଡ଼ିଶାରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ସଂସ୍ଥାଗୁଡିକ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । ଓଡ଼ିଶାରେ ଓଡ଼ିଆ ଭାଷା ବଦଳରେ ହିନ୍ଦୀ ଭାଷା କାହିଁକି ବ୍ୟବହାର କରାଯିବ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ଏମ୍ସ ତା’ର ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବା ସହ ପ୍ରଥମ ଭାଷା ଓଡ଼ିଆ ଓ ଦ୍ୱିତୀୟ ଭାଷା ଇଂରାଜୀ କରିବାକୁ ଦାବି ହୋଇଛି ।