ଆଗୁଆ ନିର୍ବାଚନ ଚାହୁଁଛି ବିଜେଡି : ସାଂସଦ ପିନାକୀ ମିଶ୍ର କହିଲେ, ଯଦି କେନ୍ଦ୍ର ଯୋଜନା କରୁଛି ଓଡିଶାକୁ ସାମିଲ କରୁ

30

କନକ ବ୍ୟୁରୋ : ବିଜେଡ଼ି ଚାହୁଁଛି ଆଗୁଆ ନିର୍ବାଚନ ହେଉ । ଜାତୀୟ ନିର୍ବାଚନ କମିଶନରଙ୍କୁ ଭେଟି ଦାବି ଜଣାଇଲେ ବିଜେଡ଼ି ପ୍ରତିନିଧ ଦଳ । ଆଗୁଆ ନିର୍ବାଚନ ପାଇଁ ବିଜେଡ଼ି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଦଳ ପକ୍ଷରୁ କୁହାଯାଇଛି । ଆଉ ଏହାର ସୂଚନା ଦେଇଛନ୍ତି ବିଜେଡ଼ି ସାଂସଦ ପିନାକୀ ମିଶ୍ର । ଆଚରଣ ବିଧି ଲାଗୁ ଦ୍ୱାରା କାମ ଅଟକିଯାଏ, ଲୋକ କିନ୍ତୁ ଅସୁବିଧା ଭୋଗନ୍ତି । ଏକାଠି ନିର୍ବାଚନ ହେଲେ ଆଚରଣ ବିଧି ଅବଧି ଦୀର୍ଘ ହେବନି । ସାଂସଦ ପିନାକୀ ମିଶ୍ର କହିଛନ୍ତି କେନ୍ଦ୍ର ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ଏକାସଙ୍ଗେ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଆଉ ଏଥିରେ ଓଡ଼ିଶା ସାମିଲ ହେଲେ ଲାଭରେ ରହିବ । କାରଣ ଏପରି ହେବା ଦ୍ୱାରା ରାଜ୍ୟ ସରକାରଙ୍କର ୧୦୦୦ କୋଟି ଟଙ୍କା ଖର୍ଚ୍ଚ ବଂଚିଯିବ ।

ନିର୍ବାଚନ କମିଶନରଙ୍କୁ ଭେଟିଲା ପରେ ପିନାକୀ ମିଶ୍ର କହିଛନ୍ତି, ବିଜୁ ଜନତା ଦଳ ପାଇଁ ଆଗୁଆ ନିର୍ବାଚନ ରାଜ୍ୟ ପାଇଁ କିଛି ନୂଆ କଥା ନୁହେଁ । ୨୦୦୪ ମସିହାରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଏକ ବର୍ଷର ସରକାର ଭାଙ୍ଗି ଏକସଙ୍ଗେ ନିର୍ବାଚନ କରାଇଥିଲେ । ଏକାସଙ୍ଗ ନିର୍ବାଚନ ହେଲେ ଲୋକମାନଙ୍କ ପାଇଁ ସୁବିଧା ହେବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଏକାସଙ୍ଗ ନିର୍ବାଚନ ହେଲେ ରାଜ୍ୟବାସୀ ଲାଭବାନ ହୋଇପାରିବେ । କାରଣ ଏକସଙ୍ଗେ ନିର୍ବାଚନ ହେଲେ କେନ୍ଦ୍ର ହିଁ ଅଧିକରୁ ଅଧିକ ଖର୍ଚ୍ଚ ବହନ କରେ । ଅନ୍ୟପଟେ ଏକସଙ୍ଗେ ନିର୍ବାଚନ ହେଲେ ରାଜ୍ୟ ସରକାର ବହୁତ କମ୍ ଖର୍ଚ୍ଚ କରିବା ପାଇଁ ପଡ଼େ । ତେଣୁ ବର୍ତ୍ତମାନ ସମୟରେ ଯଦି ଏକସଙ୍ଗେ ନିର୍ବାଚନ ହୁଏ ତେବେ ପାଖାପାଖି ୧୦୦୦ କୋଟି ଟଙ୍କା ରାଜ୍ୟର ବିକାଶରେ ଲାଗିପାରିବ । ନିର୍ବାଚନ କମିଶନ ଗୁରୁତ୍ୱର ସହ ଆମ କଥା ନେଇଛନ୍ତି ବୋଲି ମଧ୍ୟ କହିଛନ୍ତି ବିଜେଡି ସାଂସଦ ପିନାକୀ