କନକ ବ୍ୟୁରୋ : ପାହାଡ଼ ଜଙ୍ଗଲ ଘେରା ତଥା ପ୍ରାକୃତିକ ଶୋଭାରାଜିରେ ଭରପୁର ପଶ୍ଚିମ ଓଡ଼ିଶା । ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ସମ୍ବଲପୁରର ଭୂମିକା ବେଶ ଗୁରୁତ୍ୱପୁର୍ଣ୍ଣ । ଅନେକ ପର୍ଯ୍ୟଟନ ସ୍ଥଳୀ ସହିତ ପ୍ରସିଦ୍ଧ ଦେବାଦେବୀ ମନ୍ଦିର ଏବଂ ଡ୍ୟାମ ଚାରିଦିଗରେ  ପସରା ମେଲାଇ ରହିଛି । ଆଉ ତା’ରି ଭିତରେ ପ୍ରକୃତି କୋଳରେ ପାହାଡର ଛାତି ଚିରି ପ୍ରସିଦ୍ଧି ପାଇଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟରେ ଥିବା ଗୁଦଗୁଦା ଜଳପ୍ରପାତ । ଘଞ୍ଚ ବନାନୀରେ ପରିପୂର୍ଣ୍ଣ । ଜଳପ୍ରପାତର କୁଳୁକୁଳୁ ନାଦ ସାଙ୍ଗକୁ ପକ୍ଷୀଙ୍କ କାକଳି କାହାକୁ ବି ବିମୋହିତ କରିଦେବ । ନିଜର ବ୍ୟସ୍ତବହୁଳ ଜୀବନରୁ ବିରତି ନେଇ ଥରେ ନିଶ୍ଚୟ ଏଠାକୁ ବୁଲିବାକୁ ଆସନ୍ତୁ । ସାମୟିକ ବିରତି ପାଇଁ ଏହି ସ୍ଥାନଟି ଅତ୍ୟନ୍ତ ମନୋରମ ।

Advertisment

publive-image

ପାଖେଇ ଆସିଲାଣି ପର୍ଯ୍ୟଟନ ଋତୁ । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ମଜାନେବାପାଇଁ ପର୍ଯ୍ୟଟକମାନେ ପ୍ରସ୍ତୁତ ହେଲେଣି । ତେବେ ଶୀତ ଋତୁରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଚାହୁଁଥିଲେ ଥରେ ନିଶ୍ଚୟ ଗୁଦଗୁଦା ଜଳପ୍ରପାତ ଆସନ୍ତୁ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସଦର ମହକୁମା ଠାରୁ ମାତ୍ର ୩୩ କି.ମି. ଦୂରରେ ଗୁଦଗୁଦା ଜଳପ୍ରପାତ । ପିକନିକ୍ ସିଜିନରେ ଗୁଦଗୁଦାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଅନେକ ଏଠାକୁ ଟାଣି ହୋଇଆସନ୍ତି । କାହିଁ କେଉଁ ଆବହମାନ କାଳରୁ ପହାଡର ଛାତି ଚିରି ସାତଟି କୁଣ୍ଡ ଦେଇ ଜଳରାଶି ଗଦଗଦ ହୋଇ ପଡୁଥିବା ବେଳେ ଓଡିଶାର କୋଣ ଅନୁକୋଣରୁ ଭୋଜି କରି ମଜା ନେବାପାଇଁ ଏଠାକୁ ଧାଇଁ ଆସନ୍ତି ହଜାର ହଜାର ପର୍ଯ୍ୟଟକ ।

publive-image

ଗୁଦଗୁଦାକୁ ଆପଣ ଯିବାକୁ ଚାହୁଁଥିଲେ ଭୁବନେଶ୍ୱରରୁ ସମ୍ବଲପୁର କିମ୍ବା ଦେବଗଡ ଦେଇ କୁଚିଣ୍ଡାକୁ ଯିବାକୁ ପଡ଼ିବ । ଭାୟା ସମ୍ବଲପୁର ଦେଇ ଗଲେ ଗୁଦଗୁଦାକୁ ୩୯୦ କି.ମି. ହୋଇଥିବା ବେଳେ ଭାୟା ଦେବଗଡ ହୋଇ ଆସିଲେ ୩୩୩ କି.ମି. ବାଟ ହୋଇଥାଏ । ତେବେ ଏହି ଗୁଦଗୁଦା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଲା ପରଠାରୁ ଏଠାକୁ ଯିବାପାଇଁ ଜଳପ୍ରପାତର ପାଦଦେଶ ପର୍ଯ୍ୟନ୍ତ ସୁନ୍ଦର ସଡକପଥ କରାଯାଇଛି । ବସ ଠାରୁ ଆରମ୍ଭ କରି ଛୋଟ ବଡ ସମସ୍ତ ଗାଡି ଗୁଦଗୁଦା ଜଳପ୍ରପାତ ପାଖକୁ ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ପାର୍କିଂର ବ୍ୟବସ୍ଥା କରାଯାଇଛି ।

publive-image

କେବଳ ଏତିକି ନୁହେଁ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗୁଦଗୁଦା ଜଳପ୍ରପାତ ନିକଟରେ ସଚେତନତା ଫଳକ, ଭୋଜି କରିବା ପାଇଁ ପେଣ୍ଡାଲ, ପର୍ଯ୍ୟଟକଙ୍କ ପାଇଁ ପାଣିର ସୁବିଧା , ଜଳଧାରାକୁ ଦେଖିବା ପାଇଁ ସୁନ୍ଦର ଫୁଟ ବ୍ରିଜ ଓ ଶୈାଚାଳୟ ଆଦିର ବ୍ୟବସ୍ଥା କରାଯାଇଛି । ତେବେ ଦୁଃଖର ବିଷୟ ଏଠାରେ ରାତ୍ରୀଯାପନ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ତଥାପି ଗୁଦଗୁଦା ଜଳପ୍ରପାତର ପ୍ରାକୃତିକ ପରିବେଶକୁ ପର୍ଯ୍ୟଟକମାନେ ଉପଭୋଗ କରିବା ସହିତ ଫେରିଲାବେଳେ ସାଉଁଟି ନିଅନ୍ତି ଏହାର ଅଭୁଲା ସ୍ମୃତି ।