ନୂଆବର୍ଷରେ ପର୍ଯ୍ୟଟସ୍ଥଳୀ ଗୁଡ଼ିକରେ ପ୍ରବଳ ଭିଡ : ପାରାଦ୍ୱୀପ ନେହେରୁ ବଙ୍ଗଳାରେ ମହାନଦୀ ମୁହାଣ ଓ ସମୁଦ୍ରର ମିଳନସ୍ଥଳର ଅପୂର୍ବ ଦୃଶ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ

288

କନକ ବ୍ୟୁରୋ : ନୂଆବର୍ଷ ପାଇଁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପ୍ରବଳ ଭିଡ଼ ଜମୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ମନୋରମ ପରିବେଶରେ ହଜିଯାଉଛନ୍ତି ପର୍ଯ୍ୟଟକ । ପାରାଦ୍ୱୀପ ନେହେରୁ ବଙ୍ଗଳାରେ ଥିବା ମହାନଦୀ ଓ ସମୁଦ୍ରର ଅପୂର୍ବ ମିଳନସ୍ଥଳୀକୁ ଦେଖିବାପାଇଁ ଓଡିଶା ସମେତ ପଡୋଶୀ ରାଜ୍ୟରୁ ପର୍ଯ୍ୟଟକ ଛୁଟି ଆସୁଛନ୍ତି । ପର୍ଯ୍ୟଟକମାନେ ବନଭୋଜି କରିବା ସହ ମହାନଦୀ ମୁହାଣରେ ବୋଟିଂର ମଜା ନେଉଥିବାର ଦେଖୁବାକୁ ମିଳିଛି ।

ନୂଆବର୍ଷ ଅବସରରେ ଚାରିଆଡ଼େ ବଣଭୋଜିର ଆସର । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ୍ଦର ନଗରୀ ପାରାଦ୍ୱୀପ ନେହେରୁ ବଙ୍ଗଳାକୁ ଆସିଛନ୍ତି ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ । ସ୍କୁଲ ପିଲାଠାରୁ ଆରମ୍ଭକରି ସାଙ୍ଗସାଥୀ ବନ୍ଧୁ ପରିବାର ବର୍ଗ ସମସ୍ତେ ଭିଡ ଜମେଇ ଦେଇଛନ୍ତି । ଚାଲିଛି ଭୋଜିଭାତର ପ୍ରସ୍ତୁତି । କିଏ ପରିବା କାଟୁଛି ତ କିଏ ରୋଷେଇ କରିବାରେ ବ୍ୟସ୍ତ ତ ଆଉ କିଏ ନାଚ ଗୀତରେ ବ୍ୟସ୍ତ । ନେହେରୁ ବଙ୍ଗଳାର ପଥର ବନ୍ଧ ଉପରେ ଛିଡା ହୋଇ ମହାନଦୀ ମୁହାଣ ଓ ସମୁଦ୍ରର ମିଳନସ୍ଥଳର ଅପୂର୍ବ ଦୃଶ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ଏଠାରେ ସୂର୍ଯ୍ୟ ଢ଼ଳିବାର ଦୃଶ୍ୟ ଦେଖିଲେ ଆପଣ ମନ୍ତ୍ରମୁଗ୍ଧ ହୋଇଯିବେ ।

୧୯୬୨ ମସିହା ଜାନୁଆରୀ ୦୩ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁ ପାରାଦ୍ୱୀପ ବନ୍ଦର ପ୍ରତିଷ୍ଠା କରିଥିବାରୁ ତାଙ୍କରି ଉଦ୍ଦେଶ୍ୟରେ ଏହି ସ୍ଥାନ ନାଁ ନେହେରୁ ବଙ୍ଗଳା ରଖାଯାଇଛି । ପ୍ରତିବର୍ଷ ଏଠାରେ ପର୍ଯ୍ୟଟକଙ୍କ ଭିଡ ବଢିବାରେ ଲାଗିଛି, ଯାହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ବହୁ ସଂଖ୍ୟାର ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖିି ପାନୀୟ ଜଳ, ଶୌଚାଳୟ ଓ ପୌରପରିଷଦ ପକ୍ଷରୁ ଛୋଟଛୋଟ ପିଲାମାନଙ୍କ ପାଇଁ ଖେଳିବାର ମଧ୍ୟ ସୁବିଧା କରାଯାଇଛି ।

ପାରାଦ୍ୱୀପ ବନ୍ଦର ପ୍ରତିଷ୍ଠା ହେବା ପରେ ଏଠାରେ ଅନେକ ଛୋଟ ବଡ ଶିଳ୍ପାନୁଷ୍ଠାନ ଗଢିଉଠିଥିବାରୁ ବିଭିନ୍ନ ଭାଷାଭାଷୀ ଲୋକେ ଏଠାରେ ବସବାସ କରୁଛନ୍ତି । ସେହି ଦୃଷ୍ଟିରୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନେ ମଧ୍ୟ ଏଠାରେ ପିକିନିକ୍ କରିବାକୁ ଆସୁଛନ୍ତି । ତେବେ ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ସରକାର ନିକଟରେ ଦାବି କରାଯାଇଛି ବୋଲି ପୌରାଧ୍ୟକ୍ଷ କହିଛନ୍ତି ।