ପାଠ ପଢ଼ିବି । କଲେକ୍ଟର ହେବି । ଲୋକଙ୍କ ସେବା କରିବି. . . . ଉଜ୍ଜଳ ଭବିଷ୍ୟତର ସ୍ୱପ୍ନ ନେଇ ଗୁରୁଣ୍ଡି ଘୋଷାଡ଼ି ନିତିଦିନ ସ୍କୁଲ ଯାଉଛି ମେଧାବୀ ଦିବ୍ୟାଙ୍ଗ ଶିଶୁ

956

କନକ ବ୍ୟୁରୋ : ବେଶୀ ପାଠ ପଢ଼ିବି । କଲେକ୍ଟର ହେବି । ଜନତାଙ୍କ ସେବା କରିବି । ବଡ଼ ହୋଇ ପ୍ରଶାସନିକ ସେବାରେ ଯୋଗଦେବାକୁ ଛାଟିମାଟି କୁଡ଼ିଆରୁ ବଡ଼ ସ୍ୱପ୍ନ ଦେଖୁଛି ଦିବ୍ୟାଙ୍ଗ ଶିଶୁ । କେବଳ ସ୍ୱପ୍ନ ଦେଖୁନି ଉଜ୍ଜଳ ଭବିଷ୍ୟତର ସ୍ୱପ୍ନ ନେଇ ସାଧନା ବି ଜାରି ରହିଛି । ଦୃଢ଼ ଇଚ୍ଛାଶକ୍ତି ଓ ଗଭୀର ଆତ୍ମବିଶ୍ୱାସ ଆଗରେ ହାର ମାନିଛି ଭିନ୍ନକ୍ଷମତା । ସଳଖି ଛିଡ଼ା ହେବାକୁ ବଳ ନାହିଁ । ତଥାପି ମନରେ ଅଛି ପାଠ ପଢ଼ିବାର ଦୁର୍ବାର ଇଚ୍ଛା । ଦୁଇ ହାତ ଓ ଦୁଇ ଗୋଡ଼ ସାହାଯ୍ୟରେ ଗୁରୁଣ୍ଡି ଗୁରୁଣ୍ଡି ସ୍କୁଲ ଯାଉଛନ୍ତି ନବରଙ୍ଗପୁରର ଜିଲ୍ଲା ଉମରକୋଟ ବ୍ଲକ୍ ହୀରାପୁର ପଞ୍ଚାୟତର ଦିବ୍ୟାଙ୍ଗ ଶିଶୁ ବଳରାମ୍ ।

ସାତ ବର୍ଷ ବୟସର ବଳରାମ । ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ନ୍ତି । ଜନ୍ମରୁ ଦିବ୍ୟାଙ୍ଗ । ହାତ, ଗୋଡ଼ ସିଧା କରିବା କଷ୍ଟ । ଚାଲିବାକୁ କଷ୍ଟ । ନଇଁ ନଇଁ ସ୍କୁଲ ଯିବାକୁ ପଡ଼ୁଛି । ତଥାପି ପାଠ ପଢ଼ିବାକୁ ପ୍ରବଳ ଆଗ୍ରହ । ବଳରାମ ଜଣେ ମେଧାବୀ ଛାତ୍ର ହେବାସହ ଖେଳକୁଦରେ ବି ପାରଙ୍ଗମ । ଶାରିରୀକ ଅର୍କମ୍ୟଣତା ବାଧକ ସାଜି ପାରିନି ପାଠପଢ଼ା ଆଗରେ । ସ୍କୁଲରେ ପହଞ୍ଚିବା ବେଳେକୁ ସାର୍ଟପ୍ୟାଣ୍ଟ ଧୂଳିମଳି ହୋଇଯାଉଛି । ଗୋଡ଼ରେ କଣ୍ଟାଫୁଟି ଯାଉଛି । ଆବଡ଼ାଖାବଡ଼ା ପଥୁରିଆ ରାସ୍ତା ପାର କରି ପ୍ରତିଦିନ ସ୍କୁଲ ଯାଉଛନ୍ତି । ସାଧାରଣ ପିଲାଙ୍କ ଠାରୁ ଭିନ୍ନ ଦିଶୁଥିଲେ ବି ନିତିଦିନ ଗୁରୁଣ୍ଡି ଘୋଷାଡ଼ି ସ୍କୁଲ ଯିବାରେ ହେଳା କରୁନାହାନ୍ତି । ଦେଖନ୍ତୁ ସାଥୀ ପିଲାଙ୍କ ସହ କିପରି ଆବଡ଼ାଖାବଡ଼ା ପଥୁରିଆ ରାସ୍ତାରେ ଦୁଇ ହାତ ଓ ଗୋଡ଼ରେ ଗୁରୁଣ୍ଡି ଗୁରୁଣ୍ଡି ସ୍କୁଲ ଯାଉଛନ୍ତି ଦିବ୍ୟାଙ୍ଗ ବଳରାମ । ଅକ୍ଷମତା ସତ୍ୱେ ଗୋଟିଏ ଦିନ ବି ସ୍କୁଲ ବନ୍ଦ ନକରି ପ୍ରତିଦିନ ନିକଟସ୍ଥ ଡଙ୍ଗରିଗୁଡ଼ା ପ୍ରାଥମିକ ବିବ୍ୟାଳୟକୁ ପାଠ ପଢ଼ିବାକୁ ଯାଆନ୍ତି ବଳରାମ ।

ବଳରାମଙ୍କୁ ଭଲ କରିବାକୁ ତାଙ୍କ ବାପା ଅନେକ ଡାକ୍ତର ଦେଖାଇଥିଲେ । ବହୁ ଟଙ୍କା ଖର୍ଚ୍ଚ ହେବା ସତ୍ୱେ ବଳରାମ ଭଲ ହୋଇନଥିଲେ । ତେବେ ଶାରୀରିକ ଅକ୍ଷମତାକୁ ଆଡ଼ କରି ପାଠ ପଢ଼ାରେ ବଳରାମଙ୍କ ନିଘା । ପାଠ ପଢ଼ି କଲେକ୍ଟର ହୋଇ ଦେଶ ସେବା କରିବାକୁ ଇଚ୍ଛା ରଖିଛି କୁନି ବଳରାମ । ଅନ୍ୟପଟେ ବଳରାମ ପାଇଁ ଯାଆସ କରିବାରେ ଅସୁବିଧା ହେଉଥିବାରୁ ହଷ୍ଟେଲରେ ରଖି ପାଠ ପଢ଼ାଇବାକୁ ଚାହାନ୍ତି ବଳରାମର ବାପା । ହେଲେ ଆର୍ଥିକ ସମ୍ବଳ ନଥିବାରୁ ଭାରି କଷ୍ଟକରି ପାଠ ପଢ଼ୁଛି ବଳରାମ ।

ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଭିନ୍ନକ୍ଷମ ଶିଶୁ ବଳରାମ ପାଖରେ ଅପହଞ୍ଚ । ତେବେ ସରକାର ଏଥିପ୍ରତି ଦୃଷ୍ଟି ଦେଲେ ସାହାଯ୍ୟ କଲେ ବଳରାମର ଭବିଷ୍ୟତ ଉଜ୍ଜଳ ହୋଇପାରନ୍ତା ବୋଲି ସାଧାରଣରେ ଦାବି କରାଯାଇଛି । ।