ମାଲକାନଗିରିରୁ ହଟୁଛି ନକ୍ସଲଙ୍କ ଜୁଲମ : ବଦଳିଛି ସମୟ, ଭତ୍ତା ଟଙ୍କା ସଞ୍ଚୟ କରି ମୋବାଇଲ କିଣିବାକୁ ଗୁରୁଣ୍ଡି ଗୁରୁଣ୍ଡି ୩୦ କିଲୋମିଟର ଆସିଲେ ଖଟୁଆପଦରର ଦିବ୍ୟାଙ୍ଗ ଯୁବକ

271

କନକ ବ୍ୟୁରୋ : ହଟୁଛି ନକ୍ସଲଙ୍କ ଜୁଲୁମ । ଆଗରୁ ମୋବାଇଲ ଧରିଲେ ପୋଲିସ ଇନଫର୍ମର ସନ୍ଦେହରେ ପିଟୁଥିଲେ ମାଓବାଦୀ । ଏବେ କିନ୍ତୁ ବଦଳିଯାଇଛି ସମୟ । ଲାଲଗଡରେ ସୁରକ୍ଷା ବଳୟ କ୍ୟାମ୍ପ ହେବା ଠାରୁ ଧିରେ ଧିରେ ନକ୍ସଲଙ୍କ ଜୁଲୁମ ଲିଭିବାକୁ ବସିଛି । ଗୋଡ ନ ଥିଲେ ବି ଲାଲଗଡରୁ ଗୁରୁଣ୍ଡି ଗୁରୁଣ୍ଡି ୩୦ କିମି ହାତରେ ଚାଲି ଆସିଛନ୍ତି ଦିବ୍ୟାଙ୍ଗ ।

ମନରେ ଭରି ରହିଛି ଖୁସି । ଏଠି କୌଣସି ସଫଳ କିମ୍ବା ସମ୍ପର୍କକୁ ନେଇ ଖୁସି ନାହିଁ । ଏଠି ଖୁସି ମୋବାଇଲ କିଣିବାକୁ ନେଇ । ମାସିକ ମିଳୁଥିବା ଭତ୍ତା ଟଙ୍କା ସଂଚୟ କରି ମୋବାଇଲ କିଣିବାକୁ ଗୁରୁଣ୍ଡି ଗୁରୁଣ୍ଡି ବଜାରକୁ ଚାଲି ଆସିଛନ୍ତି ଦିବ୍ୟାଙ୍ଗ ଯୁବକ ବାଣ୍ଡି ମାଢି । ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ମାଓ ପ୍ରବଣ ଖଟୁଆପଦରର ଯୁବକ ବାଣ୍ଡି । ଅନ୍ୟମାନଙ୍କ ପରି ଗୀତ ଶୁଣିବେ ଓ ଫୋନ୍ କରି ସମ୍ପର୍କୀୟଙ୍କ ସହିତ କଥା ହେବେ । ଏହି ଆଶା ରଖି ମୋବାଇଲ କିଣିଛନ୍ତି ବାଣ୍ଡି । ମନରେ ଦୃଢ ଇଚ୍ଛାଶକ୍ତି ଜାଗ୍ରତ କରି ଲାଲଗଡରୁ ୩୦ କିମି ଆସି ନେଇଛନ୍ତି ନୂଆ ମୋବାଇଲ ।

ଭତ୍ତା ଟଙ୍କା ସଂଚୟ କରି ୧୭ ଶହ ଟଙ୍କାରେ ଏକ ଦୋକାନରୁ ମୋବାଇଲ କିଣିଛନ୍ତି ଏହି ଦିବ୍ୟାଙ୍ଗ ଯୁବକ । ଏହା କହିବାର ଅର୍ଥ ହେଉଛି ଯେଉଁ ଅଂଚଳରେ ମୋବାଇଲ ହାତରେ ଦେଖିଲେ ମାଓବାଦୀଙ୍କ ଅକଥନୀୟ ଅତ୍ୟାଚାର ବଢୁଥିଲା । ସେହି ଇଲାକାର ଦିବ୍ୟାଙ୍ଗ ଯୁବକ ମୋବାଇଲ କିଣି ନକ୍ସଲଙ୍କ ଜୁଲୁମ ଧିରେ ଧିରେ କମୁଥିବା ସନ୍ଦେଶ ଦେଇଛନ୍ତି ।