କନକ ବ୍ୟୁରୋ : କରୋନା ପାଇଁ ଦଣ୍ଡଯାତ୍ରା ବନ୍ଦ ତ ଆଉ ପରମ୍ପାରିକ ଉତ୍ସବ ବି ବନ୍ଦ । ଏଥିରେ ଯୋଡି ହେବାକୁ ଯାଉଛି ଫୁଲବାଣୀର ପ୍ରସିଦ୍ଧ ମା’ନାରାୟଣୀ ଯାତ୍ରା । ଦୁଇ ବର୍ଷରେ ଥରେ ଏହି ଯାତ୍ରା ହୁଏ । ଏହାକୁ କେବଳ କନ୍ଧମାଳ କାହିଁକି ବାହାର ଜିଲ୍ଲା ଓ ରାଜ୍ୟରୁ ବି ଲକ୍ଷାଧିକ ଲୋକ ଆସି ଉପଭୋଗ କରିଥାନ୍ତି । ହେଲେ ଚଳିତ ବର୍ଷ କରୋନା ପାଇଁ ଏହି ପ୍ରସିଦ୍ଧ ଯାତ୍ରା ଏକରକମ ବନ୍ଦ ହେବାକୁ ଯାଉଛି ।
ମହାବିଷୁବ ସଂକ୍ରାନ୍ତି ଓଡିଆ ନବବର୍ଷରେ ମା’ନାରାୟଣୀ ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ ହୁଏ। ତାପରେ ଅକ୍ଷୟ ତୃତୀୟ ଦିନଠାରୁ ଯାତ୍ରା ଆରମ୍ଭ ହୋଇଥାଏ । ସେଦିନ ସକାଳେ ଯାତ୍ରା ପଡିଆରେ ମା’ଙ୍କ ଅସ୍ଥାୟୀ ମଣ୍ଡପ ସ୍ଥାପନ ପରେ ଗ୍ରାମ୍ୟଦେବୀ,ବ୍ରାହ୍ମଣଦେବୀ,ବରାଳଦେବୀ ଓ ବ୍ୟଘଦେବୀ ଠାକୁରାଣୀଙ୍କୁ ଆମନ୍ତ୍ରଣ କରାଯାଇଥାଏ। ସଂଧ୍ୟାରେ ବିରାଟ ପଟୁଆରରେ ମା’ନାରାୟଣୀଙ୍କୁ ସେଠାକୁ ପାଛୋଟି ଅଣା ଯାଇଥାଏ । ଏହି ଯାତ୍ରା ଏକ ମାସ ଧରି ଚାଲିଥାଏ। ପ୍ରତ୍ୟହ ସଂଧ୍ୟାରେ ମା’ କାଳୀଙ୍କ ସହ ପଞ୍ଚ ଠାକୁରାଣୀ ନଗର ପରିକ୍ରମା କରନ୍ତି । ସାହିସାହି ବୁଲି ମା ଭକ୍ତଙ୍କୁ ଦର୍ଶନ ଦେଇଥାଏ ।
ଯାତ୍ରା ଅବସରରେ ମୀନାବଜାର ପଡେ । ବିଭିନ୍ନ ନାମୀଦାମୀ ମେଲୋଡି ପାର୍ଟି ଆସିଥାନ୍ତି। ଏଥି ସହ ରାଜ୍ୟର ପ୍ରମୁଖ ବ୍ୟକ୍ତି ବିଶେଷ ବିଭିନ୍ନ ସଂଧ୍ୟାରେ ଅତିଥି ଭାବେ ଯୋଗ ଦେଇଥାଏ। ୨ ବର୍ଷରେ ଥରେ ଏହି ଯାତ୍ରା ହେଉଥିବାରୁ ଏହାକୁ ଉଭଭୋଗ କରିବା ନିମନ୍ତେ ସମଗ୍ର ଜିଲ୍ଲାବାସୀ ସେହି ଦିନକୁ ଚାହିଁ ବସିଥାନ୍ତି। ଯାତ୍ରାର ଯଥେଷ୍ଟ ଅବ୍ୟବହିତ ପୂର୍ବରୁ ସୁପରିଚାଳନା ନିମନ୍ତେ ଯାତ୍ରା କମିଟି ଗଠନ କରାଯାଏ। କାର୍ଯ୍ୟକର୍ତ୍ତା ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୁଏ। ଚଳିତ ବର୍ଷ ଯାତ୍ରା ପାଇଁ ଗତ ୨୬ ତାରିଖରେ ଗାନ୍ଧିସ୍ମୃତି ଭବନରେ କମିଟି କର୍ମକର୍ତ୍ତା ନିର୍ବାଚନ ହେବା ନିମନ୍ତେ ସ୍ଥିର ହୋଇଥିଲା। ଏଥିରେ ପୁରୁଣା କମିଟି ଭାଙ୍ଗି ନୂତନ କମିଟି ହେବା କଥା। ହେଲେ କରୋନା ପାଇଁ ଏହାକୁ ପ୍ରଶାସତ ବାତିଲ କରି ଦେଇଥିଲେ।