କନକ ବ୍ୟୁରୋ : ଧର୍ମେନ୍ଦ୍ରଙ୍କ ପରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଆସିଲ ଫୋନ୍ କଲ୍ । ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ପ୍ରତାପ ଷଡ଼ଙ୍ଗୀଙ୍କୁ ପିଏମଓରୁ ଫୋନ୍ କଲ୍ ଆସିଥିବା ସୂଚନା ମିଳିଛି । ବାଲେଶ୍ୱରରୁ ନିର୍ବାଚନ ଜିତିବା ପରେ ସୋସିଆଲ ମିଡ଼ିଆରେ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଚର୍ଚ୍ଚା । ତାଙ୍କୁ ଓଡ଼ିଶାର ମୋଦି କହୁଛନ୍ତି, ତ ଆଉ କିଏ ରାଜନୀତିର ସନ୍ଥ । ଆଂଚଳିକ ଗଣମାଧ୍ୟମରୁ ଜାତୀୟ ଗଣମାଧ୍ୟମ, ଏମିତି କି ସୋସିଆଲ ମିଡ଼ିଆରେ ବି ଛାଇ ରହିଛନ୍ତି ପ୍ରତାପ ଷଡଙ୍ଗୀ । ଚାରିଆଡେ ଏବେ ଓଡ଼ିଶାର ଜଣେ ସାଂସଦଙ୍କୁ ନେଇ ଚର୍ଚ୍ଚା । ପ୍ରତାପ ଷଡଙ୍ଗୀଙ୍କ ସରଳ ଜୀବନଯାପନ ଏବଂ ତୃଣମୂଳସ୍ତରରେ ଜଡ଼ିତ ନେତା ଭାବରେ ଓଡ଼ିଶାରେ ବେଶ ପରିଚିତ ।
ସରଜ ଜୀବନ ବ୍ୟତୀତ କରୁଥିବା ପ୍ରତାପ ଷଡ଼ଙ୍ଗୀ ଅବିବାହିତ । ଗତ ବର୍ଷ ତାଙ୍କ ମା’ ଇହଧାମ ତ୍ୟାଗ କରିଛନ୍ତି । ଜଣେ ପୁରୁଖା ନେତା ହେବା ସହ ରାଜ୍ୟ ରାଜନୀତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲେ ମଧ୍ୟ ଏକ ଛୋଟ ଘରେ ଅତି ନିରାଡ଼ମ୍ବର ଜୀବନ ଯାଜନ କରନ୍ତି ପ୍ରତାପ । ଲୋକଙ୍କ ସେବା କରିବା ତାଙ୍କ ନିଶା ।
ପୂର୍ବରୁ ବିଧାନସଭାକୁ ୨ ଥର ନିର୍ବାଚିତ ହୋଇଥିବା ପ୍ରତାପ ଷଡଙ୍ଗୀ, ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ଏବେ ଜାତୀୟ ଗଣମାଧ୍ୟମରେ ପ୍ରତାପ ଷଡଙ୍ଗୀଙ୍କ କାହାଣୀଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । ପ୍ରତିପକ୍ଷ କୋଟିପତି ପ୍ରାର୍ଥୀଙ୍କୁ ହରାଇଥିବା ଏହି ନେତାଙ୍କୁ ଜାତୀୟ ଗଣମାଧ୍ୟମରେ ଖୁବ୍ ପ୍ରଶଂସା କରିଛନ୍ତି । ମାଟି ଘରେ ରହୁଥିବା, ସାଇକେଲ ଚଢୁଥିବା ଏବଂ ଗାମୁଛା ପିନ୍ଧି ନଳକୁଅରେ ଗାଧୋଉଥିବା ଚିତ୍ର ଏବେ ସୋସିଆଲ ମିଡ଼ିଆରେ ବି ଘୁରି ବୁଲୁଛି ।