ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଫାର୍ମାସିଷ୍ଟ : ମାଥିଲିରେ ରକ୍ତ ଦେଇ ଅପରିଚିତ ମହିଳାଙ୍କୁ ମରଣ ମୁହଁରୁ ଉଦ୍ଧାର କରି ପ୍ରଶଂସା ସାଉଁଟିଲେ ସମୀର

495

କନକ ବ୍ୟୁରୋ : ଦେବଦୂତ ପାଲଟିଲେ ଫାର୍ମାସିଷ୍ଟ । ରକ୍ତ ଦେଇ ଅପରିଚିତ ମହିଳାଙ୍କୁ ମରଣ ମୁହଁରୁ ଉଦ୍ଧାର କରିଛନ୍ତି ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ସମୀର କୁମାର ତ୍ରିପାଠୀ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ମାଥିଲିରୁ ଏଭଳି ଏକ ଖବର ଆସିଛି । ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ବଡ ରେଙ୍ଗାବେଡା ଗାଁ ର ରଘୁ ଦୁରୁଆଙ୍କ ସ୍ତ୍ରୀ ମଙ୍ଗଳୀ ପ୍ରସବ ଯନ୍ତ୍ରଣାରେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିଲେ । ସେ ଜଣେ ଶିଶୁ କୁ ମଧ୍ୟ ଜନ୍ମ ଦେଇଥିଲେ । କିନ୍ତୁ ଅଧିକ ରକ୍ତସ୍ରାବ ହେବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା ।

ମଙ୍ଗୁଳୀଙ୍କୁ ଏ ପଜଟିଭ ରକ୍ତର ଆବଶ୍ୟକ ରହିଥିଲା । କିନ୍ତୁ ଟଙ୍କା ଅଭାବରୁ ରକ୍ତ ସଂଗ୍ରହ କରିବା ତାଙ୍କ ସ୍ୱାମୀଙ୍କ ପକ୍ଷେ ସମ୍ଭବ ନଥିଲା । ଏହି ଖବର ପାଇବା ପରେ ଖଇରପୁଟର ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ସମୀର ରକ୍ତ ଦେବାକୁ ଆଗେଇ ଆସିଥିଲେ । ମାଲକାନଗିରି ଯାଇ ରକ୍ତ ଦେଇ ପୁଣି ମାଥିଲିକୁ ଠିକ୍ ସମୟରେ ଆଣି ଆଦିବାସୀ ପ୍ରସୂତିଙ୍କ ଜୀବନ ରକ୍ଷା କରିଥିଲେ । ରକ୍ତ ଦେବା ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି ।