ଅଣାୟତ ହେଉଛି ତେଲଦର ! ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଅର୍ନ୍ତଜାତୀୟ ବଜାରରେ ଅସ୍ଥିରତା ଯୋଗୁଁ ବଢୁଛି ଦର

38

କନକ ବ୍ୟୁରୋ : କେବେ କମିବ ପେଟ୍ରୋଲ ଓ ଡିଜେଲ ଦର ? ଏଭଳି ଦ୍ୱନ୍ଦରେ ଗ୍ରାହକ ଛନ୍ଦି ହୋଇପଡିଥିବାବେଳେ ଏନେଇ ରାଜ୍ୟକୁ ବଲ ଫିଙ୍ଗିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ବଢିଥିବାରୁ ତେଲ ଦର ବୃଦ୍ଧି ପାଉଛି । ଡଲାର ଟଙ୍କା ଅସନ୍ତୁଳ ବି ଦରବୃଦ୍ଧିର କାରଣ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଦରବୃଦ୍ଧି ଲୋକଙ୍କ ଉପରେ ପ୍ରଭାବ ପକାଇଛି । ସମାଧାନର ବାଟ ପାଇଁ ବିଚାର ବିମର୍ଷ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜସ୍ୱ ଆଦାୟ କରୁଛନ୍ତି । କେନ୍ଦ୍ର ଆଦାୟ କରୁଥିବା ଟ୍ୟାକ୍ସରୁ ରାଜ୍ୟକୁ ୪୨ ପ୍ରତିଶତ ଫେରୁଛି । ଟ୍ୟାକ୍ସ କମାଇବା ଦାୟିତ୍ୱ କେବଳ କେନ୍ଦ୍ରର ନୁହେଁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗୋଆ ୧୨ ପ୍ରତିଶତ ଭାଟ ନେଉଥିବା ବେଳେ ରାଜ୍ୟ ୨୬ ପ୍ରତିଶତ ଭାଟ ନେଉଛି । ରାଜ୍ୟ ସରକାର ଟିକସ କମାନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଆଜି ଅଧିକାଂଶ ସହରରେ ପେଟ୍ରୋଲ ୮୦ଟଙ୍କା ଟପିଥିବାବେଳେ ମୁମ୍ବାଇରେ ୮ ୫ ଟଙ୍କାରେ ପହଂଚିଛି ପେଟ୍ରୋଲ ଲିଟର ପିଛା ଦର । ଭାରତୀୟ ତୈଳ କମ୍ପାନୀ ମୁତାବକ୍ ଆଜି ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ପାଇଁ ଦେବାକୁ ପଡୁଛି ୭୭ଟଙ୍କା ୪୭ପଇସା । ସେହିପରି ମୁମ୍ବାଇରେ ୮୫ଟଙ୍କା ୨୯ ପଇସାରେ ବିକ୍ରି ହେଉଛି । କୋଲକତାରେ ୮୦ଟଙ୍କା ୧୨ପଇସା ହୋଇଥିବାବେଳେ ଚେନ୍ନାଇରେ ୮୦ଟଙ୍କା ୪୨ ପଇସାରେ ପହଂଚିଛି । ସେପଟେ ଡିଜେଲ ଦରରେ ବି ସମାନ ଅବସ୍ଥା । ଆଜି ଦିଲ୍ଲୀରେ ଡିଜେଲ ଲିଟର ପିଛା ୬୮ଟଙ୍କା ପାର କରିଛି ।ମୁମ୍ବାଇରେ ୭୨ଟଙ୍କା ୯୬ପଇସାରେ ପହଂଚିଥିବାବେଳେ କୋଲକାତାରେ ରହିଛି ୭୧ଟଙ୍କା ୮ପଇସା । ସେହିପରି ଚେନ୍ନାଇରେ ୭୨ଟଙ୍କା ୩୫ ପଇସା ରହିଛି । ୧୦ ଦିନ ହେବ ଲଗାତର ଭାବେ ତୈଳ ଦର ବୃଦ୍ଧି ପାଇଛି । ଆଜି ୧୧ଦିନରେ ବି ଦର କମିବାର ନାଁ ନେଉନାହିଁ । ଗ୍ରାହକଙ୍କ ପକେଟରେ ମାଡ଼ ହେଉଥିବାରୁ ଏହାକୁ ନେଇ ବଡଧରଣର ଅସନ୍ତୋଷ ଦେଖାଦେଇଛି ।

ତେଲ ଦର ବୃଦ୍ଧି ପ୍ରତିବାଦରେ କଟକରେ ୨ ଘଂଟିଆ ପେଟ୍ରୋଲ ପମ୍ପ ବନ୍ଦ । କଟକ ନଗର କଂଗ୍ରେସ କମିଟି ପକ୍ଷରୁ ୨ ଘଂଟିଆ ପେେଟ୍ରୋଲ ପମ୍ପ ବନ୍ଦ କରାଯାଇଥିଲା । ସହରର ସମସ୍ତ ପେଟ୍ରୋଲ ପମ୍ପରେ କଂଗ୍ରେସ ନଗର କମିଟି ପକ୍ଷରୁ ପ୍ରତିବାଦ କରାଯିବା ସହ ପିକେଟିଂ କରିଥିଲେ । ଏଥିସହ ଆସନ୍ତା ୨୬ରେ ମୋଦିଙ୍କ କଟକ ଗସ୍ତ ଥିବା ବେଳେ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯିବ । ଶିକ୍ଷିତ ବେକାର ଯୁବକ ଯୁବତୀ ପକୋଡା ଷ୍ଟଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହାର ଉଦଘାଟନ ପାଇଁ ନିବେଦନ କରିବେ ବୋଲି କହିଛ୍ତି । କାରଣ ପକୋଡା ବ୍ୟବସାୟ କରି ଶିକ୍ଷିତ ବେକାର ଯୁବକ ଯୁବତୀ ଅର୍ଥ ରୋଜଗାର କରିପାରିବେ ବୋଲି ପୂର୍ବରୁ ମୋଦି କହିଥିଲେ ।