କନକ ବ୍ୟୁରୋ : ଦିନକୁ ଦିନ ବଢୁଥିବା ପେଟ୍ରୋଲ ଦରକୁ ନେଇ ଖାଉଟି ଚିନ୍ତାରେ ଥିବା ବେଳେ ଏବେ ଏକ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ଶସ୍ତା ହୋଇପାରେ ପେଟ୍ରୋଲ । ମିଥାନଲ୍ ମିଶ୍ରିତ ପେଟ୍ରୋଲ ବ୍ୟବହାର ନେଇ ନୀତି ଆୟୋଗ ରୋଡମ୍ୟାପ୍ ପ୍ରସ୍ତୁତ କରୁଛି । ଆଉ ଏହା ସମ୍ଭବ ହେଲେ ଖାଉଟିଙ୍କ ମାସିକ ପେଟ୍ରୋଲ ବିଲ୍ ହ୍ରାସ ପାଇବା ନେଇ ଆଲୋଚନା କରାଯାଉଛି ।
ଶସ୍ତା ହେବ ପେଟ୍ରୋଲ । ଏବେ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି । ଯାତ୍ରୀବାହୀ ଯାନବାହନଗୁଡିକ ୧୫ପ୍ରତିଶତ ମିଥାନଲ୍ ମିଶିଥିବା ପେଟ୍ରୋଲରେ ଚଳାଇବା ବାଧ୍ୟତାମୂଳକ ହେବ । ଏହି ଉଦ୍ଦେଶ୍ୟରେ ନୀତି ଆୟୋଗ ଖୁବଶୀଘ୍ର କ୍ୟାବିନେଟରେ ମିଥାନଲ୍ ଅର୍ଥନୀତି ରୋଡମ୍ୟାପ୍ ଆଗତ କରିବ । ଯଦି ଏହି ପ୍ରସ୍ତାବକୁ ଅନୁମୋଦନ ମିଳେ, ତେବେ ପେଟ୍ରୋଲ ହେବ ଶସ୍ତା । ଅନ୍ୟପକ୍ଷରେ ସରକାରଙ୍କ ତୈଳ ଆମଦାନୀ ବୋଝ ମଧ୍ୟ ବହୁ ପରିମାଣରେ କମିଯିବ । ଯଦି ଭାରତ ଉଭୟ ପରିବହନ ଓ ରନ୍ଧନ ପାଇଁ ୧୫ପ୍ରତିଶତ ମିଶ୍ରିତ ଇନ୍ଧନ ବ୍ୟବହାର କରିବ ତେବେ ୨୦୩୦ ସୁଦ୍ଧା ଦେଶର ଅଶୋଧିତ ତେଲ ଆମଦାନୀ ୧୦ହଜାର କୋଟି ଡଲାର ହ୍ରାସ ହେବା ନେଇ ଆକଳନ କରାଯାଉଛି । ଜଣେ ସରକାରୀ ଅଧିକାରୀଙ୍କ ସୂଚନା ମୁତାବକ ମିଥାନଲ୍ ଅର୍ଥନୀତି ରୋଡମ୍ୟାପ୍ ନେଇ ନୀତି ଆୟୋଗ କାର୍ଯ୍ୟ କରୁଛି । ଏନେଇ ଜୁଲାଇ ଶେଷ ସପ୍ତାହରେ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇଥିଲା ।
/kanak/media/post_attachments/wp-content/uploads/2018/05/Petrol-Diesel.jpg)
ଏବେ ଆସନ୍ତୁ ଜାଣିବା କଣ ଏହି ମିଥାନଲ୍ ଅର୍ଥନୀତି ।
-ପେଟ୍ରୋଲରେ ୧୫ପ୍ରତିଶତ ମିଥାନଲ୍ ମିଶାଇବା ପାଇଁ ନୀତି ଆୟୋଗର ପ୍ରସ୍ତାବ
-କୋଇଲାରୁ ଉତ୍ପାଦନ ହେବ ମିଥାନଲ୍
-ପର୍ଯ୍ୟାପ୍ତ ପରିମାଣର ମିଥାନଲ୍ ମିଳିଲେ ଡିଜେଲରେ ମଧ୍ୟ ହେବ ମିିଶ୍ରଣ
-ମିଥାନଲ୍ ଦର ଲିଟର ପିଛା ୨୦ଟଙ୍କାରୁ କମ୍
-ମିଥାନଲ୍ ମିଶ୍ରିତ ପେଟ୍ରୋଲ ୧୦ପ୍ରତିଶତ ଶସ୍ତା ହେବ
-ଲୋକଙ୍କ ମାସିକ ପେଟ୍ରୋଲ ବିଲ୍ ହ୍ରାସ ପାଇବ
-୨୦୩୦ସୁଦ୍ଧା ତୈଳ ଆମଦାନୀ ବୋଝ ୧୦ହଜାର କୋଟି ଡଲାର କମିବ
ଗୋଟିଏ ପଟେ ମିଥାନଲ୍ ମିଶ୍ରିତ ପେଟ୍ରୋଲ ବ୍ୟବହାର କରିବା ନେଇ ନୀତି ଆୟୋଗ ପଦକ୍ଷେପ ନେଉଥିବା ବେଳେ ଏହାକୁ ନେଇ ଅନେକ ପ୍ରଶ୍ନ ଏବଂ ଦ୍ୱନ୍ଦ ମଧ୍ୟ ସାମ୍ନାକୁ ଆସିଛି । ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫାକଚରର୍ସ ମହାନିର୍ଦ୍ଦେଶକ ବିଷ୍ଣୁ ମାଥୁରଙ୍କ ଅନୁଯାୟୀ, ଭାରତରେ ଚାଲୁଥିବା ୪ଚକିଆ ଯାନର ଇଞ୍ଜିନ୍ ୧୮-୨୦ପ୍ରତିଶତ ମିଶ୍ରିତ ଇନ୍ଧନରେ ଚାଲିବା ମୁତାବକ ଡିଜାଇନ କରାଯାଇଛି । ମାତ୍ର ୧୫ପ୍ରତିଶତ ମିଥାନଲ୍ ମିଶ୍ରିତ ଇନ୍ଧନ ବ୍ୟବହାର ପାଇଁ ଇଞ୍ଜିନରେ କଣ ପରିବର୍ତ୍ତନ ଆବଶ୍ୟକ ସେ ନେଇ ପ୍ରଶ୍ନ ରହିଛି । ସେପଟେ ଆଓସିଏଲର ଗବେଷଣା ଓ ବିକାଶ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ମିଥାନଲ୍ ମିଶ୍ରିତ ପେଟ୍ରୋଲ ବ୍ୟବହାର ପାଇଁ ୨ଟି ଆହ୍ୱାନ ରହିଛି ।
/kanak/media/post_attachments/wp-content/uploads/2018/04/petrol-kf4E-621x414@LiveMint.jpg)
୧-ମିଥାନଲ୍ ମିଶ୍ରିତ ଇନ୍ଧନ କେତେ ଦୀର୍ଘସ୍ଥାୟୀ ?
୨-ଗାଡିର ଇଞ୍ଜିନ ସହ କେତେ ଅନୁକୂଳ ?
ମିଥାନଲ୍ ମିଶ୍ରିତ ଇନ୍ଧନ ବ୍ୟବହାର କରିବା ନେଇ ନୀତି ଆୟୋଗ ଘନ ଘନ ବୈଠକ କରୁଥିବା ବେଳେ ଏହି ଇନ୍ଧନର ବ୍ୟବହାର ଆଗକୁ କେତେ ଉପେଯାଗୀ ହେବ ଏବଂ ସାଧାରଣ ଖାଉଟି ଏନେଇ କେତେ ଲାଭବାନ୍ ହେବେ ତା ଉପରେ ସମସ୍ତଙ୍କର ନଜର ରହିଛି ।