ଡରାଉଛି ତେଲଦର : ରାଜଧାନୀରେ ପେଟ୍ରୋଲ ଟପିଲା ୭୯ ଟଙ୍କା, ବ୍ରହ୍ମପୁରରେ ୮୦ ଟଙ୍କା

40

କନକ ବ୍ୟୁରୋ : ରାଜଧାନୀରେ ପେଟ୍ରୋଲ ଟପିଲା ୭୯ ଟଙ୍କା । ଗତକାଲି ପେଟ୍ରୋଲ ଦର ଭୁବନେଶ୍ୱରରେ ୭୯ ଟଙ୍କା ୨୪ ପଇସାରେ ବିକ୍ରି ହୋଇଛି । ଶୁକ୍ରବାର ତୁଳନାରେ ଶନିବାର ୩୯ ପଇସା ମହଙ୍ଗା ହୋଇଛି ପେଟ୍ରେଲ ଦର । ସେହିପରି ଶନିବାର ଡିଜେଲ ଦର ମଧ୍ୟ ୭୭ ଟଙ୍କା ୮୦ ପଇସା ହୋଇଛି । ଶୁକ୍ରବାର ଦର ତୁଳନାରେ ଡିଜେଲ ମଧ୍ୟ ୪୭ ପଇସା ବଢିଛି । ସେପଟେ ବ୍ରହ୍ମପୁର ୮୦ ଟଙ୍କା ଡେଇଁଲା ପେଟ୍ରୋଲ ଦର । ବ୍ରହ୍ମପୁରରେ ଆଜି ପେଟ୍ରୋଲ ଦର ୮୦ ଟଙ୍କା ୧୭ ପଇସା ଓ ଡିଜେଲ ଦର ୭୮ ଟଙ୍କା ୭୩ ପଇସା ରହିଛି । ଜୟପୁରରେ ୮୨ ଟଙ୍କା ୪୧ ପଇସା ପେଟ୍ରୋଲ ଡିଜେଲ ୮୦ ଟଙ୍କା ୯୮ ପଇସାରେ ବିକ୍ରି ହେଉଛି । ଚଳିତ ମାସର ୮ ଦିନ ଭିତରେ ପେଟ୍ରୋଲ ୧ ଟଙ୍କା ୬୯ ପଇସା ଓ ଡିଜେଲ ୨ ଟଙ୍କା ୨୫ ପଇସା ବଢିଛି । ଯାହା ଖାଉଟିଙ୍କ ପକେଟକୁ ଖାଲି କରୁଛି । ତେବେ ସରକାରଙ୍କ ପକ୍ଷରୁ ତେଲ ଦର ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଜନ ଅସନ୍ତୋଷ ମଧ୍ୟ ତେଜିବାରେ ଲାଗିଛି ।

petrol-pump

ପେଟ୍ରୋଲ ଏବଂ ଡିଜେଲ ଦର ଖୁବ ଜୋରରେ ବଢ଼ି ଚାଲିଥିଲେ ମଧ୍ୟ ଖାଉଟିଙ୍କୁ ରିହାତି ଦେବା ଲାଗି ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଗତକାଲି ଆଇସିଟି-ଆଇଓସି ଓଡ଼ିଶାର ପ୍ରଥମ ବ୍ୟାଚ୍ ଆରମ୍ଭ ପାଇଁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତେଲକୁ ଜିଏସ୍ଟି ପରିସରକୁ ଆଣିବା ଲାଗି ତାଙ୍କର ପୂର୍ବ ମତକୁ ଦୋହରାଇଛନ୍ତି । ତେବେ ତେଲ ଦର ବୃଦ୍ଧି ପାଇଁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତର୍ଜାତୀୟ ସ୍ତରର ରାଜନୈତିକ ଓ ଅର୍ଥନୈତିକ କାରଣକୁ ଦାୟୀ କରିଛନ୍ତି । କେବଳ କେନ୍ଦ୍ର ଟିକସ କମାଇଦେଲେ ଏହି ସମସ୍ୟାର ସମାଧାନ ହୋଇଯିବ ନାହିଁ । ଓଡ଼ିଶା ସରକାର ଟିକସ ବୃଦ୍ଧି କରି ପ୍ରାୟ ୭୦୦୦ କୋଟିର ଅଧିକ ଆୟ କରିଛନ୍ତି । ରାଜ୍ୟ ଟିକସ କମାଇଲେ ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧି ପ୍ରଭାବରୁ ଖାଉଟିଙ୍କୁ ଆଶ୍ୱସ୍ତି ମିଳିବ ବୋଲି ସେ କହିଛନ୍ତି ।