ଅସହ୍ୟ ହେଲାଣି ତେଲ ଦର : ନବରଙ୍ଗପୁର ଓ ଜୟପୁରରେ ପେଟ୍ରୋଲ ଲିଟର ୮୨ ଟଙ୍କା ଟପିଲା

25

କନକ ବ୍ୟୁରୋ : ପୁଣି ବଢିଲା ତେଲ ଦର । ନବରଙ୍ଗପୁର ଓ ଜୟପୁରରେ ୮୨ ଟଙ୍କା ଟପିଲା ପେଟ୍ରୋଲ ଦର । ଲଗାତର କିଛି ଦିନ ହେଲା ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଗତକାଲି ତୁଳନାରେ ଆଜି ପୁଣି ତୈଳ ଦର ବୃଦ୍ଧି ହୋଇଛି । ନବରଙ୍ଗପୁରରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା ୯ ପଇସା ହୋଇଥିବାବେଳେ ଡିଜେଲ ଲିଟର ପିଛା ଦର ରହିଛି ୮୦ ଟଙ୍କା ୫୭ ପଇସା । ସେହିପରି ଜୟପୁରରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା ୨ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୮୦ ଟଙ୍କା ୫୦ ପଇସା ହୋଇଛି । ସେପଟେ ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁରରେ ପେଟ୍ରୋଲ ଲିଟର ପିଛା ୭୯ ଟଙ୍କା ୭୯ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୭୮ ଟଙ୍କା ୨୬ ପଇସା ହୋଇଛି । ଏପଟେ କଟକରେ ପେଟ୍ରୋଲ ଲିଟର ପିଛା ୭୯ ଟଙ୍କା ୭ ପଇସା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୭୭ ଟଙ୍କା ୫୪ ପଇସା ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୮ ଟଙ୍କା ୮୫ ପଇସା ରହିଥିବା ବେଳେ ଡିଜେଲ ଦର ରହିଛି ୭୭ ଟଙ୍କା ୩୩ ପଇସା ।

ସୂଚନାଯୋଗ୍ୟ ଗୁରୁବାର ତୁଳନାରେ ଶୁକ୍ରବାର ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୪୭ ପଇସା ବଢ଼ିଥିବା ବେଳେ ଡିଜେଲ ଦର ୫୬ ପଇସା ବୃଦ୍ଧି ପାଇଛି । ନିକଟ ଅତୀତରେ ଗୋଟିଏ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦରରେ ଏଭଳି ବୃଦ୍ଧି ପ୍ରାୟତଃ ଦେଖାଦେଇ ନଥିଲା । ଚଳିତମାସ ଆରମ୍ଭରେ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୭୭ ଟଙ୍କା ୫୫ ପଇସା ଥିଲା। କିନ୍ତୁ ୭ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧ ଟଙ୍କା ୩୦ ପଇସା ବୃଦ୍ଧି ଘଟିଲାଣି। ସେହିଭଳି ଏହି ୭ ଦିନ ମଧ୍ୟରେ ଡିଜେଲ ଦର ଲିଟର ପିଛା ୧ ଟଙ୍କା ୭୮ପଇସା ମହଙ୍ଗା ହୋଇଗଲାଣି ।ଦେଶରେ ପେଟ୍ରୋଲ ଦର ଗତ କିଛିଦିନ ହେଲା କ୍ରମାଗତ ଭାବେ ବଢ଼ି ଚାଲିଥିଲେ ମଧ୍ୟ ସରକାର ଏହାର ଦର ହ୍ରାସ କରି ଖାଉଟିଙ୍କୁ ରିହାତି ଦେବା ଲାଗି କୌଣସି ପଦକ୍ଷେପ ନେଉନାହାନ୍ତି । ଏତଦ୍ବ୍ୟତୀତ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟରେ ଥିବା ପାର୍ଥକ୍ୟ ଦିନକୁ ଦିନ କମିବାରେ ଲାଗିଛି ।