ପେଟ୍ରୋଲରେ ଲାଗିଛି ମହଙ୍ଗା ନିଆଁ ! ଗତ ୯ଦିନ ଧରି ପ୍ରତିଦିନ ବଢୁଛି ପେଟ୍ରୋଲ ଦର

37

କନକ ବ୍ୟୁରୋ : ହୁ ହୁ ହୋଇ ବଢ଼ୁଛି ପେଟ୍ରୋଲ ଦର । ପେଟ୍ରୋଲରେ ଲାଗିଛି ମହଙ୍ଗା ନିଆଁ । ଗତ ୯ ଦିନ ଧରି ପ୍ରତ୍ୟେକ ଦିନ ତେଲ ଦର ବଢିବାରେ ଲାଗିଛି । ଆଜି ମଧ୍ୟ ଓଡିଶାରେ ପ୍ରାୟ ୩୦ ପଇସା ବଢିଛି ପେଟ୍ରୋଲ ଦର । ସାଧାରଣ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ଓଡିଶା ତୈଳ ବିତରକ ସଂଘ ଆଶଙ୍କା ପ୍ରକାଶ କରିଛି ଯେ, ଆହୁରି ୨ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଦାମ୍ ବଢ଼ିପାରେ ।

petrol price hike

କାର ଚଢ଼ୁଥିବା ଲୋକ ବାଇକ୍ ଚଢୁଛି । ବାଇକ୍ ଚଳାଉଥିବା ଲୋକ ସାଇକେଲ ଚଢ଼ିବାର ଆଶଙ୍କା କରୁଛି । ତେଲ ଦର ଯେତିକି ଅଣାୟତ ହେଉଛି ଗ୍ରାହକଙ୍କ ମଧ୍ୟରେ ସେତିକି ଡର ବଢୁଛି । ଗତ ୫ବର୍ଷରେ ପଟ୍ରୋଲ ଓ ଡିଜେଲ ଦର ସବୁ ରେକର୍ଡ ଟପି ଯାଉଥିବା ବେଳେ କାଳେ ଦର ସେଂଚୁରୀ ମାରିବ ସେହି ଆଶଙ୍କାରେ ଅଛନ୍ତି ଗ୍ରାହକ । ଶହେ ଟଙ୍କା ଟପି ଯିବ କି ତୈଳ ଦର ? ଏହି ଆଶଙ୍କା ଭିତରେ ଗ୍ରାହକ ଥିବା ବେଳେ ତୈଳ ବିତରକ ସଂଘର ଆକଳନ ପୁଣି ଥରେ ଗ୍ରାହକଙ୍କୁ ଚିନ୍ତାରେ ପକାଇ ଦେଇଛି । କିଛି ଦିନ ଭିତରେ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ଦୁଇ ଟଙ୍କା ବଢ଼ିଥିବା ବେଳେ ଆହୁରୀ ଦୁଇ ଟଙ୍କା ବଢ଼ିବାର ସଂଭାବନା ରହିଛି ।

Petrol Price hike

ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୭୫ ଟଙ୍କା ୩୯ ପଇସା ଥିବା ବେଳେ ମଙ୍ଗଳବାର ଏହା ରହିଛି ୭୫ଟଙ୍କା ୬୯ ପଇସା । ଅର୍ଥାତ୍ ଗୋଟିଏ ଦିନରେ ୩୦ ଟଙ୍କା ବୃଦ୍ଧି ପାଇଛି । ବିଗତ ୫ ଦିନରେ ପେଟ୍ରୋଲର ବର୍ଦ୍ଧିତ ଦର ଉପରେ ନଜର ପକାନ୍ତୁ . . . .

-ମେ’ ୧୬ ତାରିଖରେ ଥିଲା ୭୩ ଟଙ୍କା ୯୪ ପଇସା, ପୂର୍ବ ଦିନଠାରୁ ବଢ଼ିଥିଲା ୧୫ ପଇସା
-ମେ’ ୧୭ ତାରିଖ ହେଲା ୭୪ ଟଙ୍କା ୧୫ ପଇସା, ଅର୍ଥାତ୍ ବଢ଼ିଲା ୨୧ ପଇସା
-ମେ’ ୧୮ ତାରିଖ ହେଲା ୭୪ ଟଙ୍କା ୪୪ ପଇସା, ଅର୍ଥାତ୍ ବଢ଼ିଲା ୨୯ ପଇସା
-ମେ’ ୧୯ ତାରିଖ ହେଲା ୭୪ ଟଙ୍କା ୭୪ ପଇସା, ଅର୍ଥାତ୍ ବଢ଼ିଲା ୩୦ ପଇସା
-ମେ’ ୨୦ ତାରିଖ ହେଲା ୭୫ ଟଙ୍କା ୦୬ ପଇସା, ଅର୍ଥାତ୍ ବଢ଼ିଲା ୩୨ ପଇସା

ପେଟ୍ରୋଲ ଦରର ବର୍ଦ୍ଧିତ ତାଲିକା କହୁଛି ଦିନ ପରେ ଦିନ ଏହା ବଢୁଛି ସିନା କମିବାର ନାଁ ନେଉଛି । ଯାହା ଗ୍ରାହକଙ୍କୁ ଗାଡ଼ି କାଢ଼ି ବାହାରକୁ ଯିବା ପାଇଁ ଦୁଇଥର ଭାବିବାକୁ ପଡୁଛି । ଆଉ ଏବେ ବିତରକ ସଂଘ ବି ନାଚାର । ଟ୍ୟାକ୍ସ ବ୍ୟବସ୍ଥାର ଜଟିଳ ଗଣିତ ଭିତରେ ଅଶୋଧିତ ତୈଳ ଦର ଏବଂ ଡଲାର ତୁଳନାରେ ଟଙ୍କାର ମୂଲ୍ୟହ୍ରାସ, ପେଟ୍ରୋଲ ଓ ଡିଜେଲ ଦର ଉପରେ ସିଧାସଳଖ ପ୍ରଭାବ ପକାଉଛି ।

petrol price remain constant during election

ଏବେ ଆସନ୍ତୁ ଜାଣିବା ପେଟ୍ରୋଲିୟମ ପଦାର୍ଥ ଉପରେ ଚଢା ଟ୍ୟାକ୍ସ ଓ ଶୁଳ୍କ ଯୋଗୁଁ କେନ୍ଦ୍ର ଓ ରାଜ୍ୟ ଲାଭବାନ ହୋଇଛନ୍ତି କେତେ ?

ଚଢା ଟ୍ୟାକ୍ସ ଓ ଶୁଳ୍କ ଯୋଗୁଁ ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଆୟ ଯଥେଷ୍ଟ ବଢିଛି । ଟ୍ୟାକ୍ସ ଓ ଶୁଳ୍କ ଯୋଗୁଁ ୨୦୧୪-୨୦୧୫ ମସିହାରେ କେନ୍ଦ୍ର ସରକାରଙ୍କ ଆୟ ଥିଲା ୧ ଦଶମିକ ୩ ଲକ୍ଷ କୋଟି । କିନ୍ତୁ ୨୦୧୬-୨୦୧୭ରେ ଏହି ଆୟ ବଢି ହୋଇଛି ୨ ଦଶମିକ ୭ ଲକ୍ଷ କୋଟିି । ଅର୍ଥାତ କେନ୍ଦ୍ର ସରକାରଙ୍କ ଆୟରେ ୧୧୭ ପ୍ରତିଶତ ବୃଦ୍ଧି ହୋଇଛି । ଏହି ତୁଳନାରେ କିନ୍ତୁ ରାଜ୍ୟ ସରକାରଗୁଡିର ସେଭଳି ଲାଭବାନ ହୋଇନାହାନ୍ତି । ୨୦୧୪-୨୦୧୫ ମସିହାରେ ରାଜ୍ୟ ସରକାରଗୁଡିକର ଆୟ ୧ ଦଶମିକ ୬ ଲକ୍ଷ କୋଟି ଥିବାବେଳେ ୨୦୧୬-୨୦୧୭ରେ ଏହା ବଢିଛି ୧ ଦଶମିକ ୯ ଲକ୍ଷ କୋଟି । ଅର୍ଥାତ ରାଜ୍ୟ ସରକାରଗୁଡିକର ଆୟରେ ମାତ୍ର ୧୮ ପ୍ରତିଶତ ଲାଭ ହୋଇଛି ।