ହୁ ହୁ ହୋଇ ବଢ଼ୁଛି ପେଟ୍ରୋଲ୍‌ ଓ ଡିଜେଲ ଦର ! ୪ ବର୍ଷରେ ସବୁଠାରୁ ମହଙ୍ଗା

65

କନକ ବ୍ୟୁରୋ : ପେଟ୍ରୋଲ୍‌ ଓ ଡିଜେଲ ଦର ବେଲଗାମ ହୋଇପଡ଼ିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବଢ଼ି ଚାଲିଥିବାରୁ ସ୍ଥାନୀୟ ବଜାରରେ ପେଟ୍ରୋଲ୍‌ ଓ ଡିଜେଲ ମହଙ୍ଗା ହେଉଛି । ସାରା ଦେଶରେ ଦରବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିଛି । ପେଟ୍ରୋଲ୍‌ ଓ ଡିଜେଲ ଦର ଚାରି ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି । ଶେଷ ଥର ୨୦୧୩ ସେପ୍ଟେମ୍ବରରେ ତେଲ ଦର ଏଭଳି ଉଚ୍ଚ ସ୍ତରରେ ଥିଲା । ମୁମ୍ବାଇରେ ପେଟ୍ରୋଲ୍‌ର ଲିଟର ପିଛା ଦର ସର୍ବାଧିକ ୮୧ ଟଙ୍କା ୯୩ ପଇସା ହୋଇଛି ।

ଦିଲ୍ଲୀରେ ପେଟ୍ରୋଲ୍‌ ଦର ୭୪ ଟଙ୍କା ୮ ପଇସା, କୋଲକାତାରେ ୭୬ ଟଙ୍କା ୭୮ ପଇସା ଓ ଚେନ୍ନାଇରେ ୭୬ ଟଙ୍କା ୮୫ ପଇସା ହୋଇଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୭୩ ଡଲାରରୁ ଅଧିକ ହୋଇଯାଇଛି । ଯାହା ସ୍ଥାନୀୟ ଖୁଚୁରା ବଜାର ଦରକୁ ପ୍ରଭାବିତ କରୁଛି । ୨୦୧୪ରେ ଏନ୍‌ଡିଏ ସରକାର ଶାସନ ଭାର ଗ୍ରହଣ କରିବା ବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ୩୦ ଡଲାର ପାଖାପାଖି ଥିଲା । ଏହାର ସୁଯୋଗ ନେଇ ସରକାର ପେଟ୍ରୋଲ୍‌ ଓ ଡିଜେଲ ଉପରେ ଚଢ଼ା ଦରର ଉତ୍ପାଦନ ଶୁଳ୍କ ଲାଗୁ କରି ବିପୁଳ ପରିମାଣର ରାଜସ୍ୱ ହାସଲ କରିଛନ୍ତି । ନିୟମିତ ବ୍ୟବଧାନରେ ଟିକସ ପରିମାଣ ବୃଦ୍ଧି କରି ସରକାର ରାଜସ୍ୱ ପରିମାଣ ବଢ଼ାଇଥିଲେ ।

ଭାରତ ନିଜ ତୈଳ ଆବଶ୍ୟକତାର ୮୦% ଆମଦାନି ଜରିଆରେ ପୂରଣ କରୁଛି ତେଣୁ ପେଟ୍ରୋଲ୍‌ ଓ ଡିଜେଲ ଦର ସିଧାସଳଖ ଆନ୍ତର୍ଜାତିକ ବଜାର ଦର ଅନୁସାରେ ହ୍ରାସ କିମ୍ବା ବୃଦ୍ଧି ହେଉଛି । ଅଶୋଧିତ ତୈଳ ଦର ବଢ଼ୁଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରାଯାଇଥିବା ଉତ୍ପାଦନ ଶୁଳ୍କକୁ ସରକାର କମ୍‌ କରିବାକୁ ଚାହୁଁନାହାନ୍ତି । ସେଥିପାଇଁ ଏହି ଦୁଇ ଇନ୍ଧନର ମୂଲ୍ୟ ଚାରି ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି । ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ୯ ଥର ବୃଦ୍ଧି କରାଯାଇଛି । ଏହି ୧୫ ମାସ ଭିତରେ ପେଟ୍ରୋଲ ଉପରେ ୧୧ ଟଙ୍କା ୭୭ ପଇସା ଓ ଡିଜେଲ ଉପରେ ୧୩ ଟଙ୍କା ୪୭ ପଇସାର ଅତିରିକ୍ତ ଟିକସ ବସାଯାଇଛି ।

diesel-petrol_2953700f

ଟିକସ ପରିମାଣ ବଢ଼ାଇ ସରକାର ମାଲାମାଲ ହୋଇଛନ୍ତି । ତେଲରୁ ମିଳୁଥିବା ରାଜସ୍ୱ ପରିମାଣ ଦୁଇ ଗୁଣ ବଢ଼ିଯାଇଛି । ୨୦୧୪-୧୫ରେ ତେଲରୁ ୯୯ ହଜାର କୋଟି ଟଙ୍କାର ଟିକସ ମିଳିିଥିଲା । ୨୦୧୬-୧୭ ବେଳକୁ ତାହା ୨ ଲକ୍ଷ ୪୨ ହଜାର କୋଟି ଟଙ୍କାରେ ପହଞ୍ଚିଯାଇଛି । ଚଳିତ ମାସରେ ପେଟ୍ରୋଲ୍‌ ଓ ଡିଜେଲ ଦରରେ ଅଧିକ ବୃଦ୍ଧି ହୋଇଛି । ପେଟ୍ରୋଲ୍‌ ମୂଲ୍ୟରେ ୫୦ ପଇସାରୁ ଅଧିକ ଓ ଡିଜେଲ ଦର ୯୦ ପଇସାରୁ ଅଧିକ ବଢ଼ିସାରିଲାଣି । ୨୦୧୮ ଆରମ୍ଭ ପରଠାରୁ ପେଟ୍ରୋଲ ଦର ପାଖାପାଖି ୪ ଟଙ୍କା ଓ ଡିଜେଲ ଦର ୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଲାଣି । ତେଲ ଦର ନିର୍ଧାରଣର ସ୍ୱାଧୀନତା କଂପାନିଗୁଡ଼ିକୁ ପ୍ରଦାନ କରାଯାଇଛି । ସେମାନେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ସଂଶୋଧନ କରୁଛନ୍ତି । ଆନ୍ତର୍ଜାତିକ ବଜାର ଦର ହିସାବକୁ ନେଇ କଂପାନିଗୁଡ଼ିକ ତେଲ ଦର ହ୍ରାସ କିମ୍ବା ବୃଦ୍ଧି କରୁଛନ୍ତି ।