ଓଡ଼ିଶା ଚାଷୀଙ୍କ ପାଇଁ ନୂଆଁ ସଙ୍କଟ ‘ପେଥାଇ’ ! ବାତ୍ୟା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା, ପାଣି ଭିତରେ ବୁଡି ରହିଛି କଟାଧାନ

150

କନକ ବ୍ୟୁରୋ : ତିତିଲର ତାଣ୍ଡବ ମନରୁ ଲିଭି ନଥିବା ବେଳେ ଏବେ ପେଥାଇ ଓଡ଼ିଶା ଚାଷୀଙ୍କ ପାଇଁ ନୂଆ ସଂକଟ ହୋଇ ସାମ୍ନାକୁ ଆସିଛି । ବାତ୍ୟା ପେଥାଇର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ଯୋଗୁଁ ଅମଳ ହୋଇଥିବା ଧାନ ନଷ୍ଟ ହେବାକୁ ବସିଲାଣି । କୋହଳା ପାଗ ଏବଂ ଝିପି ଝିପି ବର୍ଷାରେ ଭିତରେ ନିଜ ପରିଶ୍ରମର ମୂଳ ସାଉଁଟିବାକୁ ଉଦ୍ୟମ କରୁଛି ଚାଷୀ । ପାଣି ଭିତରେ ବୁଡି ରହିଛି କଟାଧାନ । ଆଉ କେଉଁ କିଛି ଧାନକୁ ଅମଳ କରି ଖଳାରେ ସାଇତି ରଖିଥିଲା ଚାଷୀ, ତାହା ବି ବର୍ଷାରେ ଭିଜି ନଷ୍ଟ ହେବା ଉପରେ ।

ପେଥାଇର ପ୍ରଭାବରେ ଉଜୁଡି ଯାଇଛି ସମ୍ବଲପୁର ଜିଲ୍ଲାର ଶହ ଶହ ଏକର ଧାନ । ଜିଲ୍ଲାର ସିନ୍ଦୁରପଙ୍କ, ତାଲବ, ଯୁଯୁମୁରା ଏବଂ ଧମା ଅଂଚଳରେ ନଷ୍ଟ ହୋଇଯାଇଛି ଧାନ ଫସଲ । ବହୁ କଷ୍ଟରେ ଚକଡ଼ା ଦାଉରୁ ଯେଉଁ ଧାନକୁ ବଂଚାଇଥିଲା ଚାଷୀ, ତାହା ଏବେ ବର୍ଷ ମୁହଁରେ ପଡ଼ିଛି । ଏପଟେ କୋରାପୁଟ ଜିଲ୍ଲା ଜୟପୁର ଅଂଚଳର ଚାଷୀଙ୍କ ଅବସ୍ଥା ଆହୁରୀ ସଂଗୀନ । କାରଣ ଏଠି ଅମଳ ହୋଇଥିବା ଧାନ ଖଳାରେ ହିଁ ଗଜା ହୋଇଗଲାଣି । ଅମଳ ହୋଇଥିବା ଧାନକୁ ଚାଷୀ ସୁରକ୍ଷିତ ରଖିବାକୁ ଦରିପାଲ ସିନା ଢ଼ାଙ୍କିଛି, ହେଲେ ତାହା ଯଥେଷ୍ଟ ହେଉନି ।

ଜୟପୁରର ମଧ୍ୟ ସମାନ ଅବସ୍ଥା । ବାତ୍ୟା ପେଥାଇ ଆନ୍ଧ୍ର ଉପକୂଳରେ ମାଡ଼ ହୋଇନି ବରଂ ଓଡ଼ିଶା ଚାଷୀର ପେଟ ଉପରେ ମାଡ଼ ହୋଇଛି । ଧାରକରଜ କରି ଚାଷ କରିଥିବା ଚାଷୀ ଏବେ କ’ଣ କରିବେ ଚିନ୍ତା ବି କରି ପାରୁ ନାହାଁନ୍ତି । ଅନୁରୁପ ଚିତ୍ର ଦେଖିକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ । ଏଠି କେବଳ ଧାନ ଚାଷ ପ୍ରଭାବିତ ହୋଇନି, ଅଦିନିଆ ବର୍ଷାରେ ଧାନ ସହ ଉଜୁଡି ଯାଇଛି ମକା ଚାଷ । ଅମଳ ହୋଇଥିବା ଫସଲ ଏବେ ଖଳାରେ ହିଁ ନଷ୍ଟ ହେବାକୁ ବସିଲାଣୀ ।

ତିତିଲିର ଦୁଃଖ ମନରୁ ଲିଭି ନଥିବା ବେଳେ ଏବେ ପେଥାଇ ପ୍ରଭାବରେ ସୃଷ୍ଟି ହୋଇଥିବା ବର୍ଷା ଚାଷୀର ଦୁଃଖକୁ ଦୁଇଗୁଣିତ କରିଦେଇଛି । ଆଉ ଚାଷୀଙ୍କ ପାଖରେ ଆବଶ୍ୟକ ପାଲ ନଥିବାରୁ ଖୋଲା ଆକାଶରେ ହିଁ ଭିଜୁଛି ଧାନ ଓ ମକା ଫସଲ । ଏଭଳି ସ୍ଥିତରେ ଚାଷୀଙ୍କ ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରୁଛି ସରକାରୀ ସହାୟତା ଉପରେ ।