କନକ ବ୍ୟୁରୋ : ଜାଗିଛି ସମ୍ବିଧାନ । ଆଉ ଜାଗିଛନ୍ତି ଲୋକ । ସମ୍ବିଧାନରେ ନିଜ ପାଇଁ ଥିବା ଆଇନକୁ ଲାଗୁ କରିବା ଦାବିରେ ଲଢେଇ ଆରମ୍ଭ କରିଛନ୍ତି ଆଦିବାସୀ । ଯୁଦ୍ଧଂ ଦେହି ଡାକାରା ଦେଇ କିଛି ଠୋସ ପଦକ୍ଷେପ ନେବାକୁ ଯାଉଛନ୍ତି ସୁନ୍ଦରଗଡ ଜିଲ୍ଲାର ମୂଳ ଅଧିବାସୀ । ଏମାନଙ୍କ କହିବା ଅନୁଯାୟୀ, ଆଦିବାସୀମାନେ ନିଜ ଅଚଂଳରେ ନିଜେ ଶାସନ ଚଳାଇଛନ୍ତି । ମାନୁନାହାନ୍ତି କେନ୍ଦ୍ର କି ରାଜ୍ୟ ସରକାରଙ୍କ ନିୟମ । ଏମିତି କି ଜିଲ୍ଲାପାଳ ହୁଅନ୍ତୁ ବା ଏସପି କାହାରିକୁ ସିଧାସଖଳ ଆଦିବାସୀ ଗାଁକୁ ପଶିବାକୁ ଦେଉନାହାନ୍ତି । ସମ୍ବିଧାନର ଦ୍ୱାହି ଦେଇ ନିଜ ହକ୍ ପାଇଁ ଆଦିବାସୀ ଲଢେଇ ଜାରି ରଖିଥିବା ବେଳେ ସୁନ୍ଦରଗଡରେ ଠପ୍ ହୋଇଯାଇଛି ବିକାଶମୂଳକ କାମ ।
ଆଦିବାସୀ ଗାଁରେ ଚାଲିବ ନାହିଁ କେନ୍ଦ୍ର କି ରାଜ୍ୟ ସରାକାରଙ୍କ ନିୟମ କାନୁନ । ଗାଁରେ ପଶି ପାରିବେ ନାହିଁ ଜିଲ୍ଲାପାଳ କି ଏସପି । ଏମିକି କିଛି ଚରମବାଣୀ ଶୁଣାଇଛନ୍ତି ସୁନ୍ଦରଗଡ ଜିଲ୍ଲାର ମୂଳ ଅଧିବାସୀ । ଆଦିବାସୀମାନେ ଜିଲ୍ଲାର ବିଶ୍ରା ଠାରୁ ହେମଗିରି ଯାଏଁ ଆଦିବାସୀ ଗାଁରେ ଚଳାଇଛନ୍ତି ପଥରଗାଡ ଶାସନ । ଆଦିବାସୀମାନେ ନିଜେ ଏକ କମିଟି କରିଛନ୍ତି, ଯେଉଁ କମିଟି ହିଁ ଗାଁରେ ଶାସନ କରୁଛି । ପ୍ରଶାସନର ଗ୍ରାମସଭା ନୁହେଁ ବରଂ ପେଶା ଆଇନ ଅନୁସାରେ ଗ୍ରାମସଭା କରାଯାଇ ସମସ୍ତ ପ୍ରସଙ୍ଗର ମିମାଂଶା କରୁଛନ୍ତି ଆଦିବାସୀ । ତେବେ ସରକାରୀ ଭାବେ ପେଶା ଆଇନ୍ ଲାଗୁ ନହେବା ଯାଏଁ ଜିଲ୍ଲାର ଆଦିବାସୀ ଗାଁରେ ପ୍ରଶାସନର ଗ୍ରାମସଭାରେ କୌଣସି ବିକାଶମୂଳକ କାମ ହୋଇପାରିବ ନାହିଁ ରୋକଠୋକ ଶୁଣାଇଦେଇଛନ୍ତି ।
ପେଶା ଆଇନ୍ ସମ୍ବନ୍ଧରେ କିଛି ତଥ୍ୟ . . .
୧. ୧୯୯୬ ମସିହାରେ ପାରିତ ହୋଇଛି ପେଶା ଆଇନ
୨. ସମ୍ବିଧାନର ଧାରା ୨୪୪ ପଂଚମ ଅନୁଚ୍ଛେଦ ଅନୁଯାୟୀ ଆଦିବାସୀମାନେ ଏହି ଆଇନ୍ ଜରିଆରେ ନିଜକୁ ସୁହାଇଲା ଭଳି ଶାସନ ବ୍ୟବସ୍ଥା କରିପାରିବେ
୩. ଆଦିବାସୀ ଅଂଚଳରେ ଥିବା ଜଳ, ଜଙ୍ଗଲ ଜମି ଏବଂ ସମସ୍ତ ଖଣିଜ ପଦାର୍ଥ ଉପରେ ଆଦିବାସୀଙ୍କ ସଂପୂର୍ଣ୍ଣ ଅଧିକାର ରହିଛି ।
୪. ଗ୍ରାମସଭାର ଅନୁମତି ବିନା ଆଦିବାସୀ ଅଂଚଳର କୌଣସି ପ୍ରାକୃତିକ ସମ୍ପତି ଉପରେ କେହି ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ ।
୫. ଏପରିକି ସରକାର ଓ ପ୍ରଶାସନକୁ ବି ଗ୍ରାମସଭାରୁ ଅନୁମତି ନେବାକୁ ପଡିବ ।
ହେଲେ ସୁନ୍ଦରଗଡର ଆଦିବାସୀ ଅଂଚଳରେ ପ୍ରଶାସନ ପୋଲିସକୁ ଲଗାଇ ଜୁଲୁମ କରିବା ସହ ମାଆ ମାଟିକୁ କଂପାନୀ ହାତରେ ଟେକି ଦେଉଥିବା ଅଭିଯୋଗ କରିଛନ୍ତି ବୀରମିତ୍ରପୁର ବିଧାୟକ ଜର୍ଜ ତୀର୍କି ।
ଜିଲ୍ଲାରେ ଅଦିବାସୀମାନେ ବିକାଶ କାର୍ଯ୍ୟକୁ ବିରୋଧ କରୁଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସୁନ୍ଦରଗଡ ବାସିନ୍ଦା । ଆଦିବାସୀମାନେ ନିଜ ଅଧିକାରକୁ ସାବ୍ୟସ୍ତ କରିବା, ହକ୍ ପାଇଁ ଲଢେଇ କରିବା, ନିଜ ଗାଁରେ ନିଜେ ଶାସନ କରିବା ଠିକ୍ । ହେଲେ ବିକାଶକୁ ବନ୍ଦ କରିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି । ତେବେ ବିକାଶମୂଳକ କାମକୁ ବନ୍ଦ କରିବା ପାଇଁ ଆଦିବାସୀମାନେ ଚେଷ୍ଟା କଲେ ପ୍ରଶାସନ ହାତବାନ୍ଧି ବସିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।