ଫୋନି ବିଗାଡ଼ିଦେଲା ସ୍ଥିତି : ଟାୱାର ବସାଇବା ପାଇଁ ଛାତ ଦେବାକୁ ଲୋକେ ନାରାଜ

239

କନକ ବ୍ୟୁରୋ : ବାତ୍ୟା ଫନି ପରେ ମୋବାଇଲ୍ କଂପାନିଗୁଡ଼ିକ ନୂଆ ପ୍ରକାର ସମସ୍ୟା ସାମ୍ନା କରୁଛନ୍ତି । ଟାୱାର ବସାଇବା ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି । ମୋବାଇଲ ଟାୱାର ବସାଇବା ଲାଗି ନିଜର ଛାତ ଦେବାକୁ ଲୋକମାନେ ରାଜି ହେଉନାହାନ୍ତି । ଏବେ ସ୍ଥିତି ଏଭଳି ହୋଇଛି ଯେ ଟାୱାର ବସାଇବା ପ୍ରସ୍ତାବ ନେଇ ଲୋକମାନଙ୍କ ପାଖକୁ ଯାଉଥିବା କଂପାନି ଅଧିକାରୀଙ୍କୁ ଗାଳିମନ୍ଦ ଶୁଣିବାକୁ ପଡ଼ୁଛି । ବାତ୍ୟାରେ ଅନେକ ଟାୱାର ଭାଙ୍ଗି ଯାଇଥିଲା । ସେହି ଟାୱାର ଭାଙ୍ଗି ଯେଉଁ ସ୍ଥାନରେ ପଡ଼ିଥିଲା‌, ସେଠାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

ଟାୱାର ପାଇଁ ଛାତ ଦେବାକୁ ଲୋକମାନେ ଅମଙ୍ଗ ହେବାର ଏହା ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଏହି ସମସ୍ୟା ବିଷୟରେ ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ୍‌),ଓଡ଼ିଶା ସର୍କଲ୍‌ର ସିଜିଏମ୍ ଡକ୍ଟର ଉଦୟ ଶଙ୍କର ପଣ୍ଡା କହିଛନ୍ତି ଯେ, ଭୁବନେଶ୍ବର ଭଳି ସହରରେ ଆମକୁ ଟାୱାର ବସାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି । ସାଧାରଣ କୋଠା ଅଥବା ଆପାର୍ଟମେଣ୍ଟ୍‌,କୌଣସି କୋଠାର ଛାତ ମିଳୁନାହିଁ । ଦିନ ଥିଲା ଲୋକମାନେ ନିଜ ଆଡ଼ୁ ଟାୱାର ବସାଇବାକୁ ପ୍ରସ୍ତାବ ଦେଉଥିଲେ । ବାତ୍ୟା ପରେ କିନ୍ତୁ ସ୍ଥିତି ବଦଳିଯାଇଛି ।

ସହରାଞ୍ଚଳରେ ସାଧାରଣତଃ ‌ବଡ଼ କୋଠା ଘରଗୁଡ଼ିକର ଛାତ ଉପରେ ମୋବାଇଲ୍‌ ଟାୱାରଗୁଡ଼ିକୁ ବସାଯାଇଥାଏ । ବାତ୍ୟା ସମୟରେ ବିଏସ୍‌ଏନ୍‌ଏଲ୍‌ର ୫୦ଟି ଟାୱାର ଭାଙ୍ଗି ଯାଇଥିଲା । ସେଗୁଡ଼ିକ ସବୁ ବଡ଼ ଟାୱାର ଥିଲା । ସେହି ସବୁ ଟାୱାର ବସାଇବାରେ ମୋଟା ଅଙ୍କର ଖର୍ଚ ହୋଇଥିଲା । ଟାୱାରଗୁଡ଼ିକ ଭାଙ୍ଗିଯିବା ପରେ କଂପାନି ବିପୁଳ କ୍ଷତି ସହିଛି । ଏହି ସମସ୍ୟାର ମୁକାବିଲା କରିବା ପାଇଁ ବିଏସ୍‌ଏନ୍‌ଏଲ୍‌ ତରଫରୁ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି ।
ବଡ଼ ଟାୱାର ବଦଳରେ ‘ପୋଲ୍ ଟାୱାର’ ବସାଇବା ଉପରେ କଂପାନି ଅଧିକ ଧ୍ୟାନ ଦେଉଛି । ପୋଲ୍ ଟାୱାରଗୁଡ଼ିକ ଆକାରରେ ଛୋଟ ଏବଂ ସେଗୁଡ଼ିକର କ୍ଷମତା (କାପାସିଟି) ମଧ୍ୟ କମ୍ । ଗୋଟିଏ ପୋଲ୍‌ ଟାୱାର ବସାଇବା ପାଇଁ ମାତ୍ର ଲକ୍ଷେ ଟଙ୍କା ଖର୍ଚ ହେଉଛି। ସେଗୁଡ଼ିକୁ ଛାତ ଉପରେ ବସାଇବାର କୌଣସି ଆବଶ୍ୟକତା ନାହିଁ । ମାଟି ଉପରେ ଯେକୌଣସି କମ୍ ଉଚ୍ଚତା ବିଶିଷ୍ଟ ସ୍ଥାନରେ ସେଗୁଡ଼ିକୁ ସ୍ଥାପନ କରାଯାଇପାରୁଛି । ବର୍ତ୍ତମାନ ସୁଦ୍ଧା କଂପାନି ତରଫରୁ ୧୯ଟି ପୋଲ୍‌ ଟାୱାର ସ୍ଥାପନ କରାଯାଇସାରିଲାଣି ।