ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ନିରଂଜନ ଟିମ୍ ! ପ୍ରଭୁ ଜଗନ୍ନାଥଙ୍କ ପାଖରେ ଦଳକୁ ମଜବୁତ ଓ ଓଡିଶାବାସୀଙ୍କ ଶୁଭ କାମନା କଲେ ପିସିସି ସଭାପତି

33

କନକ ବ୍ୟୁରୋ : ପୁରୀରେ ଟିମ ନିରଞ୍ଜନ । ଆଜି ପୁରୀରେ ସକାଳୁ ସକାଳୁ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଟିମ୍ । ନିରଞ୍ଜନଙ୍କ ସହ ପ୍ରଦୀପ ମାଝି, ନବ ଦାସ , ଚିରଞ୍ଜୀବି ବିଶ୍ୱାଳ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ବି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପରେ ପିସିସି ସଭାପତି କହିଛନ୍ତି, ଦଳକୁ ମଜଭୁତ କରିବା ସହ ଓଡିଶାବାସୀଙ୍କ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ଶୁଭ ମନାସିଛନ୍ତି । ତୃଣମୂଳ ସ୍ତରର କର୍ମୀଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ବି ପିସିସି ସଭାପତି କହିଛନ୍ତି । ଗତକାଲି ଟିମ ନିରଞ୍ଜନ ଭୁବନେଶ୍ୱର ଫେରିଥିଲେ ।

ସୂଚନାଯୋଗ୍ୟ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ନୂଆ ଟିମ ଶକ୍ତି ପ୍ରଦର୍ଶନ କରିଛି । ଏଥିପାଇଁ ବିମାନବନ୍ଦରରୁ କଂଗ୍ରେସ ଭବନ ଲେକାରଣ୍ୟ ହୋଇପଡିଥିଲା । ପରେ କଂଗ୍ରେସ ଭବନରେ ଆୟୋଜିତ ସମ୍ବର୍ଧନା ସଭାରେ ଓଡିଶା ପ୍ରଭାରୀଙ୍କ ସମେତ ପିସିସି ସଭାପତି ଓ ବରିଷ୍ଠ ନେତା ରାଜ୍ୟରେ କଂଗ୍ରେସକୁ ସରକାରକୁ ଆଣିବା ପାଇଁ ସଂକଳ୍ପ ନେଇଛନ୍ତି । ଗତକାଲି ବିଳମ୍ବିତ ରାତି ଯାଏଁ କଂଗ୍ରେସ ଭାବନରେ ସମ୍ବର୍ଧନା ସଭା ଚାଲିଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ଦେଶ ଓ ରାଜ୍ୟ ଏବେ ଘୋର ଦୁର୍ଦ୍ଦିନରେ ଗତି କରୁଛି । ସମ୍ବିଧାନ ପରିବର୍ତନ କରି ଯିଏ ଦେଶକୁ ବିଭାଜନ କରିବାକୁ ଉଦ୍ୟମ କରୁଛି ତାଙ୍କଠାରୁ ଦେଶକୁ ରକ୍ଷା କରିବାକୁ ପଡିବ ।

ମୁଁ ଗୋଷ୍ଠୀ ବିବାଦରେ ବିଶ୍ୱାସ କରେ ନାହିଁ ବୋଲି କହିଥିଲେ ନିରଞ୍ଜନ । ଯିଏ ଭୁବନେଶ୍ୱର ଛାଡି ଗାଁରେ ରହିବ, ସିଏ ଟିକେଟ ପାଇବ । କାନକୁହା ଓ ଦୁର୍ନୀତିଗ୍ରସ୍ତଙ୍କୁ ପ୍ରଶୟ ଦିଆଯିବନାହିଁ । ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ କହିଥିଲେ-ଗଣମାଧ୍ୟମରେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଲେ ବରଦାସ୍ତ କରାଯିବ ନାହିଁ । ସମ୍ବର୍ଧନା ସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପ୍ରଦୀପ ମାଝି, ଭକ୍ତ ଦାସ , ପ୍ରସାଦ ହରିଚନ୍ଦନ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଜି କଂଗ୍ରେସ ଭବନରେ ସବୁ ଜିଲ୍ଲା କଂଗ୍ରେସ ସଭାପତି, ବରିଷ୍ଠ କର୍ମକର୍ତାଙ୍କ ସହ ସାକ୍ଷାତ ଆଲୋଚନା କରିବେ ନିରଞ୍ଜନ ପଟ୍ଟନାୟକ ।